ପୁଞ୍ଜିବ୍ୟୟରେ ରାଜ୍ୟଗୁଡ଼ିକ ପଛୁଆ

ନୂଆଦିଲ୍ଲୀ: ଆଉ ୩ ଦିନ ପରେ କେନ୍ଦ୍ର ସରକାର ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରିବେ। ଆଗାମୀ ବଜେଟ୍‌ରେ ପୁଞ୍ଜିବ୍ୟୟ ବାବଦରେ ଅଧିକ ରାଶି ବ୍ୟବବରାଦ କରିବା ସମ୍ଭାବନା ରହିଛି। ଏଭଳି ସ୍ଥିତିରେ ଆଜି ଏକ ରିପୋର୍ଟ ଆସିଛି ଯାହା କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରମାନେ ପୁଞ୍ଜିବ୍ୟୟ କ୍ଷେତ୍ରରେ ହାସଲ କରିଥିବା ଅଗ୍ରଗତିକୁ ସାମ୍ନାକୁ ଆଣିଛି।

୮ ମାସରେ କେନ୍ଦ୍ର ଖର୍ଚ୍ଚ କରିଛି ୬୦ ପ୍ରତିଶତ
ରାଜ୍ୟଗୁଡ଼ିକ କରିଛନ୍ତି ୩୯ ପ୍ରତିଶତ

ଗତ ବଜେଟ୍‌ରେ କେନ୍ଦ୍ର ସରକାର ଯେତିକି ପରିମାଣର ପୁଞ୍ଜିବ୍ୟୟ ପୂରା ବର୍ଷ ପାଇଁ କରିଥିଲେ ସେଥିରୁ ୮୦ ପ୍ରତିଶତ ୮ ମାସ ମଧ୍ୟରେ ଖର୍ଚ୍ଚ ହୋଇଛି। କିନ୍ତୁ ରାଜ୍ୟଗୁଡ଼ିକ ଏ କ୍ଷେତ୍ରରେ ପଛରେ ପଡ଼ିଛନ୍ତି। ରାଜ୍ୟଗୁଡ଼ିକ ବଜେଟରେ ବର୍ଷକ ପାଇଁ କରିଥିବା ମୋଟ ବାର୍ଷିକ ପୁଞ୍ଜିବ୍ୟୟରୁ ୩୯ ପ୍ରତିଶତ ଖର୍ଚ୍ଚ କରିବାକୁ ସମର୍ଥ ହୋଇଛନ୍ତି ବୋଲି ବ୍ୟାଙ୍କ ଅଫ୍‌ ବରୋଦା ପକ୍ଷରୁ କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାଯାଇଛି। ୬.୮୫ ଲକ୍ଷ କୋଟି ଟଙ୍କା ରାଜ୍ୟଗୁଡ଼ିକ ପୁଞ୍ଜିବ୍ୟୟ ବାବଦରେ ଆବଣ୍ଟନ କରିଥିବାବେଳେ ଏଥିରେ ୫ଟି ରାଜ୍ୟର ଯୋଗଦାନ ୪୭ ପ୍ରତିଶତ ରହିଛି। ସେଥିରେ ଉତ୍ତର ପ୍ରଦେଶ ୧.୨ ଲକ୍ଷ କୋଟି, ମହାରାଷ୍ଟ୍ର ୬୫ ହଜାର କୋଟି, ମଧ୍ୟପ୍ରଦେଶ ୪୬ ହଜାର କୋଟି, କର୍ଣ୍ଣାଟକ ୪୪ ହଜାର କୋଟି ଏବଂ ତାମିଲନାଡ଼ୁ ୪୩ ହଜାର କୋଟି। ଏଥିସହ ପୁଞ୍ଜିବ୍ୟୟରେ ୪ ପ୍ରତିଶତରୁ ଅଧିକ ଯୋଗଦାନ ଥିବା ଅନ୍ୟ ୮ଟି ପ୍ରମୁଖ ରାଜ୍ୟ ଯଥା ଓଡ଼ିଶା, ଗୁଜରାଟ, ରାଜସ୍ଥାନ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ବିହାର ଏବଂ ତେଲେଙ୍ଗାନାକୁ ଯଦି ଏଥିରେ ବିଚାରକୁ ନିଆଯାଏ ତାହେଲେ ଏହି ମୋଟପୁଞ୍ଜିବ୍ୟୟରେ ୧୨ଟି ପ୍ରମୁଖ ରାଜ୍ୟର ଯୋଗଦାନ ୮୧ ପ୍ରତିଶତ ରହିଛି।

୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୁଞ୍ଜିବ୍ୟୟ ବାବଦରେ ଯେତିକି ଲକ୍ଷ୍ୟ ରଖାଯାଇଥିଲା ଗୁଜରାଟ, କର୍ଣ୍ଣାଟକ, ତାମିଲନାଡ଼ୁ ଏବଂ ମଧ୍ୟପ୍ରଦେଶ ତାହାର ନିକଟତର ହୋଇଛନ୍ତି। କିନ୍ତୁ ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ର ଭଳି ରାଜ୍ୟ ଏବେ ବି ପଛରେ ଅଛନ୍ତି। ଆର୍ଥିକ ବର୍ଷର ପ୍ରଥମ ୮ ମାସରେ କେନ୍ଦ୍ର ସରକାର ୪.୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିବ୍ୟୟ କରିଛନ୍ତି, ଯାହାକି ବଜେଟ୍‌ରେ ହୋଇଥିବା ମୋଟ ପୁଞ୍ଜିବ୍ୟୟ ଆକଳନ(୭.୫ ଲକ୍ଷ କୋଟି ଟଙ୍କା)ର ୬୦ ପ୍ରତିଶତ। କିନ୍ତୁ ରାଜ୍ୟଗୁଡ଼ିକ ଏହି ସମୟ ମଧ୍ୟରେ ୨.୭ ଲକ୍ଷ କୋଟି ଟଙ୍କା ବ୍ୟୟ କରିଛନ୍ତି, ଯାହାକି ମୋଟ ପୁଞ୍ଜିବ୍ୟୟ ଲକ୍ଷ୍ୟର ୩୯ ପ୍ରତିଶତ। ଆଗାମୀ ଦିନରେ ଯଦି ସରକାର ପୁଞ୍ଜିବ୍ୟୟକୁ ତ୍ବରାନ୍ବିତ କରା ନଯାଏ ତାହେଲେ ସଂଶୋଧିତ ଅଟକଳରେ ଏହି ବ୍ୟୟ କମ୍ ଦେଖାଯିବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର