ନୂଆଦିଲ୍ଲୀ: ପଳାତକ ଅପରାଧୀଙ୍କ ପାଇଁ ଅନ୍ତର୍ଜାତୀୟ ମାନଦଣ୍ଡ ଅନୁଯାୟୀ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସ୍ୱତନ୍ତ୍ର ଜେଲ୍ ସୃଷ୍ଟି କରିବାକୁ ଗୁରୁବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି। ପ୍ରତ୍ୟର୍ପଣ ମାମଲାର ମୁକାବିଲା ପାଇଁ ପଳାତକମାନଙ୍କର ଏକ ଜାତୀୟ ଡାଟାବେସ୍ ସୃଷ୍ଟି କରିବା ଏବଂ ପ୍ରତ୍ୟେକ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଏକ ସ୍ୱତନ୍ତ୍ର ସେଲ୍ ଗଠନ କରିବାକୁ ଗୃହମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଭାରତ ମଣ୍ଡପମ୍ରେ ସିବିଆଇ ଦ୍ୱାରା ଆୟୋଜିତ ‘ପଳାତକଙ୍କ ପ୍ରତ୍ୟର୍ପଣ: ଆହ୍ବାନ ଓ ରଣକୌଶଳ’ ଶୀର୍ଷକ ଦୁଇଦିନିଆ ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନରେ ସେ ଏହା କହିଛନ୍ତି।
ଶାହ କହିଥିଲେ, ଯେଉଁ ପଳାତକମାନଙ୍କ ପ୍ରତ୍ୟର୍ପଣ ପାଇଁ ଅନୁରୋଧ କରାଯାଉଛି ସେମାନଙ୍କ ପାଇଁ ପ୍ରତ୍ୟେକ ରାଜ୍ୟରେ ଏକ ସ୍ୱତନ୍ତ୍ର ଜେଲ୍ ରହିବା ଉଚିତ ଯାହା ପଳାତକମାନଙ୍କ ପାଇଁ ଅନ୍ତର୍ଜାତୀୟ ମାନଦଣ୍ଡ ପୂରଣ କରିବ। ସେମାନେ (ପଳାତକ) ଲୁଚି ରହିଥିବା ଦେଶର ଅଦାଲତରେ ପ୍ରାୟତଃ ଯୁକ୍ତି କରନ୍ତି ଯେ, ଭାରତୀୟ ଜେଲଗୁଡ଼ିକର ଅନ୍ତର୍ଜାତୀୟ ମାନଦଣ୍ଡ ନାହିଁ, ଯାହା ସହିତ ମୁଁ ସହମତ ନୁହେଁ। କିନ୍ତୁ ଆମେ ସେମାନଙ୍କୁ କହିବା ପାଇଁ ସୁଯୋଗ ଦେବା ଉଚିତ ନୁହେଁ। ପଳାତକଙ୍କ ବିରୋଧରେ ଇଣ୍ଟରପୋଲ୍ ରେଡ୍ କର୍ଣ୍ଣର ନୋଟିସ୍ ଜାରି ହେବା ମାତ୍ରେ ସେମାନଙ୍କ ପାସପୋର୍ଟ ପ୍ରତ୍ୟାହାର କରାଯିବା ଉଚିତ ବୋଲି ଶାହ କହିଛନ୍ତି।
ଏହି ପ୍ରକ୍ରିୟା ସହିତ ପରିଚିତ ଅଧିକାରୀ କହିଛନ୍ତି ଯେ ପାସପୋର୍ଟ ରଦ୍ଦ କରିବା ଦ୍ୱାରା ପଳାତକମାନେ ଆଶ୍ରୟ ନେଇଥିବା ଦେଶରେ ବେଆଇନ ପ୍ରବାସୀ ହେବେ। ଶାହ କହିଛନ୍ତି, ଆମ ପାଖରେ ଏକ ପଳାତକ ଡାଟାବେସ୍ ରହିବା ଉଚିତ ଯେଉଁଥିରେ ବ୍ୟକ୍ତିଙ୍କ ଅପରାଧ, ବିଦେଶରେ ତାଙ୍କର ସ୍ଥିତି, ତାଙ୍କ ନେଟୱାର୍କ ଇତ୍ୟାଦି ବିଷୟରେ ସମସ୍ତ ବିବରଣୀ ରହିବ। ଏହାକୁ ସମସ୍ତ ରାଜ୍ୟ ପୁଲିସ ସହିତ ସେୟାର କରାଯିବା ଉଚିତ। ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକ ପାଇଁ ଏକ ସ୍ୱତନ୍ତ୍ର ସେଲ ରହିବା ଉଚିତ ଯାହା କେବଳ ପ୍ରତ୍ୟର୍ପଣ ଅନୁରୋଧ ଉପରେ ଧ୍ୟାନ ଦେବ। ଆମେ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍)ର ଧାରା ୩୫୫ ଓ ୩୫୬ ବ୍ୟବହାର କରିବା ଉଚିତ, ଯାହା ପଳାତକମାନଙ୍କ ବିରୋଧରେ ‘ଅନୁପସ୍ଥିତିରେ ବିଚାର’ ଅଟେ। ଶାହ କହିଛନ୍ତି, ଯେପର୍ଯ୍ୟନ୍ତ ସେମାନେ ଆମ ଆଇନକୁ ଭୟ କରିବେ ନାହିଁ, ଆମେ ସଫଳ ହେବୁ ନାହିଁ। ଏହି ସମ୍ମିଳନୀରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ନିର୍ଦ୍ଦେଶକ ପ୍ରବୀଣ ସୁଦ୍ କହିଛନ୍ତି ଯେ ଭାରତର ମୋଟ ୩୮୮ଟି ପ୍ରତ୍ୟର୍ପଣ ଆବେଦନ ବିଭିନ୍ନ ଦେଶରେ ବିଚାରାଧୀନ ଅଛି ଏବଂ ଆଜି ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ପଳାତକଙ୍କ ବିରୋଧରେ ଇଣ୍ଟରପୋଲରେ ୯୫୭ଟି ରେଡ୍ ନୋଟିସ୍ ଜାରି କରାଯାଇଛି। ସୁଦ୍ ଆହୁରି କହିଛନ୍ତି ଯେ, ଭାରତର ଅନୁରୋଧ ଉପରେ ପଳାତକଙ୍କ ପାଇଁ ଇଣ୍ଟରପୋଲ ରେଡ୍ ନୋଟିସ୍ ପ୍ରକାଶ କରିବାର ପ୍ରକ୍ରିୟା ସମୟ ୧୪ ମାସରୁ ମାତ୍ର ତିନି ମାସକୁ ହ୍ରାସ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/17/untitled-1-2025-10-17-06-44-09.jpg)