ପରିବେଶ ସୁରକ୍ଷା ଓ ବିକାଶ ଆଧାରରେ ରାଜ୍ୟମାନଙ୍କର ହେବ ରାଙ୍କିଂ

ନୂଆଦିଲ୍ଲୀ : ପରିବେଶ ସୁରକ୍ଷା ସହିତ ବିକାଶ ଆଧାରରେ ରାଜ୍ୟମାନଙ୍କର ହେବ ରାଙ୍କିଂ। କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ ପକ୍ଷରୁ ଏହି ରାଙ୍କିଂ କରାଯିବ। ବିଶେଷ କରି ବିକାଶ ଯୋଜନାକୁ ପରିବେଶ ମଞ୍ଜୁରି ପ୍ରଦାନ ସମୟ ଅବଧିକୁ ବିଚାରକୁ ନେଇ ଏହି ରୢାଙ୍କିଂ ହେବ। କେଉଁ ପ୍ରକଳ୍ପକୁ କେତେ ଦିନ ମଧ୍ୟରେ ପରିବେଶ ମଞ୍ଜୁରି ମିଳୁଛି, ସେହି ଆଧାରରେ ମାର୍କ ମିଳିବ। କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ ରାଜ୍ୟ ପରିବେଶ ପ୍ରଭାବ ଆକଳନ ପ୍ରାଧିକରଣ ଓ ବୈଷୟିକ ଆକଳନ କମିଟିମାନଙ୍କୁ ଏ ନେଇ ପତ୍ର ଲେଖିଛନ୍ତି।

ପତ୍ରରେ ପରିବେଶ ମଂଜୁରି ପ୍ରଦାନରେ ଦକ୍ଷତା ଏବଂ ଧାର୍ଯ୍ୟ ସମୟ ଆଧାରରେ ରାଜ୍ୟମାନଙ୍କୁ ‘ଷ୍ଟାର୍‌ ରେଟିଂ’ ଜରିଆରେ ପ୍ରୋତ୍ସାହିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଅବଗତ କରାଯାଇଛି। ପ୍ରସ୍ତାବିତ ରୢାଙ୍କିଂ ପ୍ରଣାଳୀ ଅନୁସାରେ କୌଣସି ରାଜ୍ୟ ୮୦ ଦିନରୁ କମ୍ ସମୟ ମଧ୍ୟରେ ବିକାଶ ପ୍ରକଳ୍ପକୁ ପରିବେଶ ମଂଜୁରି ପ୍ରଦାନ କଲେ ଦୁଇ ନମ୍ବର ମିଳିବ। ୮୦ ରୁ ୧୦୫ ଦିନରୁ କମ୍ ସମୟରେ କଲେ ଗୋଟିଏ ନମ୍ବର,୧୦୫ ରୁ ୧୨୦ ଦିନ ମଧ୍ୟରେ କଲେ ୦.୫ ନମ୍ବର ଏବଂ ୧୨୦ ଦିନରୁ ଅଧିକ ସମୟରେ ପରିବେଶ ମଂଜୁରି ପ୍ରଦାନ ପାଇଁ ଶୂନ ନମ୍ବର ଦିଆଯିବ। ରେଟିଂ ଛଅ ମାସର ପ୍ରଦର୍ଶନ ଆଧାରରେ ହେବ। ରେଟିଂ ମାର୍ଗଦର୍ଶିକାକୁ ମନ୍ତ୍ରାଳୟର ପରିବେଶ ପୋର୍ଟାଲ ମାଧ୍ୟମରେ ଅନଲାଇନ୍‌ ଲାଗୁ କରାଯିବ। ଏଥି ପାଇଁ ଏହି ପୋର୍ଟ‌ାଲକୁ ଅପଗ୍ରେଡ୍‌ କରାଯାଇଛି। ପରିବେଶ ସୁରକ୍ଷା ସହ ବିକାଶକୁ ପ୍ରାଧାନ୍ୟ ଦେବା ପରିପେକ୍ଷୀରେ ରାଜ୍ୟମାନଙ୍କର ରୢାଙ୍କିଂ କରାଯିବା ଏକ ସକରାତ୍ମାକ ପଦକ୍ଷେପ ବୋଲି ମନ୍ତ୍ରାଳୟର ଜଣେ ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର