ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ହାଇଦ୍ରାବାଦରେ ୨୧୬ ଫୁଟ୍‌ ଉଚ୍ଚତାର ‘ଷ୍ଟାଚ୍ୟୁ ଅଫ୍‌ ଇକ୍ବାଲିଟି’ ଉଦ୍‌ଘା‌ଟନ କରିଛନ୍ତି। ଏକାଦଶ ଶତାବ୍ଦୀର ସନ୍ଥ ରାମାନୁଜାଚାର୍ଯ୍ୟଙ୍କୁ ସମ୍ମାନ ଜଣାଇ ମୋଦୀ ଆଜି ଦେଶବାସୀଙ୍କ ଉଦ୍ଦେଶ୍ୟରେ ‘ଷ୍ଟାଚ୍ୟୁ ଅଫ୍‌ ଇକ୍ବାଲିଟି’ ଲୋକାର୍ପଣ କରିଛନ୍ତି। ଷ୍ଟାଚ୍ୟୁ ଅଫ୍‌ ଇକ୍ବାଲିଟି ରାମାନୁଜାଚାର୍ଯ୍ୟଙ୍କ ସ୍ମୃତିଚାରଣ କରୁଛି। ରାମାନୁଜାଚାର୍ଯ୍ୟ ଜୀବନର ସବୁ କ୍ଷେତ୍ରରେ ଏବଂ ଜାତି ଧର୍ମ ଏବଂ ବିଚାରଧାରା ନିର୍ବିଶେଷରେ ସମାନତାକୁ ଗୁରୁତ୍ବ ଦେଇଥିଲେ। ରାମାନୁଜାଚାର୍ଯ୍ୟ ଆଜି ଏକ ବିଶାାଳ ‘ଷ୍ଟାଚ୍ୟୁ ଅଫ୍‌ ଇକ୍ବାଲିଟି ମାଧ୍ୟମ‌ରେ ଆମକୁ ସମାନତାର ବାର୍ତ୍ତା ଦେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ‌‌ମୋଦୀ କହିଛନ୍ତି। ରାମାନୁଜଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ତାଙ୍କ ଜ୍ଞାନ, ବୈରାଗ୍ୟ ଏବଂ ଆଦର୍ଶର ପ୍ରତୀକ ବୋଲି ସେ କହିଛନ୍ତି।

Advertisment

ଏହି ବିଶାଳ ପ୍ରତିମୂର୍ତ୍ତି ପଞ୍ଚଧ‌ାତୁରେ ତିଆରି ହୋଇଛି। ସୁନା, ରୂପା, ତମ୍ବା‌, ପିତଳ ଏବଂ ଜିଙ୍କ୍‌ର ସମ୍ମିଶ୍ରଣରେ ଏହି ପ୍ରତିମୂର୍ତ୍ତି ତିଆରି ହୋଇଛି। ୫୪ ଫୁଟ୍‌ ଉଚ୍ଚ ଭବ୍ୟ କୋଠା ଉପରେ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ଏହାକୁ ‘ଭଦ୍ରା ବେଦୀ’ କୁହାଯାଉଛି। ୨୧୬ ଫୁଟ୍‌ର ଏହି ପ୍ରତିମୂର୍ତ୍ତି ବସିବା ଅବସ୍ଥାରେ ବିଶ୍ବରେ ସବୁଠାରୁ ବଡ଼ ମୂର୍ତ୍ତି। ସନ୍ଥ ରାମାନୁଜଚାର୍ଯ୍ୟଙ୍କ ୧୦୦୦ତମ ଜୟନ୍ତୀ ବାର୍ଷିକ ଅବସରରେ ଆୟୋଜିତ ୧୨ ଦିନିଆ ଉତ୍ସବ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ପ୍ରତିମୂର୍ତ୍ତି ଆଜି ଉନ୍ମୋଚନ ହୋଇଛି। ହାଇଦ୍ରାବାଦର ୪୫ ଏକର ଅଞ୍ଚଳ ପରିସରରେ ଏହି ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ଏହି ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ୨୦୧୪ରେ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଥିଲା। ୧୦୦୦ କୋଟି ଟଙ୍କାର ଏହି ପ୍ରକଳ୍ପ ପାଇଁ ବିଶ୍ବବ୍ୟାପୀ ରାମାନୁଜଚାର୍ଯ୍ୟଙ୍କ ଅନୁଗାମୀମାନେ ପାଣ୍ଠି ଦେଇଛନ୍ତି। ଶ୍ରୀ ରାମାନୁଜଚାର୍ଯ୍ୟ ଆଶ୍ରମର ଶ୍ରୀ ଚିନ୍ନା ଜିୟାର ସ୍ବାମୀ ଏହି ପ୍ରତିମୂର୍ତ୍ତିର ପରିକଳ୍ପନା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ‌ମୋଦୀ ଆଜି ହାଇଦ୍ରାବାଦ ଗସ୍ତ ଅବସରରେ (ଆଇସିଆର୍‌ଆଇଏସ୍‌ଏଟି) ଅନ୍ତର୍ଜାତୀୟ ଫସଲ ଗବେଷଣା ଅନୁଷ୍ଠାନର ୫୦ତମ ବ‌ାର୍ଷିକ ଉତ୍ସବରେ ଯୋଗ ଦେଇଥିଲେ।