ଇଣ୍ଡିଆ ଗେଟ୍‌ରେ ସ୍ଥାପନ ହେବ ନେତାଜୀଙ୍କ ଭବ୍ୟ ପ୍ରତିମୂର୍ତ୍ତି

ଭାରତର କୃତଜ୍ଞତାର ପ୍ରତୀକ ହେବ: ‌ପ୍ରଧାନମନ୍ତ୍ରୀ, ୫୦ ବର୍ଷ ପରେ ବିଲୟ ହେଲା ‘ଅମର ଯବାନ ଜ୍ୟୋତି’

ନୂଆଦିଲ୍ଲୀ : ଇଣ୍ଡିଆ ଗେଟ୍‌ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ୍‌ଙ୍କ ଭବ୍ୟ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଘୋଷଣା କରିଛନ୍ତି। ଏହାସହିତ ପ୍ରଧାନମନ୍ତ୍ରୀ ଏହାର ଏକ ଫଟୋ ସେୟାର କରିଛନ୍ତି ଯେଉଁଠି ନେତାଜୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହେବା ପର୍ଯ୍ୟନ୍ତ ହୋଲୋଗ୍ରାମ ଫଟୋ ଲଗାଯିବ। ଯେଉଁ ପର୍ଯ୍ୟନ୍ତ ନେତାଜୀଙ୍କ ଭବ୍ୟ ପ୍ରତିମା ତିଆରି ହୋଇ ସ୍ଥାପିତ ନହୋଇଛି ସେ ପର୍ଯ୍ୟନ୍ତ ଉକ୍ତ ସ୍ଥାନରେ ନେତାଜୀଙ୍କ ହୋଲୋଗ୍ରାମ ପ୍ରତିମା ସ୍ଥାନ ପାଇବ। ନେତାଜୀଙ୍କ ପ୍ରତିମୂର୍ତ୍ତି ଇଣ୍ଡିଆ ଗେଟ୍‌ରେ ଏକ ପିଲାର ଉପରେ ନିର୍ମିତ ଛତ୍ରି ତଳେ ରହିବ। ପ୍ରଧାନମନ୍ତ୍ରୀ ସେୟାର କରିଥିବା ଫଟୋରୁ ମୂର୍ତ୍ତି କେଉଁଠି ଲଗାଯିବ ତାହା ସ୍ପଷ୍ଟ ହୋଇାଯାଇଛି।

ଅନ୍ୟପକ୍ଷରେ ଇଣ୍ଡିଆ ଗେଟ୍‌ରେ ଦୀର୍ଘ ୫୦ ବର୍ଷ ଧରି ଜଳୁଥିବା ଅମର ଯବାନ ଜ୍ୟୋତିକୁ ଆଦି ଜାତୀୟ ଯୁଦ୍ଧ ସ୍ମାରକୀ ଜ୍ୟୋତିରେ ବିଲୟ କରିଦିଆଯାଇଛି। ସରକାରଙ୍କ ଏହି ନିଷ୍ପତ୍ତିକୁ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳମାନେ ଜୋର୍‌ଦାର ବିରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀ ଟ୍ବିଟ୍‌ କରି କହିଛନ୍ତି, ଦେଶ ଏବେ ନେତାଜୀଙ୍କ ୧୨୫ତମ ଜୟନ୍ତୀ ପାଳନ କରୁଛି ଏବଂ ଏହି ଅବସରରେ ଗ୍ରାନାଇଟ୍‌ ନିର୍ମିତ ଭବ୍ୟ ପ୍ରତିମୂର୍ତ୍ତି ଇଣ୍ଡିଆ ଗେଟ୍‌ରେ ସ୍ଥାପିତ କରାଯିବାକୁ ନିଷ୍ପତ୍ତି ହୋଇଛି। ଏହା ନେତାଜୀଙ୍କ ପ୍ରତି ଭାରତର କୃତଜ୍ଞତାର ପ୍ରତୀକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର