ଷ୍ଟାଚ୍ୟୁ ଅଫ୍‌ ୟୁନିଟି

ବୁରାଡ଼ି ଗଣ ଆତ୍ମହତ୍ୟା, ମି ଠୁ’ ଭୂକମ୍ପ

ଚଳିତବର୍ଷ ମୋଦୀ ସରକାର ଗୁଜରାଟର ନର୍ମଦା ସରୋବର ଡ୍ୟାମ୍‌ରେ ସର୍ଦ୍ଦାର୍‌ ବଲ୍ଲଭଭାଇ ପଟେଲ୍‌ଙ୍କ ବିଶାଳ ପ୍ରତିମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ ନିର୍ମାଣ କରି ନୂଆ କୀର୍ତ୍ତିମାନ ସ୍ଥାପନ କରିଥିଲେ। ଷ୍ଟାଚ୍ୟୁ ଅଫ୍‌ ୟୁନିଟିକୁ ବିଶ୍ବର ସର୍ବୋଚ୍ଚ ପ୍ରତିମୂର୍ତ୍ତି ଭାବେ ମାନ୍ୟତା ମିଳିଛି। ଏହା ପୂର୍ବରୁ ଚୀନ୍‌ର ସ୍ପ୍ରିଙ୍ଗ୍ ଟେମ୍ପଲ୍‌ ବୁଦ୍ଧକୁ ବିଶ୍ବର ଉଚ୍ଚତମ ପ୍ରତିମୂର୍ତ୍ତି ଆଖ୍ୟା ମିଳୁଥିଲା। ଷ୍ଟାଚ୍ୟୁ ଅଫ୍‌ ୟୁନିଟି ଏବେ ଦେଶବିଦେଶରୁ ଅନେକ ପର୍ଯ୍ୟଟକ ଟାଣିବାରେ ସମର୍ଥ ହେଉଛି। ଦିନକୁ ପ୍ରାୟ ୧୫,୦୦୦ ପର୍ଯ୍ୟଟକ ଏହାକୁ ଦେଖିବା ପାଇଁ ଆସୁଛନ୍ତି।

ବୁରାଡ଼ି ଗଣ ଆତ୍ମହତ୍ୟା

ଦିଲ୍ଲୀର ବୁରାଡ଼ିରେ ଜୁଲାଇ ୧ ତାରିଖରେ ଗୋଟିଏ ପରିବାରର ୧୧ ଜଣଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା ଦେଶରେ ଚାଂଚଲ୍ୟ ସୃଷ୍ଟି କରିଥିଲା। ପରିବାରର ସଦସ୍ୟମାନେ ଅନ୍ଧବିଶ୍ବାସରେ ସମ୍ପୂର୍ଣ୍ଣ ବୁଡ଼ିଥିଲେ। କୌଣସି ବାବାଙ୍କ ପ୍ରରୋଚନାରେ ପଡ଼ି ସେମାନେ ମୋକ୍ଷ ପାଇବାକୁ ଚାହିଥିଲେ ଏବ˚ ଆତ୍ମହତ୍ୟାର ରାସ୍ତା ବାଛିନେଲେ ବୋଲି ପୁଲିସ ତଦନ୍ତରୁ ଜଣାପଡ଼ିଥିଲା। ଘଟଣାସ୍ଥଳରୁ ଜବତ ରେଜିଷ୍ଟରରୁ ତନ୍ତ୍ରସାଧନା ସହ ଜଡ଼ିତ କିଛି ତଥ୍ୟ ମିଳିଥିଲା। ଏଥିରେ ଆତ୍ମହତ୍ୟାର ତାରିଖ ଓ ସମୟ ବି ଉଲ୍ଲେଖ କରାଯାଇଛି। ଘଟଣାସ୍ଥଳରୁ ମିଳିଥିବା ଅନ୍ୟ ଏକ କାଗଜରେ ‘କେହି ମରିବେ ନାହିଁ, ବର˚ କିଛି ମହାନ୍‌ ହାସଲ କରିହେବ’ ବୋଲି ଉଲ୍ଲେଖ ରହିଛି। ଅନ୍ୟଏକ ଚିଠିରେ ଉଲ୍ଲେଖ ଥିଲା ‘ଜୁନ୍‌ ୩୦ ପୂର୍ବରୁ ଈଶ୍ବରଙ୍କୁ ଭେଟିବାକୁ ହେବ, କେବଳ ଗୁରୁବାର କି ରବିବାର ଏଥିପାଇଁ ପ୍ରକୃଷ୍ଟ ସମୟ ହେବ।’ ତେବେ ସଂପର୍କୀୟମାନେ ଏହି ଘଟଣାକୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି କହିଥିଲେ।

ମି ଠୁ’ ଭୂକମ୍ପ

ମି ଠୁ ଅଭିଯାନ ୨୦୧୮ରେ ବଲିଉଡରେ ଭୂକମ୍ପ ଆଣିଥିବା ବେଳେ ରାଜନୀତିକୁ ଏହା ପ୍ରଭାବିତ କରିଥିଲା। ଏହି ଅଭିଯାନ ଜରିଆରେ ବିଭିନ୍ନ କ୍ଷେତ୍ରର ମହିଳାଙ୍କ ପ୍ରତି ହୋଇଥିବା ଯୌନ ଉତ୍ପୀଡ଼ନ ଘଟଣାର ପର୍ଦ୍ଦାଫାସ ହୋଇଥିବାବେଳେ ସେଲିବ୍ରିଟିଙ୍କ ଅସଲ ଚେହେରା ପଦାରେ ପଡିଥିଲା। ଏଭଳି ମାମଲାର ତ୍ବରିତ୍‌ ଯାଞ୍ଚ ପାଇଁ ଏକ ୪ ଜଣିଆ କମିଟି କେନ୍ଦ୍ର ସରକାର ଗଠନ କରିଥିଲେ। ଏମ୍‌.ଜେ ଆକବରଙ୍କ ବିରୋଧରେ ଆସିଥିବା ଅଭିଯୋଗ ଜୋର୍‌ ଧରିବା ପରେ ତାଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବାକୁ ପଡ଼ିଥିଲା। ବରିଷ୍ଠ ଅଭିନେତା ଆଲୋକନାଥ, ନାନା ପାଟେକରଙ୍କ ବିରୋଧରେ ଅଭିଯୋଗ ଚର୍ଚ୍ଚାର ପ୍ରସଙ୍ଗ ହୋଇଥିଲା।

ସମ୍ବନ୍ଧିତ ଖବର