ଷ୍ଟାଚ୍ୟୁ ଅଫ୍ ୟୁନିଟି ଲୋକାର୍ପିତ, ପଟେଲଙ୍କୁ ନେଇ ମୁହାଁମୁହିଁ

ପଟେଲ୍‌ ଦେଖାଇଥିବା ରାସ୍ତାରେ ଚାଲିବାକୁ ମୋଦୀଙ୍କ ଆହ୍ବାନ

ସରକାର ଷଡ଼ଯନ୍ତ୍ର କରୁଛନ୍ତି: ରାହୁଲ, ଏତେ ବିଶାଳ ମୂର୍ତ୍ତି କାହିଁକି : ଥରୁର୍‌

କେବଡିୟା(ଗୁଜରାଟ): ସର୍ଦ୍ଦ‌ାର ବଲ୍ଲଭ ଭାଇ ପଟେଲ୍‌ଙ୍କ ୧୪୩ତମ ଜନ୍ମଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ତାଙ୍କର ୧୮୨ ମିଟର ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ଲୋକାର୍ପଣ କରିଛନ୍ତି। ବିଶ୍ବର ଏହି ଉଚ୍ଚତମ ପ୍ରତିମୂର୍ତ୍ତି ଗୁଜରାଟସ୍ଥିତ ନର୍ମଦା ଡ୍ୟାମ୍‌ ନିକଟରେ ସ୍ଥାପନ ହୋଇଛି। ପ୍ରତିମୂର୍ତ୍ତି ଉଦ୍‌ଘାଟନ କରି ମୋଦୀ କହିଛନ୍ତି, ‘ଏକ ଭାରତ ଶ୍ରେଷ୍ଠ ଭାରତ’ ପାଇଁ ପ‌େଟଲ୍ ଦେଖାଇଥିବା ରାସ୍ତା‌େର ଚାଲିବା ଆବଶ୍ୟକ। ଏହାପରେ ମୋଦୀ ‘ଦେଶର ଏକତା ଜିନ୍ଦାବାଦ୍‌’ ସ୍ଲୋଗାନ୍‌ ଦେଇଥିଲେ। ତେବେ ଏହି ପ୍ରତିମୂର୍ତ୍ତିକୁ ନେଇ ଶାସକ ଓ ବିରୋଧୀ ଦଳଗୁଡ଼ିକ ମୁହାଁମୁହିଁ ହୋଇଛନ୍ତି। କଂଗ୍ରେସ ନେତାମାନେ କହିଛନ୍ତି ଯେ ସର୍ଦ୍ଦାର ପଟେଲଙ୍କ ନାମକୁ ନେଇ ବିଜେପି ଶସ୍ତା ରାଜନୀତି କରିବା ସହ ଅନ୍ୟ ମହାପୁରୁଷଙ୍କୁ ଗୌଣ କରିବାକୁ ଚେଷ୍ଟା କରୁଛି । ଅନ୍ୟପକ୍ଷରେ ଷ୍ଟାଚ୍ୟୁ ଅଫ୍ ୟୁନିଟି ଲୋକାର୍ପଣ ଅବସରରେ ଆୟୋଜିତ ଉତ୍ସବରେ ଉଦ୍‌ବୋଧନ ଦେଇ ମୋଦୀ ବିରୋଧୀ ଦଳଗୁଡ଼ିକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଆଜି ଦେଶର ସେହି ମହାନ୍ ନେତାଙ୍କ ସମ୍ମାନ କରାଯାଉଛି, ଯେଉଁମାନଙ୍କୁ ଚାହିଲେ ମଧ୍ୟ ଇତିହାସରେ ଭୁଲାଯାଇ ପାରିବ ନାହିଁ। ଏଭଳି କହି ମୋଦୀ ପରୋକ୍ଷରେ କଂଗ୍ରେସକୁ ସମାଲୋଚନା କରିଥିଲେ। କଂଗ୍ରେସ ପଟେଲ୍‌ଙ୍କର ସମ୍ମାନ କରୁନାହିଁ ବୋଲି ସେ ପରୋକ୍ଷରେ କହିଥିଲେ। ତେବେ ମୋଦୀ ନିଜ ସମ୍ଭାଷଣରେ କୌଣସି ଦଳର ନାମ ନେଇନଥିଲେ। ସେ କହିଥିଲେ, ଦେଶର ମହାନ୍ ନେତାଙ୍କୁ ସମ୍ମାନ ଦେବାକୁ ଉଦ୍ୟମ କରାଯାଉଥିବା ବେଳେ କିଛି ଲୋକ ଏହାକୁ ବି ସମାଲୋଚନା କରିବାକୁ ପଛାଉ ନାହାନ୍ତି।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ବିଜେପି ଏବଂ ଏନ୍‌ଡିଏ ସରକାରଙ୍କୁ ପଟେଲଙ୍କ ପ୍ରତିମୂର୍ତ୍ତି ପ୍ରସଙ୍ଗରେ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି ଯେ ପଟେଲ ସାଂପ୍ରଦାୟିକତାକୁ ଆଦୌ ସହ୍ୟ କରୁନଥିଲେ ଏବଂ କଂଗ୍ରେସର ଜଣେ ଶ୍ରେଷ୍ଠ ନେତା ଥିଲେ। ଆଜି ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଅବସରରେ ସରକାର ଅନେକ ଷଡ଼ଯନ୍ତ୍ର କରୁଛନ୍ତି ଏବଂ ଦେଶର ଅନେକ ସଂସ୍ଥାକୁ ବଦନାମ କରୁଥିବା ଦେଖାଯାଇଛି ବୋଲି ରାହୁଲ କହିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ନେତା ଶଶି ଥରରୁ କହିଛନ୍ତି ଯେ ସର୍ଦ୍ଦାର ପଟେଲଙ୍କ ପ୍ରତିମାକୁ ନେଇ ରାଜନୀତି କରୁଥିବା ବିଜେପି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ବିଶାଳ ପ୍ରତିମୂର୍ତ୍ତି କାହିଁକି ନିର୍ମାଣ କରିନାହିଁ। ଗାନ୍ଧୀଜୀଙ୍କର ଅନୁଗାମୀ ଥିବା ପଟେଲଙ୍କ ଏତେ ବିଶାଳ ପ୍ରତିମୂର୍ତ୍ତି ସ୍ଥାପନ କରିବା ଉଚିତ କି ବୋଲି ଥରୁର୍‌ ପ୍ରଶ୍ନ କରିଛନ୍ତି। ଗରିବ କୃଷକଙ୍କ କଲ୍ୟାଣ ପାଇଁ କାମ କରିଥିବା ପଟେଲଙ୍କ ପ୍ରତି ଏହା ନ୍ୟାୟ ନୁହେଁ ବୋଲି ଥରୁର କହିଛନ୍ତି। ଅନ୍ୟପକ୍ଷରେ ପଟେଲଙ୍କୁ ଉଚିତ ସ୍ଥାନ ନ ମିଳିବା ପଛରେ କଂଗ୍ରେସ ହିଁ ଦାୟୀ ବୋଲି ମୋଦୀ ତାଙ୍କ ଉଦ୍‌ବୋଧନରେ କହିଛନ୍ତି। ଭାରତର ସମ୍ମାନ ପାଇଁ ସମର୍ପିତ ଜଣେ ମହାନ୍‌ ବ୍ୟକ୍ତିତ୍ବଙ୍କୁ ସ୍ବାଧୀନତାର ଏତେ ବର୍ଷ ପରେ ବି ଉଚିତ ସ୍ଥାନ ଦିଆଯାଇନଥିଲା ବୋଲି ମୋଦୀ କହିଛନ୍ତି।

ସମ୍ବନ୍ଧିତ ଖବର