ଅକ୍ଟୋବର ୨୫ ସୁଦ୍ଧା ପ୍ରସ୍ତୁତ ହୋଇଯିବ ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’

ବଡ଼ଦୋରା/ଭାରୁଚ: ବିଶ୍ୱର ସବୁଠୁ ଉଚ୍ଚ ବୋଲି ଦାବି କରାଯାଉଥିବା ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍‌ଙ୍କର ପ୍ରତିମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ର ନିର୍ମାଣ କାର୍ଯ୍ୟ ଅକ୍ଟୋବର ୨୫ ସୁଦ୍ଧା ଶେଷ ହେବ। ସର୍ଦ୍ଦାରଙ୍କ ଜନ୍ମଦିନ ଅକ୍ଟୋବର ୩୧ ତାରିଖ ଦିନ ଏହି ମୂର୍ତ୍ତିକୁ ଉନ୍ମୋଚନ କରାଯିବା ନିମନ୍ତେ ସ୍ଥିର କରାଯାଇଛି।

ଶନିବାର ଦିନ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ଏବଂ ଉପମୁଖ୍ୟମନ୍ତ୍ରୀ ନିତିନ ପଟେଲ୍‌ ମୂର୍ତ୍ତି ନିର୍ମାଣସ୍ଥଳକୁ ଯାଇଥିଲେ।

କାମର ଅଗ୍ରଗତି ସମ୍ବନ୍ଧରେ ରୁପାନିଙ୍କୁ କୁହାଯାଇଥିଲା ଯେ ମୂର୍ତ୍ତିର ଇସ୍ପାତ ଢାଞ୍ଚା ସେପ୍ଟେମ୍ବର ୨୦ ତାରିଖ ସୁଦ୍ଧା ତିଆରି ସରିବ ଏବଂ ଅକ୍ଟୋବର ୧୦ ତାରିଖ ଦିନ ତାହା ଉପରେ ବ୍ରୋଞ୍ଜ୍‌ ଛାଉଣି କରାଯିବ। ଅକ୍ଟୋବର ୨୫ ତାରିଖ ସୁଦ୍ଧା ମୂର୍ତ୍ତିର ମାଠ କାର୍ଯ୍ୟ ଶେଷ ହୋଇ ଯିବ ବୋଲି ଆଶା କରାଯାଉଛି। ୧୮୨ ମିଟର୍‌ ଉଚ୍ଚ ମୂର୍ତ୍ତିଟିର ୮୬%ରୁ ଅଧିକ କାର୍ଯ୍ୟ ଇତିମଧ୍ୟରେ ଶେଷ ହୋଇ ସାରିଛି। ଏକତ୍ର ଭାରତ ନିମେନ୍ତ ସର୍ଦ୍ଦାରଙ୍କ ଅବଦାନଙ୍କୁ ଚିହ୍ନିତ କରୁଥିବା ୫୨ କୋଠରିବିଶିଷ୍ଟ ‘ଶ୍ରେଷ୍ଠ ଭାରତ ଭବନ’ ମଧ୍ୟ ସେଠାରେ ନିର୍ମାଣ ହେବ।

ସମ୍ପୂର୍ଣ୍ଣ ପରିସରଟି ବିଶ୍ୱସ୍ତରୀୟ ହେବ ବୋଲି ରୁପାନି କହିଛନ୍ତି। ଏହାକୁ ଚାହିଁ ସେଠାରେ ପରିଚ୍ଛନ୍ନତା, ନିରାପତା, କାଫେଟରିଆ, ଫୁଡ୍‌ କୋର୍ଟ ଏବଂ ଅନ୍ୟାନ୍ୟ ସୁବିଧା ମିଳିବ।

ନର୍ମଦା ଜିଲ୍ଲା ଅନ୍ତର୍ଗତ ସର୍ଦ୍ଦାର ସରୋବର ଡ୍ୟାମ୍‌ ପାଖରେ ଥିବା କେଓ୍ଵାଦିଆ କଲୋନିର ସାଧୁ ବେଟ୍‌ ଠାରେ ତିଆରି ହେଉଛି। ମୂର୍ତ୍ତି ସହ ଏହାର ବଇଠି, ମୁଖ୍ୟଭୂମିରୁ ସାଧୁ ବେଟ୍‌କୁ ସଂଯୋଗକାରୀ ସେତୁ, ଶ୍ରେଷ୍ଠ ଭାରତ ଭବନ ଏବଂ ଭବନରୁ ସ୍ମୃତିସ୍ଥଳକୁ ଚାରିଥାକିଆ ରାସ୍ତା ମଧ୍ୟ ତିଆରି ହେବ।

ଅକ୍ଟୋବର ୩୧ ତାରିଖ ଦିନ ସର୍ଦ୍ଦାର ପଟେଲ୍‌ଙ୍କର ୧୪୩ତମ ଜନ୍ମ ଦିବସ ପାଳନ କରାଯିବ। ୫ ବର୍ଷ ତଳେ ଅକ୍ଟୋବର ୧୩ ତାରିଖ ୨୦୧୩ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ଥିବା ବେଳେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ।

ସମ୍ବନ୍ଧିତ ଖବର