ଜମ୍ମୁ କାଶ୍ମୀର‌ରେ ଯୋଶୀମଠ ଭଳି ସ୍ଥିତି; ୧୯ ଘରେ ବିଶାଳକାୟ ଫାଟ, ଲୋକଙ୍କୁ ସ୍ଥାନାନ୍ତର କଲା ପ୍ରଶାସନ

ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀରରେ ଏବେ ଯୋଶୀମଠ ଭଳି ମାଟି ଦବିବା ସ୍ଥିତି ସାମ୍ନାକୁ ଆସିଛି। ଜମ୍ମୁ କାଶ୍ମୀର ଦୋଦା ଜିଲ୍ଲା ଅନ୍ତର୍ଗତ ଏକ ଗ୍ରାମରେ ପ୍ରାୟ ୧୯ଟି ଘରେ ବଡ଼ ଫାଟ ଦେଖାଦେଇଛି। ୧୯ ପରିବାରକୁ ସେମାନଙ୍କ ଘର ଛାଡ଼ି ଅନ୍ୟତ୍ର ସ୍ଥାନାନ୍ତର ହେବାକୁ ପଡ଼ିଛି। ଦୋଦାଠାରୁ ୩୫ କିମି ଦୂର ନଇ ବସ୍ତି ଗ୍ରାମରେ ମଧ୍ୟ କର୍ତ୍ତୃପକ୍ଷ ଏକ ମସଜିଦ ଏବଂ ଏକ ଧାର୍ମିକ ସ୍କୁଲକୁ ଅସୁରକ୍ଷିତ ଘୋଷଣା କରିଛନ୍ତି। ଗତ କିଛିଦିନ ତଳେ ଗ୍ରାମରେ କିଛି ଘରେ ଫାଟ ଦେଖା ଦେଇଥିଲା। କିନ୍ତୁ ଗୁରୁବାର ଭୂସ୍ଖଳନ ହେବାପରେ ଫାଟ ସୃଷ୍ଟି ହୋଇଥିବା ଘର ସଂଖ୍ୟା ୨୧କୁ ବୃଦ୍ଧି ପାଇଛି।

ଥାତ୍ରି ଏସଡିଏମ୍‌ ଅଥର୍‌ ଆମିନ ଜର୍‌ଗାର କହିଛନ୍ତି, ଆମେମାନେ ୧୯ ପ୍ରଭାବିତ ପରିବାରକୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିଛୁ। ଡିସିପି ଏବଂ ଏସ୍‌ପି ଘଟଣାସ୍ଥଳରେ ପହଞ୍ଚି ପ୍ରଭାବିତ ଲୋକଙ୍କୁ ସମସ୍ତ ସହଯୋଗ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେବେ କର୍ତ୍ତୃପକ୍ଷ ଏହାକୁ ଯୋଶୀମଠ ସ୍ଥିତି ସହ ଯୋଡ଼ିନାହାନ୍ତି। ଅଥର୍‌ ଆମିନ କହିଛନ୍ତି, ଆମେମାନେ ଭୂସ୍ଖଳନ ଏବଂ ‌ଚେନାବ ଭ୍ୟାଲି ପାୱାର ପ୍ରୋଜେକ୍ଟ ପାଇଁ ସମସ୍ୟା ସାମ୍ନା କରୁଛୁ। କିଛି ପରିବାରକୁ ଜିଲ୍ଲା ପ୍ରଶାସନ ଦ୍ବାରା ଗଠନ ହୋଇଥିବା ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ କିଛି ପରିବାର ‌ନିଜସ୍ବ ବ୍ୟବସ୍ଥାରେ ରହିଛନ୍ତି।। ଅସ୍ଥାୟୀ ଶିବିରରେ ଖାଦ୍ୟ ଏବଂ ବିଦ୍ୟୁତ ଯୋଗାଣ ସହ ସମସ୍ତ ପ୍ରକାର ସୁବିଧା କରାଯାଇଛି ବୋଲି ସେ କହିଛନ୍ତି। ଘର ଫାଟିଥିବା ଅଞ୍ଚଳରେ ରାସ୍ତାରେ ମଧ୍ୟ ଫାଟ ଦେଖିବାକୁ ମିଳିବା ପରେ ଆତଙ୍କ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର