ଆଜି ବଦଳିଯିବ ଜମ୍ମୁ-କଶ୍ମୀର ଭୂଗୋଳ : କେନ୍ଦ୍ର ଶାସିତ ଅଞ୍ଚଳ ହେବ ଜମ୍ମୁ-କଶ୍ମୀର ଏବଂ ଲଦାଖ, ୨ ଉପରାଜ୍ୟପାଳ ଶପଥ ନେବେ

ନୂଆଦିଲ୍ଲୀ : ଜମ୍ମୁ କଶ୍ମୀରର ଭୂଗୋଳ ଆସନ୍ତାକାଲି (ଗୁରୁବାର) ବଦଳି ଯିବ। ଜମ୍ମୁ କଶ୍ମୀର ରାଜ୍ୟ ବିଭାଜନ ହୋଇ ଜମ୍ମୁ-କଶ୍ମୀର ଏବଂ ଲଦାଖ୍‌ କେନ୍ଦ୍ର ଶାସିତ ଅଂଚଳ ହୋଇଯିବ। କୌଣସି ରାଜ୍ୟ କେନ୍ଦ୍ର ଶାସିତ ଅଂଚଳରେ ପରିବର୍ତ୍ତନ ହେବା ପ୍ରଥମ ଘଟଣା। ଜମ୍ମୁ କଶ୍ମୀର ବିଧାନସଭା ଥିବା କେନ୍ଦ୍ର ଶାସିତ ଅଂଚଳ ହେବାକୁ ଯାଉଥିବା ବେଳେ ଲଦାଖ୍‌ ବିନା ବିଧାନସଭାରେ କେନ୍ଦ୍ର ଶାସିତ ଅଂଚଳ ହେବ। ଉଭୟ ପ୍ରଦେଶ ପାଇଁ ଉପରାଜ୍ୟପାଳ ନିଯୁକ୍ତି ସଂକ୍ରାନ୍ତ ଘୋଷଣା ହୋଇସାରିଛି ଏବଂ ଗୁରୁବାର ଉଭୟ ଉପରାଜ୍ୟପାଳ ଶପଥ ଗ୍ରହଣ କରିବେ। ଜମ୍ମୁ କଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି ଗୀତା ମିତ୍ତଲ ପ୍ରଥମେ ଶ୍ରୀନଗରରେ ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ଉପରାଜ୍ୟପାଳ ଭାବେ ଶପଥ ପାଠ କରାଇବେ। ଏହା ପରେ ସେ ହେଲିକପ୍‌ଟରରେ ଲେହ ପହଞ୍ଚି ସେଠାରେ ରାଧାକୃଷ୍ଣ ମାଥୁରଙ୍କୁ ଲଦାଖ ଉପରାଜ୍ୟପାଳ ଭାବେ ଶପଥ ପାଠ କରାଇବେ।

ସଂସଦରେ ୬ ଅଗଷ୍ଟରେ ପାରିତ ହୋଇଥିବା ଜମ୍ମୁ କଶ୍ମୀର ପୁନର୍ଗଠନ ଆଇନ ୨୦୧୯ ଆଧାରରେ ଜମ୍ମୁ କଶ୍ମୀରରେ ୧୧୪ ଆସନ ବିଶିଷ୍ଟ ବିଧାନସଭା ରହିବ ଏବଂ ଏହା କେନ୍ଦ୍ର ଶାସିତ ଅଂଚଳ ପାଲଟିବ। ପୁନର୍ଗଠନ ସମାରୋହ ଶ୍ରୀନଗରରେ ହେବାକୁ ଥିବା ବେଳେ ଏଥିପାଇଁ ବ୍ୟାପକ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଛି । କେନ୍ଦ୍ର ସରକାର ଦେଶର ପ୍ରଥମ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଆସନ୍ତାକାଲି ହିଁ ଜମ୍ମୁ କଶ୍ମୀରର ପୁନର୍ଗଠନ କରିବା ନିଷ୍ପତ୍ତି କାର୍ଯ୍ୟକାରୀ କରିବେ। ଏହା ସହିତ ଜମ୍ମୁ କଶ୍ମୀର ଏବଂ ଲଦାଖ୍‌ରେ କେନ୍ଦ୍ର ସରକାରଙ୍କ ୧୦୬ଟି ଆଇନ ଲାଗୁ ହେବ।

ସମ୍ବନ୍ଧିତ ଖବର