ନୂଆଦିଲ୍ଲୀ: ପୁରୀରେ ଗ୍ରିନ୍ଫିଲ୍ଡ୍ ଏୟାର୍ପୋର୍ଟ ସ୍ଥାପନ ପାଇଁ ଏ ପର୍ଯ୍ୟନ୍ତ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ନିର୍ଦ୍ଧାରିତ ଢ଼ାଞ୍ଚାରେ (ପ୍ରୋଫର୍ମାରେ) ପ୍ରସ୍ତାବ ପାଇ ନାହିଁ ବୋଲି ଆଜି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରେମନ୍ତ୍ରୀ ଭି. କେ. ସିଂହ କହିଛନ୍ତି।
ପୁରୀରେ ପ୍ରସ୍ତାବିତ ‘ଗ୍ରିନ୍ଫିଲ୍ଡ୍ ଏୟାର୍ପୋର୍ଟ’ର ସ୍ଥିତି ସଂକ୍ରାନ୍ତରେ ରାଜ୍ୟସଭା ସାଂସଦ ଡକ୍ଟର୍ ପ୍ରଶାନ୍ତ ନନ୍ଦଙ୍କ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରେମନ୍ତ୍ରୀ ଉପରୋକ୍ତ ଉତ୍ତର ଦେଇଛନ୍ତି।
ଡକ୍ଟର ନନ୍ଦ ଆହୁରି ମଧ୍ୟ ପଚାରିଥିଲେ ଯେ, ଗ୍ରିନ୍ଫିଲ୍ଡ୍ ବିମାନବନ୍ଦର ସ୍ଥାପନ ନିମନ୍ତେ ରାଜ୍ୟ ସରକାର ଚିହ୍ନିତ କରିଥିବା ଜମିର ‘ପ୍ରି-ଫିଜିବିଲିଟି ଷ୍ଟଡି’ ପାଇଁ ‘ଏଏଆଇ’ର ‘ମଲ୍ଟି ଡିସିପ୍ଲିନାରି ଟିମ୍’ ୨୦୨୧ ଜୁନ୍ରେ ପୁରୀ ଗସ୍ତ କରିଥିଲେ କି, ନାହିଁ? ଯଦି ଯାଇଥିଲେ ‘ମଲ୍ଟି ଡିସିପ୍ଲିନାରି ଟିମ୍’ ରିପୋର୍ଟର ବିସ୍ତୃତ ବିବରଣୀ ଦିଆଯାଉ।
ଏହାର ଉତ୍ତର ଦେବାକୁ ଯାଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ କହିଥିଲେ, ଓଡ଼ିଶା ସରକାରଙ୍କ ଅନୁରୋଧକ୍ରମେ ‘ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ’ର ‘ମଲ୍ଟି ଡିସିପ୍ଲିନାରି ଟିମ୍’ ଜମିର ‘ପ୍ରି-ଫିଜିବିଲିଟି ଷ୍ଟଡି’ ପାଇଁ ‘ଏଏଆଇ’ର ‘ମଲ୍ଟି ଡିସିପ୍ଲିନାରି ଟିମ୍’ ୨୦୨୧ ଜୁନ୍ରେ ପୁରୀ ଗସ୍ତ କରିଥିଲେ।
୨୦୨୧ ଅଗଷ୍ଟ ୫ ତାରିଖ ଦିନ ସେମାନଙ୍କ ରିପୋର୍ଟ ଓଡ଼ିଶା ସରକାରଙ୍କୁ ପ୍ରଦାନ କରାଯାଇଛି। ରିପୋର୍ଟ ଅନୁସାରେ, ଗ୍ରିନ୍ଫିଲ୍ଡ୍ ଏୟାର୍ପୋର୍ଟ ସ୍ଥାପନ ପାଇଁ ଚିହ୍ନିତ ସ୍ଥାନରେ ସବୁ ଠିକ୍ଠାକ୍ ରହିଛି। ବିମାନ ବନ୍ଦର ପ୍ରକଳ୍ପ ପ୍ରବର୍ତ୍ତନ ପାଇଁ ଭାରତ ସରକାରଙ୍କଠାରୁ ଆବଶ୍ୟକ ଅନୁମୋଦନ ହାସଲ କରିବା ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରୁଛି। କିନ୍ତୁ, ଏ ପର୍ଯ୍ୟନ୍ତ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏ ସଂକ୍ରାନ୍ତରେ ନିର୍ଦ୍ଧାରିତ ପ୍ରୋଫର୍ମାରେ କୌଣସି ପ୍ରସ୍ତାବ ପାଇନାହିଁ।