ନୂଆଦିଲ୍ଲୀ: ‘ଭାରତ ଯୋଡ଼ୋ ଯାତ୍ରା’ ଅବସରରେ ରାହୁଲ୍ ଗାନ୍ଧୀ ବୁଧବାର ଦିନ ପୁଣି ସେନାର ‘ଅଗ୍ନିପଥ’ ଯୋଜନାକୁ ସମାଲୋଚନା କରି କହିଛନ୍ତି, ଚାକିରିକାଳ ୪ ବର୍ଷକୁ ସୀମିତ କରି ମୋଦୀ ସରକାର ସେନା କର୍ମଚାରୀଙ୍କ ପେନ୍ସନ୍ ନେଇ ଯାଇଛି।
ବାଗପତ-ଶାମିଲ ସୀମାନ୍ତ ଅନ୍ତର୍ଗତ ବାରୌତ୍ଠାରେ ଆୟୋଜିତ ପଥପ୍ରାନ୍ତ ସଭାରେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯୁବାମାନେ ଏହି କାର୍ଯ୍ୟକ୍ରମ ବିରୋଧରେ ପ୍ରତିବାଦ କରିବାରୁ ‘ବିଜେପି’ କହିଲା ଯେ, ପ୍ରତିବାଦ କରୁଥିବା ବେଳେ ଯେଉଁମାନେ ଧରାପଡ଼ିବେ ଭବିଷ୍ୟତରେ ସେମାନେ ସରକାରୀ ଚାକିରି ପାଇଁ ଯୋଗ୍ୟ ବିବେଚିତ ହେବେନାହିଁ।
ରାହୁଲ୍ ଗାନ୍ଧୀ କହିଛନ୍ତି, ପୂର୍ବରୁ ଯୁବାମାନେ ସେନାରେ ୧୫ ବର୍ଷ ଚାକିରି କରି ପେନ୍ସନ୍ ପାଉଥିଲେ। କିନ୍ତୁ, ନରେନ୍ଦ୍ର ମୋଦୀ ପେନ୍ସନ୍ ନ ଦେବାକୁ ବିଚାର କଲେ। ତେଣୁ, ଯୁବାମାନଙ୍କୁ ୬ ମାସ ତାଲିମ ଦେଇ ବନ୍ଧୁକ ଧରାଇ ୪ ବର୍ଷ ରଖିବେ ଓ ଛଟେଇ କରିଦେବେ। ତା’ପରେ ଆପଣ ବେକାର ହୋଇଯିବେ। ଏହା ହିଁ ନବ ଭାରତ।
ଦିଲ୍ଲୀର କାଲୁଆ ଜାଡ଼ରେ ଟି-ସାର୍ଟ ପିନ୍ଧିବା ପ୍ରସଙ୍ଗରେ ସେ ପୁଣି କହିଛନ୍ତି, ଟି-ସାର୍ଟ ପିନ୍ଧି ମୁଁ ‘ଭାରତ ଯୋଡ଼ୋ ଯାତ୍ରା’ରେ ଚାଲୁଛି। ଗରିବ କୃଷକ ଏବଂ ଶ୍ରମିକମାନଙ୍କର ଅନେକ ପିଲା ଚିରାଫଟା ପୋଷାକ ପିନ୍ଧି ମୋ ସହିତ ଯାତ୍ରାରେ ଚାଲୁଛନ୍ତି। ଶୀତରେ ଗରିବ କୃଷକ ଓ ଶ୍ରମିକମାନଙ୍କର ପିଲାମାନେ କାହିଁକି ସ୍ବେଟର୍/ଜ୍ୟାକେଟ୍ ପିନ୍ଧି ଚାଲୁ ନାହାନ୍ତି, ତାହା ଗଣମାଧ୍ୟମ ପଚାରୁ ନାହିଁ।
ସୂଚନାଯୋଗ୍ୟ, ମଙ୍ଗଳବାର ଅପରାହ୍ଣରେ ଦିଲ୍ଲୀସ୍ଥିତ ମାର୍ଘାଟ୍ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା ଶେଷ କରି ରାହୁଲ୍ ଗାନ୍ଧୀ ‘ଭାରତ ଯୋଡ଼ୋ ଯାତ୍ରା’କୁ ଉତ୍ତର ପ୍ରଦେଶ ଚରଣ ଆରମ୍ଭ କରିଥିଲେ। ଅର୍ଥାତ୍ ଯାତ୍ରା ଗତକାଲି ଉତ୍ତର ପ୍ରଦେଶରେ ପ୍ରବେଶ କରିଥିଲା।