ଗୁରୁଗ୍ରାମ: ୪୦ ଲକ୍ଷ ଟଙ୍କାର କାରରେ ଆସିଲେ ଆଉ ଅତିଥିଙ୍କୁ ସ୍ୱାଗତ ପାଇଁ ରଖାଯାଇଥିବା ଫୁଲକୁଣ୍ଡ ବୋହିନେଲେ | ଦିଲ୍ଲୀ ନିକଟରେ ଥିବା ଗୁରୁଗ୍ରାମରେ ଫୁଲକୁଣ୍ଡ ଚୋରିର ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି | ମିଳିଥିବା ସୂଚନା ମୁତାବକ ଆସନ୍ତା ମାର୍ଚ୍ଚ ୧ ରୁ ୪ ପର୍ଯ୍ୟନ୍ତ ଗୁରୁଗ୍ରାମରେ ଜି୨୦ ସମ୍ମିଳନୀ ଆୟୋଜିତ ହେବ | ଏହି କାର୍ଯ୍ୟକ୍ରମରେ ୩୯ଟି ଦେଶର ପ୍ରତିନିଧି ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି। ତେବେ କାର୍ଯ୍ୟକ୍ରମ ପୂର୍ବରୁ ସହରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକ କାର୍ଯ୍ୟ କରାଯାଉଛି | ଏହି କ୍ରମରେ, ଜି-୨୦ ସମ୍ମିଳନୀ ପାଇଁ ଦିଲ୍ଲୀ ନିକଟରେ ଥିବା ଗୁରୁଗ୍ରାମରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଫୁଲକୁଣ୍ଡ ରଖାଯାଇଥିଲା | ତେବେ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦୁଇଜଣ ବ୍ୟକ୍ତି ଦାମୀ କାରରେ ଆସି ଫୁଲକୁଣ୍ଡ ଚୋରି କରି ନେଇଯାଉଥିବାର ଦେଖିବାକୁ ମିଳିଛି |
ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓ ପୋଷ୍ଟ କରିଥିବା ବ୍ୟକ୍ତି ଜଣକ ସୂଚନା ଦେଇ କହିଛନ୍ତି ଯେ ଏହି ବ୍ୟକ୍ତିମାନେ କିଆ କାର୍ଣ୍ଣିଭାଲ କାରରେ ଆସିଥିଲେ ଯାହାର ଦାମ ପ୍ରାୟ ୪୦ ଲକ୍ଷ ଟଙ୍କା | ଏହି ବ୍ୟକ୍ତିମାନେ ଗୁରୁଗ୍ରାମର ଶଙ୍କର ଛକରୁ ପ୍ରଶାସନ ରଖିଥିବା ଫୁଲକୁଣ୍ଡ ଚୋରି କରି ନେଇ ପଳାଇଥିଲେ | ଏହି ପ୍ରସଙ୍ଗରେ ଗୁରୁଗ୍ରାମ ମହାନଗର ନିଗମ ଉନ୍ନୟନ ପ୍ରାଧିକରଣର ଯୁଗ୍ମ ସିଇଓ ଏସ.କେ ଚହଲ କହିଛନ୍ତି ଯେ ଏହା ଆମ ନଜରକୁ ଆସିଛି ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ଏହି ଚୋରିକୁ ନେଇ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ଲୋକମାନେ ଏହି ଦୁଇ ବ୍ୟକ୍ତିଙ୍କୁ ସମାଲୋଚନା କରିବାରେ ଲାଗିପଡିଛନ୍ତି | କେବଳ ଦାମୀ କାର ଚଢିଲେ ହିଁ ଜଣେ ଧନୀ ହୋଇଯାଇନଥାଏ ବରଂ ମାନସିକତା ଉଚ୍ଚକୋଟୀର ହେବାର ଆବଶ୍ୟକତା ଅଛି ବୋଲି ୟୁଜର୍ସ କହିଛନ୍ତି |