ୱାସିଂଟନ୍: ରୁଷ୍ର ବିଶାଳ ସାମରିକ ବାହିନୀ ଏବେ ୟୁକ୍ରେନ୍ ସୀମାରେ ଯୁଦ୍ଧାଭ୍ୟାସ ଜାରି ରଖିଥିବାରୁ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଛି। ତେବେ ଉତ୍ତେଜନା ହ୍ରାସ ପାଇଁ ଆମେରିକା ଓ ଅନ୍ୟ ରାଷ୍ଟ୍ରମାନେ ଲଗାତାର ପ୍ରୟାସ ଜାରି ରଖିଛନ୍ତି । ଆଜି ଆମେରିକା ବିଦେଶ ମନ୍ତ୍ରୀ ଏଣ୍ଟୋନି ବ୍ଲିଙ୍କେନ ଏବଂ ରୁଷ୍ ବିଦେଶ ମନ୍ତ୍ରୀ ସର୍ଜଇ ଲାଭ୍ରୋଙ୍କ ମଧ୍ୟରେ ବିସ୍ତୃତ ଆଲୋଚନା ହୋଇଛି। ୟୁକ୍ରେନ୍କୁ ନେଇ ଆମେରିକା ଓ ଅନ୍ୟ ରାଷ୍ଟ୍ରମାନଙ୍କ ଦ୍ବାରା ଚାଲିଥିବା କୂଟନୈତିକ ସମାଧାନ ପ୍ରୟାସକୁ ରୁଷ୍ ଏବେ ସକରାତ୍ମକ ଭାବେ ଗ୍ରହଣ କରିଥିବା କୁହାଯାଉଛି। ଅନ୍ୟପକ୍ଷରେ ଆମେରିକା ୟୁକ୍ରେନ୍ର କିବ୍ ଦୁତାବାସ ଖାଲି କରିବା ପ୍ରକ୍ରିୟା ଆରମ୍ଭ କରିଛି। ୟୁକ୍ରେନ୍ ଉପରେ ରୁଷ୍ ଆକ୍ରମଣ କରିବା ପାଇଁ ସମସ୍ତ ପ୍ରସ୍ତୁତି କରିଛି ଏବଂ ପରମାଣୁ ଯୁଦ୍ଧାଭ୍ୟାସ ମଧ୍ୟ ଆରମ୍ଭ କରିଛି ବୋଲି ଏକ ଗୁଇନ୍ଦା ରିପୋର୍ଟରୁ ଜଣାପଡ଼ିଛି। ୟୁକ୍ରେନ୍ ସୀମାରେ ରୁଷ୍ ଏହାର ସୈନ୍ୟ ସଂଖ୍ୟା ଏବଂ ଭାରୀ ଯୁଦ୍ଧାସ୍ତ୍ର ମୁତୟନ ବଢ଼ାଇ ଚାଲିଛି। ଏହାର ଶକ୍ତିଶାଳୀ ବୋମାବର୍ଷୀ ବିମାନଗୁଡ଼ିକ ୟୁକ୍ରେନ୍ ବାୟୁସୀମାରେ ତୁହାକୁ ତୁହ ଉଡ଼ାଣ କରି କମ୍ପନ ସୃଷ୍ଟି କରିଛନ୍ତି।
ଯଦି ୟୁକ୍ରେନ୍ ଉପରେ ରୁଷ୍ ଆକ୍ରମଣ କରେ ତେବେ ଏରିଏଲ୍ ବମ୍ବିଂ କ୍ଷେପଣାସ୍ତ୍ର ଆକ୍ରମଣ ଦ୍ବାରା ଏହା ଆରମ୍ଭ ହୋଇପାରେ। ଏହାଦ୍ବାରା ଅନେକ ସାଧାରଣ ନାଗରିକଙ୍କ ମୃତ୍ୟୁ ହେବା ଆଶଙ୍କା ରହିଛି। ତେଣୁ ୟୁକ୍ରେନ୍ରେ ଥିବା ସମସ୍ତ ଆମେରିକୀୟ ୨୪ରୁ ୪୮ ଘଣ୍ଟା ମଧ୍ୟରେ ୟୁକ୍ରେନ୍ ଛାଡ଼ିବାପାଇଁ ବିଭିନ୍ନ ରାଷ୍ଟ୍ର ନିର୍ଦ୍ଦେଶ ଦେଇଛି। ଶୀତଳ ଯୁଦ୍ଧ ଶେଷ ପରଠାରୁ ପାଶ୍ଚାତ୍ୟ ରାଷ୍ଟ୍ର ଏବଂ ରୁଷ୍ ମଧ୍ୟରେ ଥିବା ଜଟିଳ ସଙ୍କଟ ସଂକ୍ରାନ୍ତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍, ୬ ୟୁରୋପୀୟ ନେତା ନାଟୋ ଏବଂ ୟୁରୋପୀୟ ସଂଘର ମୁଖ୍ୟ ଆଲୋଚନା କରିଛନ୍ତି।
ରୁଷ୍-ୟୁକ୍ରେନ୍ ବିବାଦର ଭିତ୍ତି
ୟୁକ୍ରେନ୍କୁ ଏକ ସ୍ବତନ୍ତ୍ର ରାଷ୍ଟ୍ର ଭାବେ ଗ୍ରହଣ କରିବାକୁ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବେ ପ୍ରସ୍ତୁତ ନାହାନ୍ତି। ଯେତେବେଳେ ୯୦ ଦଶକ ପ୍ରାରମ୍ଭରେ ସୋଭିଏତ୍ ୟୁନିଅନ୍ ଭାଙ୍ଗିଗଲା, ସେତେବେଳେ ପୂର୍ବତନ ସୋଭିଏତ ୟୁନିଅନ୍ରେ ଥିବା ୟୁକ୍ରେନ୍ରେ ବିଶ୍ବର ତୃତୀୟ ବୃହତ୍ତମ ପରମାଣୁ ଅସ୍ତ୍ର ଭଣ୍ଡାର ରହିଥିଲା। ଆମେରିକା ଏବଂ ରୁଷ୍ ୟୁକ୍ରେନକୁ ପରମାଣୁ ଅସ୍ତ୍ରମୁକ୍ତ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିଥିଲେ ଏବଂ କୂଟନୈତିକ ଚୁକ୍ତିନାମା ଅନୁଯାୟୀ ଶତାଧିକ ପରମାଣୁ ଅସ୍ତ୍ରକୁ ୟୁକ୍ରେନ୍ ରୁଷ୍କୁ ଫେରାଇଥିଲା। ଏହା ବଦଳରେ ରୁଷ୍ ଭବିଷ୍ୟତରେ ୟୁକ୍ରେନ୍ ଉପରେ ଆକ୍ରମଣ କରିବ ନାହିଁ ବୋଲି ଗ୍ୟାରେଣ୍ଟି ଚାହିଁଥିଲା। ତେବେ ୨୦୧୪ରେ ରୁଷ୍ ୟୁକ୍ରେନ୍ ଉପରେ ଆକ୍ରମଣ କରି କ୍ରିମିଆ ଅଞ୍ଚଳ ଦଖଲ କରିନେଲା। ଏବେ ୟୁକ୍ରେନ୍ ଆମେରିକା ଏବଂ ୟୁରୋପୀୟ ସଂଘ ସହ ନିକଟତର ହୋଇ ନିଜର ଶକ୍ତି ବୃଦ୍ଧି କରିବା ସହ ରୁଷ୍ ପାଇଁ ନୂଆ ଚ୍ୟାଲେଂଜ ସୃଷ୍ଟି କରିଛି। ଏହାର ମୁକାବିଲା ପାଇଁ ରୁଷ୍ ରାଷ୍ଟ୍ରପତି ପୁଟିନ ୟୁକ୍ରେନ୍କୁ ଦଖଲ କରିନେବାକୁ ଯୋଜନା କରିଥିବା କୁହାଯାଉଛି। ପ୍ରାୟ ୧ ଲକ୍ଷ ୨୦ ହଜାର ରୁଷ୍ ସୈନିକ ୟୁକ୍ରେନ୍ ସୀମାରେ ଠୁଳ ହୋଇଛନ୍ତି। ଗତବର୍ଷ ପୁଟିନ ରୁଷ୍ ଏବଂ ୟୁକ୍ରେନ୍ ଗୋଟିଏ ରାଷ୍ଟ୍ର ବୋଲି ଘୋଷଣା କରିବା ସହ ଆମେରିକା, ନାଟୋ ଏବଂ ୟୁରୋପୀୟ ସଂଘକୁ ମାମଲାରୁ ଦୂରେଇ ରହିବାକୁ କହିଥିଲେ।