ଷ୍ଟେରୋଇଡ୍‌ ଦୁରୁପଯୋଗ ବ୍ଲାକ୍‌ ଫଙ୍ଗସ୍‌ ବଢ଼ାଉଛି

ଦୁଇ ମାସରେ ଟିକା ସଂକଟ ଦୂର ହେବ: ଗୁଲେରିଆ

ନୂଆଦିଲ୍ଲୀ: କରୋନା ରୋଗୀଙ୍କଠାରେ ମ୍ୟୁକୋର୍ମାଇକୋସିସ୍‌ ବା ବ୍ଲାକ୍ ଫଙ୍ଗସ ସଂକ୍ରମଣ ବଢ଼ିବା ଏବେ ଚିନ୍ତାର କାରଣ ହୋଇଛି। ଏହି ପରୀପ୍ରେକ୍ଷୀରେ ନୂଆଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌ସ)ର ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ ଆଜି କହିଛନ୍ତି ଯେ ବିଭିନ୍ନ ଷ୍ଟେରୋଇଡ୍‌ର ଦୁରୁପଯୋଗ ଏବଂ ଡାକ୍ତରଙ୍କ ବିନା ପରାମର୍ଶରେ ଏହା ଗ୍ରହଣ କରିବା ବିପଜ୍ଜନକ ହୋଇଛି। ଅନ୍ୟ ଗୁରୁତର ସ୍ବାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଥିବା କରୋନା ପଜିଟିଭ୍‌ ରୋଗୀଙ୍କ କ୍ଷେତ୍ରରେ ଷ୍ଟେରୋଇଡ୍‌ର ଭୁଲ୍‌ ପ୍ରୟୋଗ ବ୍ଲାକ୍ ଫଙ୍ଗସ ସମସ୍ୟା ବଢ଼ାଉଛି ବୋଲି ସେ ସତର୍କ କରାଇ ଦେଇଛନ୍ତି। ଭାରତରେ ଏବେ କରୋନା ଟିକାର ଘୋର ଅଭାବ ରହିଛି।

ଏ ଦିଗରେ ବ୍ୟାପକ ସତର୍କତା ଅବଲମ୍ବନ ଜରୁରୀ ବୋଲି ସେ କହିଛନ୍ତି। ଦେଶର ଟିକା ସଂକଟ ଆସନ୍ତା ଦୁଇମାସରେ ଦୂର ହୋଇଯିବ ବୋଲି ଗୁଲେରିଆ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଭାରତରେ ଆସନ୍ତା ଦୁଇମାସରେ ଟିକା ପର୍ଯ୍ୟାପ୍ତ ମାତ୍ରାରେ ଉପଲବ୍ଧ ହେବାର କାରଣ ହେଲା ଟିକା ନିର୍ମାତାମାନେ ଏହି ସମୟ ମଧ୍ୟରେ ଆମ ଦେଶରେ ଟିକା ଉତ୍ପାଦନ ଆରମ୍ଭ କରିଦେବେ। ଏଥିସହିତ ବିଦେଶରୁ ମଧ୍ୟ ଟିକା ଆମଦାନି ଜାରି ରହିବ। ତେବେ ଗୁଲେରିଆ ଏହା ସ୍ବୀକାର କରିଛନ୍ତି ଯେ, ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଟିକାର ଅଭାବ ସବୁବେଳେ କିଛି ନା କିଛି ମାତ୍ରାରେ ରହିବ। ଡାକ୍ତର ଗୁଲେରିଆ କହିଛନ୍ତି, ଭାରତରେ କୋଭିସିଲ୍‌ଡ, କୋଭାକ୍ସିନ ଏବଂ ସ୍ପୁଟନିକ୍‌ ଭି ଟିକା ଅଧିକରୁ ଅଧିକ ସଂଖ୍ୟାରେ ଉପଲବ୍ଧ ହୋଇପାରିବ। ଭାରତରେ ସ୍ପୁଟନିକ୍ ଭି ଟିକା ଉତ୍ପାଦନ ପାଇଁ ରୁଷିଆ କମ୍ପାନି ଦେଶର ବିଭିନ୍ନ କମ୍ପାନି ସହିତ କଥାବାର୍ତ୍ତା ଚଳାଇଛି। ଏଥିସହିତ କୋଭିସିଲ୍‌ଡ ଏବଂ କୋଭାକ୍ସିନ ଟିକା ଉତ୍ପାଦନ ପାଇଁ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ଭାରତ ବାୟୋଟେକ୍‌ ନୂଆ ପ୍ଲାଣ୍ଟ ବସାଇବା କାମ ଆରମ୍ଭ କରିଛନ୍ତି। ଜୁଲାଇ, ଅଗଷ୍ଟ ସୁଦ୍ଧା ଆମ ନିକଟରେ ଅଧିକ ପରିମାଣରେ ଟିକା ଉପଲବ୍ଧ ହେବ ବୋଲି ଗୁଲେରିଆ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ସମ୍ବନ୍ଧିତ ଖବର