ନୂଆଦିଲ୍ଲୀ: କରୋନା ମୃତ୍ୟୁ ସଂଖ୍ୟା କମାଇବ ଷ୍ଟେରୋଏଡ। ଏବେ କରୋନା ରୋଗୀଙ୍କ ଚିକିତ୍ସାରେ ଷ୍ଟେରୋଏଡ ବ୍ୟବହାର କରାଯାଇପାରିବ। ନୂତନ ଅଧ୍ୟୟନ ନିଶ୍ଚିତ କରିଛି ଯେ, ଭିନ୍ନ ଭିନ୍ନ ପ୍ରକାରର ଷ୍ଟେରୋଏଡ ଗୁରୁତର ଅସୁସ୍ଥ କୋଭିଡ-୧୯ ରୋଗୀଙ୍କ ପାଇଁ ଲାଭଦାୟକ ହେଉଛି । ଏହା ଦ୍ବାରା ଗୁରୁତର କରୋନା ରୋଗୀଙ୍କ ମୃତ୍ୟୁ ଆଶଙ୍କା ୨୦ପ୍ରତିଶତ କମ ହୋଇଯାଇଥାଏ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ପରିଚାଳିତ ଏବଂ ଆମେରିକୀୟ ମେଡିକାଲ୍ ଆସୋସିଏସନ୍ ଜର୍ଣ୍ଣାଲ୍ ଦ୍ୱାରା ବୁଧବାର ପ୍ରକାଶିତ ସାତଟି ଅଧ୍ୟୟନରୁ ମିଳିଥିବା ଫଳାଫଳଗୁଡିକର ବିଶ୍ଳେଷଣରୁ ଜଣାପଡିଛି ଯେ, ଅତିରିକ୍ତ ଅମ୍ଲଜାନ ଦରକାର କରୁଥିବା କୋଭିଡ୍ ରୋଗୀଙ୍କୁ ଷ୍ଟେରୋଏଡ ଦିଆଯିବା ଫଳରେ ଚିକିତ୍ସାର ପ୍ରଥମ ମାସରେ ମୃତ୍ୟୁର ଆଶଙ୍କା ପ୍ରାୟ ଏକ ତୃତୀୟାଂଶ ହ୍ରାସ ହେଉଛି | ଅତିରିକ୍ତ ଅମ୍ଳଜାନ ଆବଶ୍ୟକ କରୁଥିବା ଗୁରୁତର ଅସୁସ୍ଥ ରୋଗୀମାନଙ୍କ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହୋଇଛି। ପ୍ଲାସେବୋ ଚିକିତ୍ସା କିମ୍ବା ପ୍ରଚଳିତ ଚିକିତ୍ସା ତୁଳନାରେ ଏହା ଅଧିକ ଲାଭଦାୟକ।
ଷ୍ଟେରଏଡ ଔଷଧ ଶସ୍ତା, ବହୁଳ ଭାବରେ ଉପଲବ୍ଧ ଏବଂ ଦଶନ୍ଧି ଦଶନ୍ଧି ଧରି ବ୍ୟବହୃତ ହୋଇଆସୁଛି | ଷ୍ଟେରଏଡ ଶରୀରରେ ପ୍ରଦାହକୁ ହ୍ରାସ କରେ, ଯାହା ବେଳେବେଳେ କରୋନାଭାଇରସ୍ ରୋଗୀଙ୍କଠାରେ ଦେଖାଯାଏ । କାରଣ ସଂକ୍ରମଣ ପ୍ରତିରୋଧ ପାଇଁ ଶରୀରର ପ୍ରତିରକ୍ଷା ପ୍ରଣାଳୀ ଅତ୍ୟଧିକ ମାତ୍ରାରେ ସକ୍ରିୟ ରହିଥାଏ | ଏହି ପ୍ରକ୍ରିୟା ଫୁସଫୁସକୁ କ୍ଷତି ପହଞ୍ଚାଇଥାଏ ଏବଂ ରୋଗୀର ମୃତ୍ୟୁ ମଧ୍ୟ ହୋଇଯାଇଥାଏ |
/sambad/media/post_attachments/7ef602688c448ed71524cbc4f76026e9a74a40a1a739e894c03713cba05c514c.jpg)
ପିଟ୍ସବର୍ଗର ୬୧ବର୍ଷିୟ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ମାର୍କ ଶାନନଙ୍କୁ ୧୧ଦିନ ଭେଣ୍ଟିଲେଟରରେ ରଖାଯାଇଥିଲା। କରୋନା ଆକ୍ରାନ୍ତ ଥିବା ମାର୍କ ଶାନନଙ୍କୁ ଅଧ୍ୟୟନରେ ସାମିଲ କରାଯାଇ ଷ୍ଟେରୋଏଡ ହାଇଡ୍ରୋକୋର୍ଟିସୋନ ଦିଆଯାଇଥିଲା, ଯାହାର କିଛି ଦିନ ପରେ ସେ ସୁସ୍ଥ ହୋଇଥିଲେ। ଭେଣ୍ଟିଲେଟରରେ ଏତେ ଦିନ ରହି ସୁସ୍ଥ ହେବା ଏତେ ସହଜ ନୁହେଁ ବୋଲି କହିବା ସହ ଷ୍ଟେରୋଏଡ ପାଇଁ ତାଙ୍କ ଜୀବନ ବଞ୍ଚିଥିବା କହିଛନ୍ତି ମାର୍କ ଶାନନ।
ଅଧ୍ୟୟନ ପରେ ହୁ ବୁଧବାର ଚିକିତ୍ସା ପରାମର୍ଶ ଜାରି କରି ଗୁରୁତର କୋଭିଡ୍୧୯ ରୋଗୀଙ୍କ ପାଇଁ ଷ୍ଟେରଏଡକୁ ସୁପାରିଶ କରିଛି ଏବଂ ଗୁରୁତର ନଥିବା ରୋଗୀମାନଙ୍କ ପାଇଁ ଏହାକୁ ବ୍ୟବହାର ନ କରିବାକୁ ପରାମର୍ଶ ଦେଇଛି |