ମୁମ୍ବାଇ ଉପକୂଳରେ ଫସିଥିବା ଜାହାଜ ପି୩୦୫ରୁ ଏପର୍ୟ଼୍ୟନ୍ତ ୧୮୦ ଉଦ୍ଧାର, ଏବେବି ନିଖୋଜ ଅଛନ୍ତି ୮୧ ଜଣ

ମୁମ୍ବାଇ : ଗତ କାଲି ସାମୁଦ୍ରିକ ବାତ୍ୟା ତୌତେ ପ୍ରଭାବରେ ବମ୍ବେ ଉପକୂଳରେ ବୁଡ଼ିଯ଼ାଇଥିବା ବାର୍ଜ (ପି୩୦୫) (ସମତଳ ପୃଷ୍ଠ ଥିବା ସ୍ବତନ୍ତ୍ର ଜାହଜ)ରୁ ଏପର୍ୟ଼୍ୟନ୍ତ ୧୮୦ ଜଣଙ୍କୁ ଉଦ୍ଧାର କରାଯ଼ାଇଥିବାବେଳେ ଆହୁରି ୮୧ ଜଣ ନିଖୋଜ ଅଛନ୍ତି । ସେମାନଙ୍କୁ ଉଦ୍ଧାର କରିବାକୁ ଭାରତୀୟ ନୌସେନା ଓ କୋଷ୍ଟଗାର୍ଡ ପକ୍ଷରୁ ଉଦ୍ୟମ ଜାରି ରହିଛି ।
ଗତକାଲି ବାତ୍ୟା ତୌତେ ଯ଼ୋଗୁଁ ସୃଷ୍ଟ ପ୍ରବଳ ସାମୁଦ୍ରିକ ଜୁଆର ଓ ପବନ ଯ଼ୋଗୁଁ ମୁମ୍ବାଇଠାରୁ ପ୍ରାୟ ୧୭୫ କିଲୋମିଟର ସମୁଦ୍ର ମଧ୍ୟରେ ଥିବା ଓଏନଜିସିର ତୈଳ କୂପ ବମ୍ବେ ହାଇ ନିକଟରେ ଏହି ବାର୍ଜଟି ବୁଡ଼ିଯ଼ାଇଥିଲା । ଏଥିରେ ପ୍ରାୟ ୨୭୩ ଲୋକ ଥିଲେ । ସେମାନେ ସମୁଦ୍ର ମଝିରେ ଥିବା ଓଏନଜିସି ତୈଳ ପ୍ରକଳ୍ପରେ କାମ କରୁଥିଲେ ।
ଗତକାଲି ଏହି ଦୁର୍ଘଟଣା ଘଟିବା ପରେ ନୌସେନା ଓ କୋଷ୍ଟଗାର୍ଗ ପକ୍ଷରୁ ତୁରନ୍ତ ତଲାସୀ ଅଭିଯ଼ାନ ଆରମ୍ଭ ହୋଇଥିଲା । କିନ୍ତୁ ଖରାପ ପାଗ ଯ଼ୋଗୁଁ ଏଥିରେ ବିଶେଷ ଅଗ୍ରଗତି ହୋଇପାରିନଥିଲା । ତେବେ ଆଜି ସକାଳେ ପାଗ ଭଲ ରହିବା ଯ଼ୋଗୁଁ ତଲାସୀ ଅଭିଯ଼ାନରେ ଅଗ୍ରଗତି ହୋଇଥିଲା । ନୌସେନାର ହେଲିକାପ୍ଟର ଓ ସ୍ବତନ୍ତ୍ର ବିମାନ ଦ୍ବାରା ମଧ୍ୟ ଆକାଶମାର୍ଗରୁ ସନ୍ଧାନ କରାଯ଼ାଉଛି ।

ସମ୍ବନ୍ଧିତ ଖବର