ଏନ୍‌ସିଆର୍‌ବି ରିପୋର୍ଟ : ଏବେ ବି ନିଖୋଜ ଅଛନ୍ତି ଓଡ଼ିଶାର ୨୬,୩୮୯

ନୂଆଦିଲ୍ଲୀ : ନିଖୋଜ ହୋଇଥିବା ଓଡ଼ିଶାର ୨୬,୩୮୯ ଜଣଙ୍କୁ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇନାହିଁ। ସେମାନଙ୍କ ମଧ୍ୟରେ ୨୨,୩୭୬ ଜଣ ବ୍ୟକ୍ତି ଥିବାବେଳେ ୪,୦୧୩ ଜଣ ଶିଶୁ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଉଦ୍ଧାର ହୋଇନଥିବା ନିଖୋଜ ବ୍ୟକ୍ତିମାନଙ୍କର ସଂଖ୍ୟା ତାଲିକାରେ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ପରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି। ନିକଟରେ ପ୍ରକାଶିତ ନ୍ୟାସ୍‌ନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି)ର କ୍ରାଇମ୍ ଇନ୍ ଇଣ୍ଡିଆ-୨୦୧୯ ରିପୋର୍ଟରୁ ଏହା ଜଣାପଡ଼ିଛି।

ରିପୋର୍ଟ ଅନୁସାରେ, ମହାରାଷ୍ଟ୍ରରେ ୫୭୪୯୭ ଜଣ ଓ ମଧ୍ୟପ୍ରଦେଶରେ ୫୦୮୧୬ ଜଣ ନିଖୋଜ ବ୍ୟକ୍ତି ଉଦ୍ଧାର ହୋଇନାହାନ୍ତି। ୨୦୧୯ ମସିହାରେ ଓଡ଼ିଶାରେ ମହିଳା ଓ ପୁରୁଷଙ୍କ ମୋଟ ନିଖୋଜ ସଂଖ୍ୟା ଥିଲା ୨୭, ୭୧୫। ଏଥିରେ ମହିଳାଙ୍କ ସଂଖ୍ୟା ୨୧,୫୬୯ ଥିବାବେଳେ ପୁରୁଷଙ୍କ ସଂଖ୍ୟା ରହିଥିଲା ୬,୧୪୬। ଏହି ବର୍ଷ ଓଡ଼ିଶାରେ ମୋଟ ୫୩୩୯ ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଥିଲା। ସେମାନଙ୍କ ମଧ୍ୟରେ ଥିଲେ ୪୧୦୪ ଜଣ ମହିଳା ଓ ୧୨୩୫ ଜଣ ପୁରୁଷ। ଏନ୍‌ସିଆର୍‌ବି ରିପୋର୍ଟ ଅନୁସାରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କରେ ମୋଟ ୩,୪୪,୩୯୫ ବ୍ୟକ୍ତି ନିଖୋଜ ହୋଇଥିଲେ, ଯେଉଁଥିରେ ମହିଳାମାନଙ୍କର ସଂଖ୍ୟା ୧,୯୯,୪୯୦ ଥିବାବେଳେ ପୁରୁଷମାନଙ୍କର ସଂଖ୍ୟା ୧,୪୪,୮୮୫ ଜଣ ରହିଥିଲା।

ଅପରପକ୍ଷେ ଏନ୍‌ସିଆରବିର କ୍ରାଇମ୍ ଇନ୍ ଇଣ୍ଡିଆ-୨୦୧୯ ରିପୋର୍ଟରେ ଓଡ଼ିଶାରେ ୪,୦୧୩ ଜଣ ନିଖୋଜ ଶିଶୁ ଉଦ୍ଧାର ହୋଇନଥିବାର ଦର୍ଶାଯାଇଛି। ଏଥିରେ ୩୨୫୯ ବାଳିକା ଓ ୭୫୪ ଜଣ ବାଳକ ରହିଛନ୍ତି। ରିପୋର୍ଟରେ ପୂର୍ବବର୍ଷର ସଂଖ୍ୟାକୁ ମିଶାଇ ୨୦୧୯ରେ ସର୍ବମୋଟ ୫୫୦୩ ଶିଶୁ ନିଖୋଜ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା। ଯେଉଁଥିରେ, ବାଳିକାମାନଙ୍କର ସଂଖ୍ୟା ୪୪୩୫ ଥିବାବେଳେ ବାଳକମାନଙ୍କର ସଂଖ୍ୟା ରହିଥିଲା ୧୦୬୮। ୨୦୧୯ରେ ଓଡ଼ିଶାରେ ୧୧୭୬ ବାଳିକା ଓ ୩୧୪ ଜଣ ବାଳକଙ୍କୁ ଉଦ୍ଧାର କରାଯାଇଥିବାର ରିପୋର୍ଟରେ କୁହାଯାଇଛି। ଉଦ୍ଧାର କରାଯାଇଥିବା ମୋଟ ଶିଶୁ ସଂଖ୍ୟା ରହିଥିଲା ୧୪୯୦। ବାଳକମାନଙ୍କ କ୍ଷେତ୍ରରେ ଉଦ୍ଧାର କରାଯିବାର ପ୍ରତିଶତ ୨୯.୪ ରହିଥିବାବେଳେ ବାଳିକାମାନଙ୍କ କ୍ଷେତ୍ରରେ ୨୬.୫ ପ୍ରତିଶତ ରହିଥିଲା।

ସମ୍ବନ୍ଧିତ ଖବର