ଜେନେଭା: ତିନିବର୍ଷରୁ ଊର୍ଦ୍ଧ୍ବକାଳ ପରେ ସାରା ବିଶ୍ବରେ କୋଭିଡ୍ଜନିତ ଜରୁରୀ ପରିସ୍ଥିତିର ଅନ୍ତ ଘଟିଛି ବୋଲି କୁହାଯାଉଛି। ତଥାପି ଏହା ଏବେ ବି ପ୍ରତି ୪ ମିନିଟରେ ଜଣେ ଲୋକଙ୍କ ମୃତ୍ୟୁର କାରଣ ହେଉଛି। ଏ ଭୂତାଣୁକୁ କିପରି ମୁକାବିଲା କରାଯିବ ତାହା ଏବେ ବି ଅସମାହିତ ହୋଇ ରହିଛି। ଯଥେଷ୍ଟ ପରିମାଣରେ ଟିକା ନେଇ ନ ଥିବା ଦେଶର ଲୋକମାନଙ୍କ ପ୍ରତି ଏହା ବିପଜ୍ଜନକ ହୋଇ ରହିଛି। ଏକ ମୁଖ୍ୟ ପ୍ରଶ୍ନ ହେଉଛି ଏକ ଭୂତାଣୁକୁ କିପରି ନିୟନ୍ତ୍ରଣ କରାଯିବ ଯାହା ଅଧିକାଂଶଙ୍କ ପାଇଁ କମ୍ ବିପଜ୍ଜନକ କିନ୍ତୁ ସ୍ବଳ୍ପ ଜନସଂଖ୍ୟା ପାଇଁ ଅତ୍ୟନ୍ତ ମାରାତ୍ମକ। ଗତ ବର୍ଷ ହୃଦଘାତ ଏବଂ କର୍କଟ ପଛକୁ ଆମେରିକାରେ ଏହା ଥିଲା ତୃତୀୟ ବୃହତ୍ତମ ଘାତକ।
ମୃତ୍ୟୁର ଅନ୍ୟ ସାଧାରଣ କାରଣ ହେଉଛି ଧୂମପାନ ଏବଂ ଗାଡ଼ି ଦୁର୍ଘଟଣା ଯେଉଁଥିପାଇଁ ପ୍ରତ୍ୟେକ ଦେଶରେ ସୁରକ୍ଷା ନିୟମକାନୁନ ରହିଛି। କିନ୍ତୁ କୋଭିଡ ପାଇଁ ବାଧ୍ୟତାମୂଳକ ଟିକାକରଣ କିମ୍ବା ଆବଦ୍ଧ ସ୍ଥାନରେ ମାସ୍କ ପିନ୍ଧିବା ଲାଗି କୌଣସି ଦେଶ ଆଇନ ପ୍ରଣୟନ କରୁନାହାନ୍ତି। ଖ୍ୟାତନାମା ମହାମାରୀ ଗବେଷକ ଜିଆଦ ଅଲ-ଆଲି କହିଛନ୍ତି, ସାରା ବିଶ୍ବ ଚାହେ ମହାମାରୀଠାରୁ ମୁକ୍ତି, କିନ୍ତୁ କିଛି ନ କରି ଶୋଇ ରହିଲେ ଏହି ଲକ୍ଷ୍ୟ ଆମେ ହାସଲ କରି ପାରିବୁ ନାହିଁ। କୋଭିଡ୍ ତଥାପି ଅନେକ ଲୋକଙ୍କୁ ସଂକ୍ରମିତ କରି ମୃତ୍ୟୁର କାରଣ ହେଉଛି। ସେହି ସମସ୍ୟା ଦୂର କରିବାକୁ ଆମର ସାଧନ ଅଛି।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚଳିତ ମାସ ଆରମ୍ଭରେ କୋଭିଡ ଆଉ ଜରୁରିକାଳୀନ ପରିସ୍ଥିତି ସୃଷ୍ଟି କରୁନାହିଁ ବୋଲି ଘୋଷଣା କରିବା ପୂର୍ବରୁ ଅଧିକାଂଶ ଦେଶର ସରକାର କୋଭିଡ କଟକଣା ହଟାଇ ସାରିଥିଲେ। ମହାମାରୀର ପୂର୍ବ ପର୍ଯ୍ୟାୟରେ ଅଧିକ ଖର୍ଚ୍ଚ କରିବା ପରେ ବିଶ୍ବ ନେତାମାନେ ଶିଥିଳ ହୋଇଯାଇଛନ୍ତି ଏବଂ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି, ଯେଉଁଥିପାଇଁ ସାଧାରଣ ଲୋକଙ୍କର ବି ଆଉ ଧୈର୍ଯ୍ୟ ନାହିଁ।
ଏହି ସମୟରେ, ବିଶ୍ବରେ ଅତି କମରେ ୨୦ ନିୟୁତ ଲୋକଙ୍କର ମୃତ୍ୟୁର କାରଣ ବନିଥିବା ଭୂତାଣୁ ସଂକ୍ରମଣ ଜାରି ରହିଛି। ବୃଦ୍ଧ ଏବଂ ପୂର୍ବରୁ ଅନ୍ୟାନ୍ୟ ରୋଗ ଥିବା ବ୍ୟକ୍ତି ଭାଗ୍ୟର ଦୟା ଉପରେ ବଞ୍ଚୁଛନ୍ତି। ଔଷଧର ଅଭାବ ଏବଂ ଅନ୍ୟମାନଙ୍କଠାରୁ ଫେସ୍ ମାସ୍କ କିମ୍ବା ସାମ୍ପ୍ରତିକ ଟିକାକରଣଜନିତ ସୁରକ୍ଷାର ଅଭାବ ସେମାନଙ୍କ ପାଇଁ ବାଧକ ସାଜୁଛି। ତେଣୁ ବିଶ୍ବର ନେତାମାନେ କୋଭିଡଜନିତ ସମସ୍ୟାରୁ ସ୍ଥାୟୀ ମୁକ୍ତିଲାଭ ନିମନ୍ତେ ଚିନ୍ତା କରିବା ଆବଶ୍ୟକ। ସବୁ ଦେଶର ସବୁ ଲୋକ ଯେପରି ଟିକା ନିଅନ୍ତି ଏବଂ ସମସ୍ତଙ୍କ ପାଖରେ ଯେପରି ଔଷଧ ଆଦି ଯଥେଷ୍ଟ ପରିମାଣରେ ଉପଲବ୍ଧ ହୁଏ ତାହାର ବ୍ୟବସ୍ଥା କରାଯିବା ଉଚିତ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।