ମୁମ୍ବାଇ/ ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଏକକ ସଂଖ୍ୟାଗରିଷ୍ଠ ବିଜେପିକୁ ବାଦ୍ ଦେଇ ଶିବସେନା- ଏନ୍ସିପି- କଂଗ୍ରେସ ମେଣ୍ଟ ରାଜ୍ୟରେ କ୍ଷମତା ଦଖଲ ପାଇଁ ଯେଉଁ ଖେଳ ଅାରମ୍ଭ କରିଥିଲେ, ସେଥିରେ ବିଜୟଲାଭ କରିବା ପୂର୍ବରୁ ଅତ୍ୟନ୍ତ ନାଟକୀୟ ଢ଼ଙ୍ଗରେ ପରାସ୍ତ ହୋଇଛନ୍ତି। ଆଉ ଅତ୍ୟନ୍ତ ରୋଚକସ୍ଥିତିରେ ସଂପୂର୍ଣ୍ଣ ଅପ୍ରତ୍ୟାଶିତ ଭାବେ ବିଜେପି ନେତା ଦେବେନ୍ଦ୍ର ଫଡ୍ନାଭୀସ୍ ଆଜି ପ୍ରତ୍ୟୁଷରେ ମହାରାଷ୍ଟ୍ର ରାଜ୍ୟପାଳ ଭବନରେ ଆୟୋଜିତ ଏକ ନିରାଡ଼ମ୍ବର ଉତ୍ସବରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦ୍ବିତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।
ତେବେ, କ୍ଷମତା ଦଖଲ ପାଇଁ ଚାଲିଥିବା ଏହି ଖେଳରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବିଜେପିର ଜାତୀୟ ସାଧାରଣ ସଂପାଦକ ଭୂପେନ୍ଦ୍ର ଯାଦବ। ବିଜେପିର ଚାଣକ୍ୟ ରୂପେ ଖ୍ୟାତ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନର୍ଦ୍ଦେଶ ଓ ତତ୍ତ୍ବାବଧାନରେ ସାଧାରଣ ସଂପାଦକ ଯାଦବ ରାତିଅଧିଆ ଏମିତି ଖେଳ ଖେଳିଲେ ଯେ ଯାହାର ସାମାନ୍ୟତମ ସୂଚନା ବା ଗନ୍ଧବାସନା କେହିହେଲେ ପାଇପାରିଲେ ନାହିଁ।
ଅତିବିଶ୍ବସ୍ତ ସୂତ୍ରରୁ ଜାଣିବାକୁ ମିଳିଛି ଯେ, ଗତକାଲି ଶିବସେନା- ଏନ୍ସିପି- କଂଗ୍ରେସ ମେଣ୍ଟ ରାଜ୍ୟରେ ନୂତନ ସରକାର ଗଠନ ପାଇଁ ଘନଘନ ବୈଠକ କରି ଯେତେବେଳେ ହାଲିଆ ହୋଇ ପଡ଼ିଥିଲେ ଠିକ୍ ସେହି ସମୟରେ ଫଡ଼ନାବୀସଙ୍କୁ ମୁଖ୍ୟମନ୍ତ୍ରୀ ଚୌକିରେ ବସାଇବା ପାଇଁ ନିଜର ଖେଳ ଆରମ୍ଭ କରିଥିଲେ ବିଜେପିର ଜାତୀୟ ସାଧାରଣ ସଂପାଦକ ଭୂପେନ୍ଦ୍ର ଯାଦବ। ପ୍ରଥମେ ଏନ୍ସିପି ବିଧାୟକ ଦଳ ନେତା ଅଜିତ ପାୱାରଙ୍କୁ ନିଜ ପଟକୁ ନେଇ ଆସିବା ସହ ତାଙ୍କୁ ଧରି ସିଧା ଯାଇ ବିଜେପି କ୍ୟାମ୍ପରେ। ତା’ପରେ ତାଙ୍କ ସହ ମୂଲଚାଲ କରି ଏନ୍ସିପିର ନିର୍ବାଚିତ ୫୪ ଜଣ ବିଧାୟକଙ୍କ ମଧ୍ୟରୁ ସଂଖ୍ୟାଧିକ ବିଧାୟକଙ୍କୁ ନିଜ ପଟକୁ ନେଇ ଆସିବା ସହ ଏନ୍ସିପିର ବିଭାଜନ କରାଇ ଦେଇଥିଲେ। ଏହି ସମୟରେ ସେଠାରେ ଶିବସେନାର କିଛି ବିଧାୟକ ଆସି ପହଞ୍ଚିବା ସହ ଫଡ଼ନାବୀସ୍ଙ୍କ ପ୍ରତି ନିଜ ନିଜର ସମର୍ଥନ ଜାହିର କରିଥିଲେ।
ଏଣେ ସମାନ୍ତରାଳ ଭାବେ ବିଜେପିର ଜାତୀୟ ସାଧାରଣ ସଂପାଦକ ଭୂପେନ୍ଦ୍ର ଯାଦବ ବିଳମ୍ବିତ ମଧ୍ୟରାତ୍ରରେ ରାଜ୍ୟପାଳ ଭଗତ ସିଂହ କୋଶୟାରୀଙ୍କୁ ରାଜ୍ୟର ପରିବର୍ତ୍ତିତ ରାଜନୈତିକ ସ୍ଥିତି ସଂପର୍କରେ ଅବଗତ କରାଇବା ସହ ରାଜ୍ୟରୁ ରାଷ୍ଟ୍ରପତି ଶାସନର ପ୍ରତ୍ୟାହାର ସହ ଫଡ଼୍ନାବୀସଙ୍କ ଶପଥ ଗ୍ରହଣ ଆୟୋଜନ କରିବାକୁ କହିଥିଲେ। ଏଖବର ପାଇବା ପରେ ରାଜ୍ୟପାଳ ଭଗତ ସିଂହ କୋଶୟାରୀ ଆଜି ଥିବା ତାଙ୍କ ଗସ୍ତ କାର୍ଯ୍ୟକ୍ରମକୁ ବାତିଲ କରିବା ସହ ରାଷ୍ଟ୍ରପତିଙ୍କୁ ରାଜ୍ୟରୁ ରାଷ୍ଟ୍ରପତି ଶାସନର ପ୍ରତ୍ୟାହାର କରିବା ପାଇଁ ସୁପାରିଶ କରିଥିଲେ। ଭୋର ୫ଟା ୪୭ରେ ରାଷ୍ଟ୍ରପତିଙ୍କ ଅନୁମୋଦନ ଆସି ପହଞ୍ଚିଥିଲା ରାଜ୍ୟପାଳ ଭଗତ ସିଂହ କୋଶୟାରୀଙ୍କ ନିକଟରେ।
ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିବାର ଦୁଇଘଣ୍ଟା ମଧ୍ୟରେ ଫଡ଼୍ନାବୀସ୍ ଯାଇ ପହଞ୍ଚିଥିଲେ ରାଜଭବନରେ। ରାଜ୍ୟପାଳ ଭଗତ ସିଂହ କୋଶୟାରୀଙ୍କୁ ଫଡ଼ନାବୀସ୍ ତାଙ୍କ ପଛରେ ୧୭୭ ନିର୍ବାଚିତ ବିଧାୟକଙ୍କ ସମର୍ଥନ ରହିଥିବାର ସ୍ବାକ୍ଷର ସମ୍ବଳିତ ପତ୍ର ଦେଖାଇବା ପରେ ମୁଖ୍ୟମନ୍ତ୍ରୀ ରୂପେ ଫଡ଼୍ନାବୀସ୍ଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥଲେ ରାଜ୍ୟପାଳ। ଆଉ କେହି କିଛି ବୁଝିବା ପୂର୍ବରୁ କ୍ଷମତା ଦଖଲ ପାଇଁ ଯେଉଁ ଖେଳ ଆରମ୍ଭ ହୋଇଥିଲା, ସେଥିରେ ସଂପୂର୍ଣ୍ଣ ଅପ୍ରତ୍ୟାଶିତ ଭାବେ ପୂର୍ଣ୍ଣଚ୍ଛେଦ ପଡ଼ି ଯାଇଥିଲା।