‘ଯୋଗୀ’ଙ୍କ କଥାରେ ଚାଲୁଥିଲା ଷ୍ଟକ୍‌ ଏକ୍ସଚେଞ୍ଜ; ସିଇଓ ଚିତ୍ରା ତଥ୍ୟ ପଠାଉଥିଲେ, ପରାମର୍ଶ ନେଉଥିଲେ

ଚିତ୍ରାଙ୍କୁ ୩ କୋଟି ଜରିମାନା ଲଗାଇଲା ସେବି

ଯୋଗୀଙ୍କ କଥାରେ ନିଯୁକ୍ତି, ଦରମା ନିର୍ଧାରଣ ହେଉଥିଲା

ମୁମ୍ବାଇ : ନିବେଶକଙ୍କ ଷ୍ଟକ୍‌ କ୍ରୟବିକ୍ରୟ ଭଳି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ସଂପାଦନ କରୁଥିବା ସଂସ୍ଥା ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ର ମୁଖ୍ୟ କର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ହିମାଳୟରେ ରହୁଥିବା ଜଣେ ଯୋଗୀ ବା ଆଧ୍ୟାତ୍ମିକ ଗୁରୁଙ୍କ କଥାରେ ପରିଳାଳିତ ‌ହେଉଥିଲେ। ସେ ସିଇଓ ଦାୟିତ୍ବ ନାମକୁ ମାତ୍ର ସଂପାଦନ କରୁଥିଲେ। ହିମାଳୟର ତଥାକଥିତ ଆଧ୍ୟାତ୍ମିକ ଗୁରୁ ଥିଲେ ପ୍ରକୃତ ଚାଳକ ଏବଂ ସିଇଓ ଥିଲେ କଣ୍ଢେଇ। ଏହା ଅବିଶ୍ବସନୀୟ ମନେ ହେଉଥିଲେ ମଧ୍ୟ ସତ। ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର ତଦନ୍ତରୁ ଏଭଳି ସାଂଘାତିକ ତଥ୍ୟ ପଦାକୁ ଆସିଛି। ଏନ୍‌ଏସଇର ପୂର୍ବତନ ମହିଳା ସିଇଓ ଜଣକ ହେଉଛନ୍ତି ଚିତ୍ରା ରାମକୃଷ୍ଣ। ଚିତ୍ରା ତାଙ୍କ ତଥାକଥିତ ଆଧ୍ୟାତ୍ମିକ ଗୁରୁଙ୍କୁ ଏକ୍ସଚେଞ୍ଜ୍‌ର ସମସ୍ତ ଗୁରୁତ୍ବପୂର୍ଣ୍ଣ ବ୍ୟବସାୟ ଓ ଆର୍ଥିକ ଯୋଜନା ସଂକ୍ରାନ୍ତ ତଥ୍ୟ ବିଷୟରେ ଅବଗତ କରୁଥିଲେ। ସେହି ଯୋଗୀଙ୍କ ପରାମର୍ଶ ଅନୁସାରେ ହିଁ ସେ ନିଷ୍ପତ୍ତି ଗ୍ରହଣ କରୁଥିଲେ। ଚିତ୍ରାଙ୍କର ଏଭଳି ବେଆଇନ କାରବାର ଲାଗି ସେବି ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ତାଙ୍କୁ ୩ କୋଟି ଟଙ୍କାର ଜରିମାନାରେ ଦଣ୍ଡିତ କରିଛି। ତେବେ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ଏବିଷୟରେ ଏନ୍‌ଏସ୍‌ଇ କର୍ତ୍ତୃପକ୍ଷ ସବୁ କିଛି ଜାଣି ମଧ୍ୟ ଚୁପ୍ ରହିଥିଲେ।

ଏନ୍‌ଏସ୍‌ଇ ୨୦୧୭ରେ ଏହାର ଇନିସିଆଲ୍ ପବ୍ଲିକ୍ ଅଫର (ଆଇପିଓ) ଜାରି କରିବାକୁ ଯୋଜନା ରଖିଥିଲା। ମାତ୍ର କର୍ପୋରେଟ୍ ଗଭର୍ଣ୍ଣାସକୁ ନେଇ ବହୁ ଅଭିଯୋଗ ହେବା ପରେ ‌‌ସେହି ଯୋଜନା ବାତିଲ କରିବାକୁ ପଡ଼ିଥିଲା। ଏକ୍ସଚେଞ୍ଜ୍‌ର ଗୁରୁତ୍ବପୂର୍ଣ୍ଣ ତଥ୍ୟ ବାହାରକୁ ଯାଉଥିବାର ଅଭିଯୋଗ ହୋଇଥିଲା। ସେବି ପକ୍ଷରୁ ତାହାର ତଦନ୍ତ ଆରମ୍ଭ କରାଯାଇଥିଲା, ଯାହା ତିନି ବର୍ଷ ଚାଲିଥିଲା। ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ଚିତ୍ରା ସିଇଓ ଭାବେ କାର୍ଯ୍ୟ କରୁଥିବା ବେଳେ ଏକ ଅଜଣା ଇ-ମେଲ୍‌ ଆଇଡିରେ ଏକ୍ସଚେଞ୍ଜ୍‌ର ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପଠାଇଛନ୍ତି। ସେ ବିଷୟରେ ଚିତ୍ରାଙ୍କୁ ଜେରା କରାଯାଇଥିଲା। ନିଜ ଆଧ୍ୟାତ୍ମିକ ଗୁରୁଙ୍କୁ ସେ ବିଭିନ୍ନ ତଥ୍ୟ ପଠାଇ ତାହା ଉପରେ ତାଙ୍କର ପରାମର୍ଶ ଲୋଡ଼ୁଥିଲେ ବୋଲି ଚିତ୍ରା ସ୍ବୀକାର କରିଥିଲେ। ୨୦ ବର୍ଷ ଧରି ସେ ଗୁରୁଙ୍କ ସହ ଯୋଗାଯୋଗରେ ଥିଲେ। ଯେହେତୁ ସେ ଜଣେ ଆଧ୍ୟାତ୍ମିକ ଗୁରୁ ତେଣୁ ତାଙ୍କୁ କୌଣସି ସୂଚନା ଦେବା ଏକ୍ସଚେଞ୍ଜର ଗୋପନୀୟତା ନିୟମ କିମ୍ବା ସାଧୁତା ସହିତ ସାଲିସ ହୋଇଥିବା କୁହାଯାଇପାରିବ ନାହିଁ ବୋଲି ଚିତ୍ରା ଓଲଟି ଯୁକ୍ତି କରିଥିଲେ।

Zee News

ଏନ୍‌ଏସ୍‌ଇ କାର୍ଯ୍ୟରେ ସେହି ଯୋଗୀଙ୍କର ବଡ଼ ଧରଣର ପ୍ରଭାବ ରହିଥିଲା। କିଛି ନିଯୁକ୍ତି ତାଙ୍କ ଇସାରାରେ ହୋଇଥିଲା। ପୁଞ୍ଜି ବଜାର ସଂକ୍ରାନ୍ତରେ ଜ୍ଞାନ ନଥିବା କିଛି ଲୋକଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଥିଲା ବୋଲି ସେବି ତଦନ୍ତରୁ ଜଣାପଡ଼ିଥିଲା। କେହି ଦେଖି ନଥିବା ସେହି ଯୋଗୀଙ୍କ କଥାରେ ହିଁ କର୍ପୋରେଟ୍ ଜଗତରେ ସଂପୂର୍ଣ୍ଣ ଅପରିଚିତ ଆନନ୍ଦ ସୁବ୍ରମଣ୍ୟନଙ୍କୁ ହିଁ ଏମ୍‌ଡିଙ୍କ ପରାମର୍ଶଦାତା ତଥା ଗ୍ରୁପ୍ ଅପରେଟିଂ ଅଫିସର ଭାବେ ନିଯୁକ୍ତି ଦିଆଯାଇଥିଲା। ଚିତ୍ରା ହେଉଛନ୍ତି ସେହି କିଛି ହାତଗଣତି ଅଧିକାରୀଙ୍କ ମଧ୍ୟରୁ ଅନ୍ୟତମ ଯାହାଙ୍କ ଉଦ୍ୟମରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍‌ର ପ୍ରତିଦ୍ବନ୍ଦ୍ବୀ ଭାବେ ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍‌କୁ ଦର୍ଶାଯାଇଥିଲା। ୨୦୦୯ରେ ଚିତ୍ରାଙ୍କୁ ଏନ୍‌ଏସ୍‌ଇ‌ର ପରିଚାଳନା ନିର୍ଦେଶକ (ଏମ୍‌ଡି) ଭାବେ ନିଯୁକ୍ତ କରାଯିବା ପରେ ୨୦୧୩ରେ ତାଙ୍କୁ ସିଇଓ ଭାବେ ପଦୋନ୍ନତି ମିଳିଥିଲା। ୨୦୧୬ରେ ବ୍ୟକ୍ତିଗତ କାରଣ ଦର୍ଶାଇ ଚିତ୍ରା ସିଇଓ ପଦରୁ ଇସ୍ତଫା ଦେଇଥିଲେ।

କେବଳ ଚିତ୍ରା ନୁହନ୍ତି, ରବି ନାରାଏନ୍, ସୁବ୍ରମଣ୍ୟନ୍ ଏବଂ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ଉପରେ ମଧ୍ୟ ସେବି ୨ କୋଟି ଟଙ୍କା ଲେଖାଏଁ ଜରିମାନା ଲଗାଇଛି। ଏଥିସହିତ ଏନ୍‌ଏସଇର ମୁଖ୍ୟ ନିୟାମକ ଅଧିକାରୀ ଭିଆର ନରସିଂହନ୍‌ଙ୍କୁ ମଧ୍ୟ ୬ ଲକ୍ଷ ଟଙ୍କାର ଜରିମାନା କରିଛି ସେବି।

ତଦନ୍ତ ବେଳେ ସେବିକୁ ଚିତ୍ରା କହିଛନ୍ତି ଯେ ଯୋଗୀ ଜଣକ ମୁଖ୍ୟତଃ ହିମାଳୟରେ ରୁହନ୍ତି। ସେ ଯେଉଁଠି ଚାହାନ୍ତି ସେଠାରେ ପ୍ରକଟ ହୋଇପାରନ୍ତି। ସୁବ୍ରମଣ୍ୟନ୍ ସେହି ଯୋଗୀଙ୍କର ଜଣେ ସହଯୋଗୀ ବୋଲି ଅଭିଯୋଗ କରାଯାଇଛି। ଏହି ଯୋଗୀଙ୍କ ଉପଦେଶ ଅନୁଯାୟୀ ସୁବ୍ରମଣ୍ୟନ୍‌ଙ୍କ ଦରମା ପ୍ରତିବର୍ଷ ବଢ଼ୁଥିଲା। ସୁବ୍ରମଣ୍ୟନ୍ ୨୦୧୮ ସେପ୍ଟେମ୍ବର ୧୨ରେ ଦେଇଥିବା ତାଙ୍କ ବୟାନରେ କହିଛନ୍ତି ଯେ ସଂପୃକ୍ତ ଯୋଗୀଙ୍କୁ ସେ ୨୨ ବର୍ଷ ହେଲା ଜାଣନ୍ତି। ସୁବ୍ରମଣ୍ୟନଙ୍କ ପାଇଁ ଏନ୍‌ଏସଇକୁ ପାଖାପାଖି ୫ କୋଟି ଟଙ୍କାର ଆର୍ଥିକ ବୋଝ ବହନ କରିବାକୁ ପଡ଼ିଛି। ଚିତ୍ରା ସଂପୂର୍ଣ୍ଣ ଭାବେ ସୁବ୍ରମଣ୍ୟନଙ୍କ ଉପରେ ନିର୍ଭର କରୁଥିଲେ। ତାଙ୍କ ପରାମର୍ଶ ବିନା ସେ କୌଣସି ନିଷ୍ପତ୍ତି ନେଉ ନଥିଲେ ବୋଲି ସେବି କହିଛି। ଏନ୍‌ଏସଇର ସାଂଗଠନିକ ଢାଞ୍ଚା, ଲାଭାଂଶ ପ୍ରଦାନ ସ୍ଥିତି, ଆର୍ଥିକ ଫଳାଫଳ, ମାନବ ସମ୍ବଳ ନୀତି ଏବଂ ନିୟାମକ ସଂସ୍ଥାକୁ ଦିଆଯାଇଥିବା ଉତ୍ତର ସଂପର୍କରେ ସଂପୃକ୍ତ ଯୋଗୀଙ୍କୁ ଇମେଲ୍ ଆଇଡି [email protected]ରେ ୨୦୧୪ରୁ ୨୦୧୬ ମଧ୍ୟରେ ଚିତ୍ରା ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର