ଷ୍ଟକ୍‌ ବଜାରକୁ ଦୋହଲାଇଦେଲା କରୋନା : କିଛି ଘଣ୍ଟାରେ ବୁଡ଼ିଗଲା ୧୧ ଲକ୍ଷ କୋଟି, ସେନ୍‌ସେକ୍ସରେ ୨୯୧୯ ପଏଣ୍ଟ୍‌ ହ୍ରାସ

ମୁମ୍ବାଇ : ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ତରଫରୁ କରୋନାକୁ ବିଶ୍ବ ମହାମାରୀ ଘୋଷଣା କରାଯିବା ପରେ ସାରା ବିଶ୍ବର ଷ୍ଟକ୍‌ ବଜାର ଦୋହଲିଯାଇଛି। ଏହାର ପ୍ରଭାବରେ ବମ୍ବେ ଷ୍ଟକ୍‌ ବଜାରରେ ଆଜି ନ‌ିବେଶକମାନେ ବିପୁଳ ପରିମାଣର ସେୟାର ବିକ୍ରି କରିଛନ୍ତି। ଦିନତମାମ ସେମାନେ ସେୟାର ବିକ୍ରି ଜାରି ରଖିବାରୁ ଗୋଟିଏ ଦିନରେ ସେନ୍‌ସେକ୍ସରେ ୨୯୧୯ ପଏଣ୍ଟ୍‌ ହ୍ରାସ ଘଟିଛି। ‌‌ସେନ୍‌ସେକ୍ସ ଇତିହାସରେ ଦିନକରେ ଏଭଳି ହ୍ରାସ ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା। ଫଳରେ ନିବେଶକମାନେ ଆଜି ୧୧ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ତେଣୁ ଆଜିର ଦିନଟିକୁ ଷ୍ଟକ୍‌ ବଜାର ଇତିହାସର ସବୁଠୁ ଅଶୁଭ ଦିନ ବୋଲି କୁହାଯାଉଛି।

ଆଜି କାରବାର ଆରମ୍ଭ ହେବାର ପ୍ରଥମ ପାଞ୍ଚ ମିନିଟ୍ ଭିତରେ ନିବେଶକମାନଙ୍କ ସାଢ଼େ ଛଅ ଲକ୍ଷ କୋଟି ଟଙ୍କା ବୁଡ଼ିଯାଇଥିଲା। ସେନ୍‌ସେକ୍ସ ଆଜି ୨୯୧୯ ପଏଣ୍ଟ୍ ହ୍ରାସ ପାଇ ୩୨,୭୭୮ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଶେଷ ଥର ଲାଗି ୨୦୧୭ରେ ସେନ୍‌ସେକ୍ସକୁ ଏହି ସ୍ତରରେ ଦେଖିବାକୁ ମିଳିଥିଲା। ନ୍ୟାସନାଲ୍ ଷ୍ଟକ୍‌ ଏକ୍ସଚେଞ୍ଜ୍‌ର ନିଫ୍‌ଟି ମଧ୍ୟ ୮୨୫ ପଏଣ୍ଟ୍‌ ହ୍ରାସ ପାଇ ୯୬୩୩ ପଏଣ୍ଟ୍‌ରେ ବନ୍ଦ ହୋଇଛି। ବିଗତ ୩୭ଟି କାରବାର ଦିନରେ ସେନ୍‌ସେକ୍ସରେ ୯୬୦୦ ପଏଣ୍ଟ୍‌ ହ୍ରାସ ହୋଇସାରିଲାଣି।

ବଡ଼ ଧରଣର ହ୍ରାସ
ଦିନ                                ପଏଣ୍ଟ୍‌
୨୪ ଅକ୍ଟୋବର ୨୦୦୮     ୧୦୭୧
୨୧ ଜାନୁଆରି ୨୦୦୮      ୧୪୦୮
୨୮ ଫେବ୍ରୁଆରି ୨୦୨୦    ୧୪୪୮
୨୪ ଅଗଷ୍ଟ ୨୦୧୫         ୧୬୨୫
୯ ମାର୍ଚ୍ଚ ୨୦୨୦             ୧୯୪୨
୧୨ ମାର୍ଚ୍ଚ ୨୦୨୦           ୨୯୧୯

କରୋନାକୁ ବିଶ୍ବ ମହାମାରୀ ଘୋଷଣା କରାଯିବା ପରେ ବିଭିନ୍ନ ଦେଶ ତରଫରୁ ଯାତ୍ରା ଉପରେ କଟକଣା ଜାରି କରାଯାଇଛି। କାର୍ଯ୍ୟକ୍ରମଗୁଡ଼ିକୁ ବାତିଲ କରାଯାଉଛି। ଏହାର ପ୍ରଭାବରେ ବିଶ୍ବର ଆର୍ଥିକ ଓ ସାମଗ୍ରୀ ବଜାରରେ ହଇଚଇ ସୃଷ୍ଟି ହୋଇଛି।

ଆଜି ବମ୍ବେ ଷ୍ଟକ ବଜାରରେ ଟାଟା ଷ୍ଟିଲ୍, ଆକ୍ସିସ୍ ବ୍ୟାଙ୍କ, ଓଏନ୍‌ଜିସି, ଷ୍ଟେଟ୍‌ ବ୍ୟାଙ୍କ, ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ସେୟାର ମୂଲ୍ୟ ବହୁତ ହ୍ରାସ ପାଇଛି। ଓଏନ୍‌ଜିସି ସେୟାର ମୂଲ୍ୟ ୧୬ ବର୍ଷର ନିମ୍ନ ସ୍ତରକୁ ଖସିଥିବା ବେଳେ ଟାଟା ମୋଟର୍ସର ସେୟାର ଦାମ୍ ୧୧ ବର୍ଷରେ ସର୍ବନିମ୍ନ ସ୍ତରକୁ ହ୍ରାସ ପାଇଛି। ଭେଲ୍‌ର ସେୟାର ମୂଲ୍ୟ ୧୭ ବର୍ଷର ନିମ୍ନ ସ୍ତରକୁ ହ୍ରାସ ପାଇଛି।

ଗତ ଜାନୁଆରି ୨୦ରେ ସେନ୍‌ସେକ୍ସ ୪୨,୨୭୩ ପଏଣ୍ଟ୍‌ ଭଳି ଉଚ୍ଚ ସ୍ତରରେ ଥିଲା। ଆଜି ତାହା ୩୨,୭୭୮ ପଏଣ୍ଟ୍‌କୁ ଖସି ଆସିଛି। ୨୦୨୦ ଫ୍ରେବୁଆରି ୨୦ ପରଠାରୁ ନିବେଶକମାନେ ଷ୍ଟକ ବଜାରରେ ୩୨ ଲକ୍ଷ ୮୪ ହଜାର କୋଟି ଟଙ୍କାର କ୍ଷତି ସହିଲେଣି।

ସମ୍ବନ୍ଧିତ ଖବର