ନୂଆଦିଲ୍ଲୀ: ଟ୍ରମ୍ପଙ୍କ ଟାରିଫ୍ ମାଡ଼ରେ ବେହାଲ ହେଲା ସେୟାର ବଜାର। ଷ୍ଟକ୍ ବଜାରରେ ଦେଖିବାକୁ ମିଳିଲା ବଡ଼ ହ୍ରାସ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତକାଲି ଭାରତ ଉପରେ ୨୫ପ୍ରତିଶତ ଶୁଳ୍କ ଏବଂ ଅତିରିକ୍ତ ଜରିମାନା ଘୋଷଣା କରିବା ପରେ ଏହାର ପ୍ରଭାବ ଆଜି ଭାରତୀୟ ବଜାରରେ ଦୃଶ୍ୟମାନ ହୋଇଛି। ନିଫ୍ଟି ୨୦୦ପଏଣ୍ଟରୁ ଅଧିକ ହ୍ରାସ ପରେ ଖୋଲିଥିବା ବେଳେ ସେନସେକ୍ସ ୭୫୦ପଏଣ୍ଟରୁ ଅଧିକ ହ୍ରାସ ପାଇଥିଲା। ନିଫ୍ଟି ବ୍ୟାଙ୍କ ପ୍ରାୟ ୩୦୦ପଏଣ୍ଟ ହ୍ରାସ ପାଇଥିବା ବେଳେ ନିଫ୍ଟି ଆଇଟି ୨୧୫ ପଏଣ୍ଟ ଏବଂ ଏଫଏମସିଜି ୩୦୦ପଏଣ୍ଟରୁ ଅଧିକ ହ୍ରାସ ପାଇଥିଲା।
ମାର୍କେଟ ଖୋଲିବା ବେଳକୁ ବିଏସଇ ସେନସେକ୍ସ ୫୦୦ ପଏଣ୍ଟ ହ୍ରାସ ପାଇ ୮୧,୦୦୬.୬୫ ରେ ଏବଂ ନିଫଟି ୧୬୦ ପଏଣ୍ଟ ହ୍ରାସ ପାଇ ୨୪୬୮୮ ରେ କାରବାର କରୁଥିଲା। ବିଏସଇର ଶ୍ରେଷ୍ଠ ୩୦ଟି କମ୍ପାନି ମଧ୍ୟରୁ ୨୬ଟି ସେୟାରରେ ବଡ଼ ହ୍ରାସ ଘଟିଥିଲା, ଯେଉଁଥିରେ ଟାଟା ମୋଟର୍ସ, ଆରଆଇଏଲ, ଏମ ଆଣ୍ଡ ଏମ ଏବଂ ଭାରତୀ ଏୟାରଟେଲ ଭଳି କମ୍ପାନିର ସେୟାରରେ ପ୍ରାୟ ୨ ପ୍ରତିଶତ ସର୍ବାଧିକ ହ୍ରାସ ପରିଲକ୍ଷିତ ହୋଇଥିଲା। ସେହି ସମୟରେ, ୪ଟି କମ୍ପାନିର ସେୟାରରେ ବୃଦ୍ଧି ଘଟିଥିଲା, ଯେଉଁଥିରେ ଜୋମାଟୋର ସେୟାରରେ ଅଧିକ ବୃଦ୍ଧି ଘଟିଥିବା ଜଣାଯାଇଛି।
ଟ୍ରମ୍ପ ଟାରିଫ୍ ଦ୍ୱାରା ଆଇଟି, ଫାର୍ମା, ପିଏସୟୁ ବ୍ୟାଙ୍କ, ନିଫ୍ଟି ରିଅଲିଟି ଏବଂ କନଜ୍ୟୁମର ସେକ୍ଟର ଗୁରୁତର କ୍ଷତିଗ୍ରସ୍ତ ହୋଇଛି। ତେଲ ଏବଂ ଗ୍ୟାସ ସେକ୍ଟରରେ ସବୁଠାରୁ ବଡ଼ ହ୍ରାସ ଦେଖାଯାଉଛି। ନିଫ୍ଟି ତୈଳ ଏବଂ ଗ୍ୟାସ ସେକ୍ଟର ୧.୫ ପ୍ରତିଶତ ହ୍ରାସ ପାଇଛି। ଏହା ପରେ, ଆଇଟି ଏବଂ ଫାର୍ମା ସେକ୍ଟରଗୁଡ଼ିକ ୧ ପ୍ରତିଶତ ହ୍ରାସ ପାଇଥିବା ଦେଖାଯାଇଛି।
ତେବେ ମାର୍କେଟ ଖୋଲିବା ପରେ ତଳମୁହାଁ ହୋଇଥିବା ଷ୍ଟକ୍ ବଜାରର ପରିସ୍ଥିତି ଏବେ ସୁଧୁରିବାରେ ଲାଗିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/07/31/new-project-2025-07-31-11-52-50.jpg)