ସରକାରୀ କର୍ମଚାରୀ ଭାବେ ପରିଚୟ ଦେଇ ବିହାରରେ ୫୦୦ ଟନ୍‌ ଓଜନର ଲୁହା ପୋଲ ଚୋରାଇ ନେଲେ ଦୁର୍ବୃତ୍ତ

ସାସାରାମ: ସରକାରୀ କର୍ମଚାରୀ ଭାବେ ପରିଚୟ ଦେଇ ଚତୁର ଲୁହାଲକଡ଼ା ଚୋରମାନେ ବିହାରର ରୋହତାସ ଜିଲ୍ଲା ଅନ୍ତର୍ଗତ ଆରା-ସୋନେ କେନାଲ୍‌ ଉପରେ ଲମ୍ବର ଲୁହା ଫ୍ରେମ୍‌ରେ ନିର୍ମିତ ୬୦ ଫୁଟ୍‌ ଦୀର୍ଘତାବିଶିଷ୍ଟ ୪୫ ବର୍ଷର ପୁରାତନ ପୋଲକୁ ଚୋରାଇ ନେଇଛନ୍ତି।

ସାସାରାମ ଠାରୁ ପ୍ରାୟ ୪୦ କିଲୋମିଟର ଦୂର ଅମିୟୱାର୍‌ ଗାଁରେ ମଙ୍ଗଳବାର ଦିନ ହୋଇଥିବା ପୋଲ ଚୋରୀ ସେ ଅଞ୍ଚଳରେ ଆଲୋଚ୍ୟ ବିଷୟ ପାଲଟିଛି। ସ୍ଥାନୀୟ ‌ଲୋକମାନଙ୍କ କହିବା ଅନୁସାରେ, ୫ ବର୍ଷ ପୂର୍ବେ କେନାଲ ଉପରେ ଆଉ ଗୋଟାଏ କଙ୍କ୍ରିଟ୍‌ ପୋଲ ନିର୍ମାଣ ହେବା ପରଠାରୁ ଚୋରମାନେ ରୋଷେଇଘରର ଅସରପାଙ୍କ ଭଳି ୫୦୦ ଟନ୍‌ ଓଜନବିଶିଷ୍ଟ ସେ ଲୁହା ‌ପୋଲରୁ ଟିକିଏ ଲେଖାଏଁ ଲୁହା କାଟି ନେଉଥିଲେ। କିନ୍ତୁ, ରାତିକ ଭିତରେ ଯେ, ପୋଲଟି ସମ୍ପୂର୍ଣ୍ଣ ଉଭେଇ ଯିବ, ଏକଥା କେହି କଳ୍ପନା କରି ନ ଥିଲେ।

Image Courtesy of ABP Live

ପୁଲିସ ଅଧିକାରୀ ସୁଭାଷ କୁମାରଙ୍କ କହିବା ଅନୁସାରେ, ପୋଲଟିକୁ ଖଣ୍ଡ ଖଣ୍ଡ କରିବା ପାଇଁ ଚୋରମାନେ ବୁଲ୍‌ଡୋଜର୍‌ ଏବଂ ଗ୍ୟାସ୍‌-ଟର୍ଚ ନେଇ ଆସିଥିଲେ। କଟାକଟି ସାରିବା ସାରିବା ପରେ ପୋଲଟିକୁ ସମୁଦାୟ ନେଇ ଖସି ଯାଇଛନ୍ତି।

Image Courtesy of The Times of India

ପ୍ରାପ୍ତ ସୂଚନା ଅନୁସାରେ, ପୋଲ ଭାଙ୍ଗିବା ଭଳି କଠିନ କାମ ଆରମ୍ଭ କରିବା ପୂର୍ବରୁ ଚୋରମାନେ ଜଳସେଚନ ବିଭାଗର କର୍ମଚାରୀ ଭାବେ ପରିଚୟ ଦେଇଥିଲେ। ସ୍ଥାନୀୟ ପ୍ରଶାସନ ଏବଂ ବାସିନ୍ଦାମାନେ ମଧ୍ୟ ଚୋରଙ୍କ କଥାରେ ଭଳି ଯାଇ ସର୍ବ ସମ୍ମୁଖରେ ହେଉଥିବା ଚୋରିରେ ସହାୟତା କରିଥିଲେ। ପୋଲଟିକୁ ସମ୍ପୂର୍ଣ୍ଣ ଭାଙ୍ଗିବା ପାଇଁ ୩ ଦିନ ଲାଗିଥିଲା।

ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ କମଳ ଶମିମ୍ କହିଛନ୍ତି, ଗୁରୁବାର ଦିନ ଏ ସଂକ୍ରାନ୍ତରେ ‘ଏଫ୍‌ଆଇଆର୍‌’ ଦିଆଯାଇଛି।

ସମ୍ବନ୍ଧିତ ଖବର