ଡେରାଡୁନ: ହିମାଚଳ ପ୍ରଦେଶର କିନ୍ନୌରରେ ବାଦଲଫଟା ବର୍ଷାଜନିତ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଦୁଇଟି ଅସ୍ଥାୟୀ ପୋଲ ଭାସିଯାଇଛି। ଏଥିଯୋଗୁଁ କୈଳାସ ଟ୍ରେକ୍‌ ମାର୍ଗରେ ଫସି ରହିଥିବା ୪୦୦ରୁ ଅଧିକ ତୀର୍ଥଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। 

Advertisment

ହିମାଚଳ ପ୍ରଦେଶରୁ ପ୍ରାକୃତିକ ବିପର୍ଯ୍ୟୟର ଅନେକ ଲୋମଟାଙ୍କୁରା ଘଟଣାର ଭିଡିଓ ସାମ୍ନାକୁ ଆସିଥିବା ବେଳେ କିନ୍ନୌରରେ ଏମିତି ଏକ ଘଟଣା ଘଟିଛି। ଜଣେ ଯୁବକ ବାଇକ ନେଇ ଯାଉଥିବା ବେଳେ ହଠାତ ଏକ ବିରାଟ ବଡ଼ ପଥର ଖଣ୍ଡ ତାଙ୍କ ବାଇକ ସାମ୍ନାକୁ ମୃତ୍ୟୁ ସାଜି ଆସିଥିଲା। ସୌଭାଗ୍ୟବଶତଃ ଯୁବକ ଜଣକ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏହି ଘଟଣାର ଏକ ଭିଡିଓ ବି ସୋସିଆଲ ମିଡିଆରେ ଘୁରି ବୁଲୁଛି।

ଏଥିରେ ଦେଖିବାକୁ ମିଳୁଛି ଜଣେ ଯୁବକ ତାଙ୍କ ବାଇକ୍ ଯୋଗେ ଭୂସ୍ଖଳନ ସ୍ଥାନ ଦେଇ ଯାଉଥିବା ବେଳେ ହଠାତ୍ ପାହାଡ଼ ଉପରୁ ଏକ ବିରାଟ ପଥର ଖଣ୍ଡ ଖସି ଆସି ସିଧାସଳଖ ତାଙ୍କ ବାଇକ୍ ସହିତ ମାଡ଼ ହେଉଛି। ଯାହାଫଳରେ ଯୁବକ ଜଣକ ବାଇକରୁ ଖସି ରାସ୍ତା ଉପରକୁ ଝିଟିକି ପଡ଼ୁଛନ୍ତି। 

ଏହି ସମୟରେ ଉକ୍ତ ରାସ୍ତାରେ ଥିବା ପଥଚାରୀ ଏବଂ ଅନ୍ୟ ଲୋକମାନେ ଆହତ ଯୁବକଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ଯୁବକ ଜଣକ ସୁସ୍ଥ ଅଛନ୍ତି। 

ଏହି ଦୁର୍ଘଟଣାକୁ ନେଇ ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି, ‘ଯୁବକଙ୍କ ଭାଗ୍ୟ ଭଲ ଥିବାରୁ ସେ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ନଚେତ ଯେଉଁଭଳି ଭାବେ ପାହାଡ଼ ଉପରୁ ପଥରଖଣ୍ଡ ଖସି ଯୁବକଙ୍କ ବାଇକ ସହିତ ଧକ୍କା ହୋଇଥିଲା ଏକ ବଡ଼ ଅଘଟଣ ଘଟିଯିବାର ଅନେକ ସମ୍ଭାବନା ଥିଲା। 

ସ୍ଥାନୀୟଲୋକଙ୍କ କହିବା ଅନୁଯାୟୀ, ଦୁର୍ଘଟଣା ଘଟିଥିବା ସ୍ଥାନ ତଥା ଉକ୍ତ ଅଞ୍ଚଳରେ ପ୍ରାୟତଃ ଭୂସ୍ଖଳନ ହୋଇଥାଏ କିନ୍ତୁ ଏଠାରେ କୌଣସି ସୁରକ୍ଷା ବ୍ୟବସ୍ଥା  ଏଯାବତ ଗ୍ରହଣ କରାଯାଇ ନାହିଁ। ପ୍ରଶାସନ ନିକଟରେ ଏଭଳି ବିପଦପୂର୍ଣ୍ଣ ଅଞ୍ଚଳରେ ଦୃଢ଼ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ନେଇ ଅନେକଥର ଦାବି କରାଯାଇଛି। କିନ୍ତୁ ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ବୟାନ ଆସିନାହିଁ, କିନ୍ତୁ ଆଶା କରାଯାଉଛି ଯେ ଏହା ଉପରେ ଖୁବ୍ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପ୍ରଶାସନ।