ଶ୍ରୀନଗର: ଶନିବାର ଦିନ ଇଦ୍‌ ପ୍ରାର୍ଥନା ଶେଷ ହେବା କ୍ଷଣି ଜମ୍ମୁ ଓ କଶ୍ମୀର କେତେକ ଅଞ୍ଚଳରେ ଉତ୍ତ୍ୟକ୍ତ ଯୁବଗୋଷ୍ଠୀ ନିରାପତ୍ତା ବଳଙ୍କ ଉପରେ ଆକ୍ରମଣ କରିବାରୁ ସଦ୍ୟ ସଂଘର୍ଷ ଘଟିଛି।

Advertisment

ଜମ୍ମୁ ଓ କଶ୍ମୀରର ଅନନ୍ତନାଗ ଜିଲ୍ଲା ଅନ୍ତର୍ଗତ ଜଙ୍ଗ୍‌ଲାତ୍‌ ମଣ୍ଡି ସହରରେ ପ୍ରଥମେ ସଂଘର୍ଷ ଘଟିଥିବା ଜଣାପଡ଼ିଛି।

ସଂଘର୍ଷ ସମୟରେ ଅନନ୍ତନାଗ ଅନ୍ତର୍ଗତ ବାରାକ୍‌ପୋରା ସହର ନିବାସୀ ଶିରାଜ୍‌ ଅହମଦ୍‌ ନାମକ ଜଣେ ଯୁବକ ଲୁହବୁହା ବାଷ୍ପ ସେଲ୍‌ ଆଘାତରେ ମୃତ୍ୟୁ ବରଣ କରିଛନ୍ତି।

ପ୍ରାୟ ୬. ୪୫ ମିନିଟ୍‌ରେ ସକାଳ ପ୍ରାର୍ଥନା ଶେଷ ହେବା ମାତ୍ରେ ଘଟଣା ଘଟିଥିବା ପ୍ରକାଶ। ପ୍ରତିବାଦକାରୀମାନେ ‘ପାକିସ୍ତାନ ଜିନ୍ଦାବାଦ୍‌’ ସ୍ଲୋଗାନ୍‌ ଦେବା ସହ କର୍ତ୍ତବ୍ୟରତ ନିରାପତ୍ତା ବଳଙ୍କୁ ଆକ୍ରମଣ କରିଥିଲେ।

ଉତ୍ତ୍ୟକ୍ତ ଜନତାଙ୍କୁ ଘଉଡ଼ାଇବାକୁ ପୁଲିସ ଏବଂ ନିରାପତ୍ତା ବଳ ଲୁହବୁହା ବାଷ୍ପ ଏବଂ ରବର ଗୁଳି ଚଳାଇଥିଲେ। ଅନନ୍ତନାଗସ୍ଥିତ ଏକ ଡାକ୍ତରଖାନା ସୂତ୍ରରୁ ପ୍ରକାଶ ଯେ ଏଥିରେ ଅନ୍ୟୂନ ତିନି ଜଣ ପ୍ରତିବାଦକାରୀ ଆହତ ହୋଇଛନ୍ତି।

ସେନା ଗୁଳିରେ ଶୁକ୍ରବାର ଦିନ ଜଣେ ୯ ବର୍ଷିୟ ବାଳକ ନିହତ ହୋଇଥିବା କାରଣରୁ ପୁଲ୍‌ଓ୍ଵାମା ଠାରେ ଦଳେ ଲୋକ ପ୍ରତିବାଦ କରିଥିଲେ।
ଶୋପିଆନ୍‌ ସହରରେ ମଧ୍ୟ ଯୁବଗୋଷ୍ଠୀ ପଥର ଫିଙ୍ଗିଛନ୍ତି।

ଇଦ୍‌ ପ୍ରାର୍ଥନା ପରେ ଶ୍ରୀନଗର ସହରର ଇଦ୍‌ଗା ଅଞ୍ଚଳରେ ମଧ୍ୟ ସଂଘର୍ଷ ଘଟିଛି। ସେଠାକାର ପ୍ରାର୍ଥନାରେ ବହୁ ଜନସମାଗମ ହୋଇଥିଲା।

ବରାମୂଳା, ସୋପାର, ବଡ଼ଗାମ୍‌, କୁପ୍‌ଓ୍ଵାରା ଏବଂ ଗଣ୍ଡର୍‌ବାଲ୍‌ ସହରେ ଇଦ୍‌ ପ୍ରାର୍ଥନା ଏକ ପ୍ରକାର ଶାନ୍ତିପୂର୍ଣ୍ଣ ଥିଲା।