ପାକିସ୍ତାନ : ନାନକାନା ସାହେବ ଗୁରୁଦ୍ୱାରାକୁ ଘେରି ପଥର ମାଡ଼ କଲେ ଶତାଧିକ ଲୋକ, ଭିତରେ ଫସିରହିଛନ୍ତି ଶିଖ ତୀର୍ଥଯାତ୍ରୀ

ଇସଲାମାବାଦ : ପାକିସ୍ତାନରେ ଶିଖମାନଙ୍କ ଉପରେ ଅତ୍ୟାଚାର ବଢିଚାଲିଛି । ଶୁକ୍ରବାରଦିନ ଶିଖମାନଙ୍କର ପବିତ୍ର ତୀର୍ଥସ୍ଥଳ ନାନକାନା ସାହେବ ଗୁରୁଦ୍ୱାରା ସମ୍ମୁଖରେ ଶହ ଶହ ସ୍ଥାନୀୟ ମୁସଲିମ ଏକାଠି ହୋଇ ଗୁରୁଦ୍ୱାରା ଉପରକୁ ପଥରମାଡ଼ କରିଛନ୍ତି । ଏହା ସହିତ ଏହି ଗୁରୁଦ୍ୱାରାକୁ ଭାଙ୍ଗିଦେବାକୁ ଧମକ ଦେଇଛନ୍ତି । ହଜାର ହଜାର ଜନତା ଏହି ଗୁରୁଦ୍ୱାରାକୁ ଘେରି ରହିଥିବାବେଳେ ଭିତରେ କେତେକ ଶିଖତୀର୍ଥଯାତ୍ରୀ ଫସିରହିଛନ୍ତି ।
ମିଳିଥିବା ସୂଚନା ଅନୁସାରେ ଜଣେ ଶିଖ ଯୁବତୀ ଜଗଜିତ କୌରକୁ ଅପହରଣ ପରେ ତାହାର ଧର୍ମପରିବର୍ତ୍ତନ କରିଥିବା ଯୁବକ ମହମ୍ମଦ ହାସାନର ପରିବାରର ନେତୃତ୍ୱରେ ଏହି ଭିଡ଼ ଏକତ୍ରିତ ହୋଇ ପଥର ମାଡ଼ କରିଛନ୍ତି । ଏହି ଲୋକମାନେ ଗୁରୁଦ୍ୱାରାକୁ ଧ୍ୱଂସ କରିବାସହ ଏହାର ନାମକରଣ ଗୁଲାମ-ଏ-ମୁସ୍ତାଫା କରିବାକୁ ଧମକ ଦେଇଛନ୍ତି । ପାକିସ୍ତାନରେ କୌଣସି ଶିଖ ରହିବେ ନାହିଁ ବୋଲି ସେମାନେ ଧମକ ଦେଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚିବା ସହ କେତେଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ଶିଖମାନଙ୍କ ପାଇଁ ଏହି ଗୁରୁଦ୍ୱାରାର ବିଶେଷ ଗୁରୁତ୍ୱ ରହିଛି, କାରଣ ଏଠାରେ ୧୪୬୯ରେ ଗୁରୁ ନାନକ ଜନ୍ମଗ୍ରହଣ କରିଥିଲେ । ଏହି ଘଟଣା ପରେ ପାକିସ୍ତାନରେ ସଂଖ୍ୟାଲଘୁଙ୍କ ସୁରକ୍ଷା ନେଇ ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସମ୍ବନ୍ଧିତ ଖବର