କାନପୁର: ଏକ ଟେଲିଭିଜନ ବିତର୍କରେ ମହମ୍ମଦଙ୍କ ବିଷୟରେ ବିଜେପି ନେତା ନୁପୁର ଶର୍ମାଙ୍କ ମନ୍ତବ୍ୟକୁ ବିରୋଧ କରି କାନପୁରର ପ୍ୟାରେଡ ମାର୍କେଟରେ ଦୋକାନ ବନ୍ଦ କରିବାକୁ ଏକ ମୁସଲିମ୍ ସଂଗଠନ ଆହ୍ଵାନ ଦେବାପରେ ଏହାକୁ କେନ୍ଦ୍ରକରି ସେଠାରେ ଶୁକ୍ରବାର ଲଙ୍କାକାଣ୍ଡ ସୃଷ୍ଟି ହୋଇଛି। ଏହି ଘଟଣାରେ ଉତ୍ୟକ୍ତ ହୋଇ ଦୁଇ ଗୋଷ୍ଠୀ ପରସ୍ପର ଉପରକୁ ଟେକାପଥର ମାଡ଼ କରିବାରୁ ଅତିକମରେ ୨ ଜଣ ଆହତ ହୋଇଛନ୍ତି।
ରିପୋର୍ଟରୁ ପ୍ରକାଶ, ଏକ ଟେଲିଭିଜନ ବିତର୍କରେ ମହମ୍ମଦଙ୍କ ବିଷୟରେ ବିଜେପି ନେତା ନୁପୁର ଶର୍ମା ଦେଇଥିବା ମନ୍ତବ୍ୟକୁ ନେଇ ସହରର ସବୁଠାରୁ ବଡ ହୋଲସେଲ ବଜାର ପ୍ୟାରେଡ ମାର୍କେଟରେ ଦୋକାନ ବନ୍ଦ କରିବାକୁ ଏକ ମୁସଲମାନ ସଂଗଠନ ଆହ୍ଵାନ ଦେବା ପରେ କାନପୁରରେ ଶହ ଶହ ଲୋକ ରାଜରାସ୍ତା ଉପରକୁ ଓହ୍ଲାଇ ଆସି ସଂଘର୍ଷ କରିଥିଲେ। ଦୁଇ ଗୋଷ୍ଠୀ ସହରର ପ୍ୟାରେଡ୍ ଛକରେ ପରସ୍ପର ଉପରକୁ ଏବଂ ପୋଲିସ ଉପରକୁ ପଥର ଫିଙ୍ଗିଥିଲେ।
/sambad/media/post_attachments/wp-content/uploads/2022/06/K2.jpg)
ଶୁକ୍ରବାର ପ୍ରାର୍ଥନା ପରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ବଜାର ବନ୍ଦ କରିବାକୁ ବାହାରିବା ପରେ ତାଙ୍କୁ ବିରୋଧ କରିବା ପାଇଁ ସେମାନଙ୍କ ଉପରକୁ ଅନ୍ୟ ପକ୍ଷରୁ ପଥର ଫିଙ୍ଗା ଯାଇଥିଲା। ଏହି ପଥର ଫିଙ୍ଗା ଘଟଣାରେ ଦୁଇଜଣ ଆହତ ହୋଇଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୁଲିସ ଲାଠିଚାର୍ଜ କରିଥିଲା। ଏହି ଘଟଣାକୁ କେନ୍ଦ୍ରକରି ଦଙ୍ଗା ଜନିତ ପରିସ୍ଥିତି ସୃଷ୍ଟି ହେବା ସହ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ପରିସ୍ଥିତିକୁ ନିୟନ୍ତ୍ରଣ କରି ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବା ପାଇଁ ଏହି ଅଞ୍ଚଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।
ଅନ୍ୟପକ୍ଷରେ ମହାରାଷ୍ଟ୍ରର ଥାନେ ଏବଂ ଦକ୍ଷିଣ ମୁମ୍ବାଇରେ ବିଜେପି ନେତା ନୁପୁର ଶର୍ମାଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ ହୋଇଛି। ଏକ ଟିଭି ବିତର୍କ ସମୟରେ ମୁସଲମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ଏହି ମାମଲା ରୁଜୁ ହୋଇଛି।