ନୂଆଦିଲ୍ଲୀ: ଗତବର୍ଷ ଜମ୍ମୁ ଓ କଶ୍ମୀର ପୁଲିସ ଉପରକୁ ଢେଲା ଫିଙ୍ଗୁଥିବା କଶ୍ମୀରୀ ଝିଅ ଅଫ୍ଶାନ୍ ଆଶିକ୍ ଏବେ ଜଣେ ସ୍ୱନାମଧନ୍ୟା ଫୁଟ୍ବଲ୍ ଖେଳାଳି। ନିଜେ ଫୁଟ୍ବଲ୍ ଖେଳିବା ସହ ବହୁ କଶ୍ମୀରୀ ଝିଅଙ୍କୁ ଫୁଟ୍ବଲ୍ ଖେଳରେ ସାମିଲ କରାଇଛନ୍ତି ଅଫ୍ଶାନ୍।
Sambad is now on WhatsApp
Join and get latest news updates delivered to you via WhatsApp
ଅଫ୍ଶାନ୍ ଏବେ ଜମ୍ମୁ ଓ କଶ୍ମୀର ମହିଳା ଫୁଟ୍ବଲ୍ ଦଳର ଅଧିନାୟିକା ଓ ଗୋଲ୍ ରକ୍ଷକ। ୨୩ ବର୍ଷୀୟ ଅଫ୍ଶାନ୍ ମୁମ୍ବାଇ କ୍ଲବ୍ ତରଫରୁ ମଧ୍ୟ ଖେଳୁଛନ୍ତି। ତାଙ୍କ ଉପରେ ବଲିଉଡ୍ ମଧ୍ୟ ଏକ ବାୟୋପିକ୍ ନିର୍ମାଣ କରିଛି।
ମଙ୍ଗଳବାର ଦିନ ଅଫ୍ଶାନ୍, ତାଙ୍କ ୨୨ ଜଣିଆ ଫୁଟ୍ବଲ୍ ଟିମ୍, କୋଚ୍ ସତ୍ପାଲ୍ ସିଂହ କଳା ଏବଂ ମ୍ୟାନେଜର୍ ସେରିଙ୍ଗ୍ ଆଙ୍ଗ୍ମୋ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ସାକ୍ଷାତ୍ କରିଥିଲେ। ତରୁଣୀମାନଙ୍କୁ ଫୁଟ୍ବଲ୍ ଖେଳ ନିମନ୍ତେ ତାଲିମ ଦେବା ପାଇଁ କଶ୍ମୀରରେ ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆର ଏକ ଅନୁଷ୍ଠାନ ଖୋଲିବାକୁ ସେ ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଥିବା କଥା କହିଛନ୍ତି।
ଆମେ ଉଠାଇ ଥିବା ମାମଲାକୁ କେନ୍ଦ୍ର ମନ୍ତ୍ରୀ ଧୈର୍ଯ୍ୟର ସହ ଶୁଣିଛନ୍ତି। ଜମ୍ମୁ ଏବଂ କଶ୍ମୀରରେ ଆମେ ଖେଳର ଉନ୍ନତ ଭିତ୍ତିଭୂମି ଲୋଡ଼ିଛୁ। ଆମ ସାମ୍ନାରେ ଗୃହମନ୍ତ୍ରୀ ଜମ୍ମୁ ଏବଂ କଶ୍ମୀରର ମୁଖ୍ୟମନ୍ତ୍ରୀଙ୍କୁ ଫୋନ୍ କରିଥିଲେ। ଆମେ ଶ୍ରୀନଗର ଫେରିଲେ ସେଠାରେ ତାଙ୍କୁ ସାକ୍ଷାତ୍ କରିବୁ।
ଅଫ୍ଶାନ୍ କହିଛନ୍ତି, ମେହବୁବା ତାଙ୍କୁ ବହୁ ଭାବରେ ସାହାଯ୍ୟ କରିଛନ୍ତି। ମହିଳା ଫୁଟ୍ବଲ୍ ଟିମ୍ର ଆବଶ୍ୟକତା ପ୍ରତି ତତ୍ତ୍ୱ ନେବାକୁ ସେ କ୍ରୀଡ଼ା ସଚିବଙ୍କୁ ନିର୍ଦେଶ ଦେଇଥିଲେ। ସମସ୍ତ ପ୍ରକାର କ୍ରୀଡ଼ା ଉପକରଣ ଯୋଗାଇ ଦେଇ ରାଜ୍ୟ ପ୍ରଶାସନ ବର୍ଷକ ମଧ୍ୟରେ ଆମ ଦଳକୁ ଠିଆ କରାଇଛନ୍ତି।
ଟିମ୍ ଜମ୍ମୁ ଏବଂ କଶ୍ମୀରର ଆଞ୍ଚଳିକ ବିବିଧତାକୁ ପ୍ରତିଫଳିତ କରୁଛି। ଟିମ୍ର ମ୍ୟାନେଜର୍ ଜଣେ ଲଦାଖୀ ହୋଇଥିବାବେଳେ କୋଚ୍ ହେଉଛନ୍ି ଜଣେ ଶିଖ୍। ରାଜ୍ୟର ତିନିଟି ଅଞ୍ଚଳରୁ ଟିମ୍ର ସଦସ୍ୟମାନେ ଆସିଛନ୍ତି।
ଢେଲା ଫିଙ୍ଗା କଥା ପଚାରନ୍ତେ ଅଫ୍ଶାନ୍ କହିଥିଲେ କି ଜମ୍ମୁ ଓ କଶ୍ମୀରର ପୁଲିସ ଅସଭ୍ୟ ଭାଷା କହିବା ଏବଂ ଟିମ୍ର ଜଣେ ଖେଳାଳିଙ୍କୁ ଚଟକଣା ପକାଇଥିବାରୁ ରାଗରେ ସେ ଏ ଭଳି ପ୍ରତିକ୍ରିୟା ଦେଖାଇ ଥିଲେ। ମୁଁ ସେଥିପାଇଁ ଅନୁତପ୍ତା ନୁହେଁ। ପୁଲିସ ଦୁର୍ବ୍ୟବହାର କରି ନ ଥିଲେ ମୁଁ ଢେଲା ଉଠାଇ ନ ଥାଆନ୍ତି।