ନୂଆଦିଲ୍ଲୀ: ପୁଣିଥରେ ଉତ୍ତରପ୍ରଦେଶରେ ଟ୍ରେନକୁ ଧାରଣାରୁ ଖସାଇବାକୁ ଚେଷ୍ଟା କରାଯାଇଥିବା ଉଦ୍ୟମ ପଣ୍ଡ ହୋଇଯାଇଛି। ଗତଶନିବାର ବଲିଆ ଜିଲ୍ଲାର ବୋରିଆ ଅଞ୍ଚଳରେ ଟ୍ରେନ୍ ଇଞ୍ଜିନ ଟ୍ରାକରେ ଥିବା ଏକ ପଥର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ସୌଭାଗ୍ୟବଶତଃ ଏଥିରେ କାହାକୁ କିଛି କ୍ଷତି ପହଞ୍ଚିନାହିଁ। ଲୋକୋପାଇଲଟ୍ ଏ ବିଷୟରେ ଅଧିକାରୀମାନଙ୍କୁ ସୂଚନା ଦେଇଥିଲେ। ଏହି ସୂଚନା ପାଇବାପରେ ରେଳ ବିଭାଗରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ବରିଷ୍ଠ ଅଧିକାରୀ ଏବଂ ଆରପିଏଫ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲେ।
ଉତ୍ତରପ୍ରଦେଶର ରେଳ ଟ୍ରାକରେ ଗ୍ୟାସ ସିଲିଣ୍ଡର, ଖମ୍ଭ ଏବଂ ଅନ୍ୟାନ୍ୟ ଜିନିଷ ମିଳିବା ଘଟଣା ସାମ୍ନାକୁ ଆସିଥିବା ବେଳେ ଗତଶନିବାର ବାଲିଆ ଜିଲ୍ଲାରେ ଏମିତି ଘଟଣା ଘଟିବା ଆଲୋଡନ ସୃଷ୍ଟି କରିଛି।
ଉତ୍ତର ପୂର୍ବାଞ୍ଚଳ ରେଳବାଇର ଲୋକସମ୍ପର୍କ ଅଧିକାରୀ ଅଶୋକ କୁମାର କହିଛନ୍ତି ଯେ,‘ ଶନିବାର ଦିନ ରାତି ୧୦.୨୫ ସମୟରେ ବାରାଣାସୀ-ବାଲିଆ-ଛପ୍ରା ରେଳ ବ୍ଲକର ବକୁଲହା-ମାଂଝି ରେଳ ଷ୍ଟେସନ ମଧ୍ୟରେ ଥିବା ରେଳ ଧାରଣାରେ ୧୦/୧୮ କିମି ମଧ୍ୟରେ ପଥର ପଡ଼ିଥିବା ଦେଖିବାକୁ ମିଳିଥିଲା। ଯାହାକୁ ଦେଖି ଲୋକୋପାଇଲଟ ଉପସ୍ଥିତ ବୁଦ୍ଧି ଖଟାଇ ଟ୍ରେନକୁ ଅଟକାଇ ଦେଇଥିଲେ। ପରେ ସୁରକ୍ଷିତ ଭାବେ ଗନ୍ତବ୍ୟ ସ୍ଥାନକୁ ଟ୍ରେନକୁ ଆଗକୁ ବଢ଼ାଇ ନେଇଥିଲେ ଲୋକପାଇଲଟ।
ଏହାପୂର୍ବରୁ ଉତ୍ତରପ୍ରଦେଶରେ ଅଗଷ୍ଟ ୧୭ରେ ସାବରମତି ଏକ୍ସପ୍ରେସର ୨୨ଟି କୋଚ କାନପୁରରେ ଧାରଣାରୁ ଖସି ପଡ଼ିଥିଲା। ଏହାପରେ ସେପ୍ଟେମ୍ବର ୮ରେ ଫରୁଖାବାଦରୁ କାସଗଞ୍ଜ ଅଭିମୁଖେ ଯାଉଥିବା କାଲିନ୍ଦି ଏକ୍ସପ୍ରେସ ମାର୍ଗରେ ରେଳ ଲାଇନରେ ଏକ ଗ୍ୟାସ ସିଲିଣ୍ଡର ରଖାଯାଇଥିବା ଦେଖିବାକୁ ମିଳିଥିଲା।
ସେହିପରି ସେପ୍ଟେମ୍ବର ୨୨ରେ କାନପୁରର ଏକ ମାଲବାହୀ ଟ୍ରେନ ଯାଉଥିବା ଧାରଣାରେ ଏକ ଗ୍ୟାସ ସିଲିଣ୍ଡର ମିଳିଥିଲା । ଏହସବୁ ଘଟଣାରେ ଲୋକୋପାଇଲଟଙ୍କ ଉପସ୍ଥିତ ବୁଦ୍ଧି ହେତୁ ଦୁର୍ଘଟଣା ଘଟି ନଥିଲା। କିନ୍ତୁ ଏହି ଘଟଣା ସୁରକ୍ଷା ଏଜେନ୍ସିଗୁଡ଼ିକର ଚିନ୍ତା ବଢ଼ାଇ ଦେଇଛି। କାରଣ କ୍ରମାଗତ ଭାବେ ରେଳଧାରଣାରେ ଏଭଳି ସାମଗ୍ରୀ ରଖାଯିବା ଘଟଣା ସାମ୍ନାକୁ ଆସୁଛି। ଘଟଣାକୁ ଗମ୍ଭୀରତା ସହ ନେଇ ମାମଲାଗୁଡ଼ିକର ତଦନ୍ତ ଚାଲିଛି।