ପଥର ଫିଙ୍ଗାଳିଙ୍କୁ ସରକାରୀ ଚାକିରି, ପାସପୋର୍ଟ ମିଳିବ ନାହିଁ

ଶ୍ରୀନଗର: ରବିବାର ଜମ୍ମୁ-କାଶ୍ମୀର ସରକାର ‘ଦେଶ ବିରୋଧୀ’ ଏବଂ ପଥର ଫିଙ୍ଗାଳିମାନଙ୍କ ଉପରେ ଏକ ବଡ଼ ଧରଣର କଟକଣା ଜାରି କରି ସେମାନଙ୍କ ପାସପୋର୍ଟ କ୍ଲିୟରାନ୍ସକୁ ନିଷେଧ କରିଛନ୍ତି। ତା’ ସହ ସେମାନଙ୍କୁ କୌଣସି ସରକାରୀ ଚାକିରି ମିଳିବ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି।

ବରିଷ୍ଠ ଅଧିକାରୀମାନଙ୍କ ସୂଚନା ଅନୁଯାୟୀ କାଶ୍ମୀରର ସିଆଇଡି ସ୍ବତନ୍ତ୍ର ଶାଖା ପଥର ଫିଙ୍ଗିବା ଏବଂ ଅନ୍ୟାନ୍ୟ ଅପରାଧରେ ଜଡ଼ିତ ଥିବା ବ୍ୟକ୍ତିଙ୍କୁ ସିକ୍ୟୁରିଟି କ୍ଳିୟରାନ୍ସ ନ ଦେବା ପାଇଁ ସମସ୍ତ ୟୁନିଟ୍‌କୁ ନିର୍ଦ୍ଦେଶ ଦେଇଛି। ପାସ୍‌ପୋର୍ଟ, ଭିଜା ଆଦି ପାଇଁ କ୍ଳିୟରାନ୍ସ ଦେଲା ବେଳେ ସମସ୍ତ ଡିଜିଟାଲ୍ ପ୍ରମାଣ ଏବଂ ପୋଲିସ୍ ରେକର୍ଡକୁ ବିଚାରକୁ ନିଆଯିବ। ଏହାପୂର୍ବରୁ ଜମ୍ମୁ-କାଶ୍ମୀରର ସିଭିଲ ସର୍ଭିସେସ୍ (ଚରିତ୍ର ଓ ପୂର୍ବଜ ଯାଞ୍ଚ) ନିର୍ଦ୍ଦେଶାବଳୀ, ୧୯୯୭ରେ ୟୁନିଅନ୍ ଟେରିଟୋରୀ ପ୍ରଶାସନ ଦ୍ବାରା ସରକାରୀ ଚାକିରି ପାଇଁ ସନ୍ତୋଷଜନକ ସିଆଇଡି ରିପୋର୍ଟ ଆଣିବାକୁ ବାଧ୍ୟତାମୂଳକ କରାଯାଇଥିଲା। ଏକ ସ୍ବତନ୍ତ୍ର ରିପୋର୍ଟ ଅନୁଯାୟୀ, କୌଣସି ପରିବାର ସଦସ୍ୟ କିମ୍ବା ଘନିଷ୍ଠ ସମ୍ପର୍କୀୟ କୌଣସି ରାଜନୈତିକ ଦଳ ବା ସଂଗଠନ ସହ ଜଡିତ ଅଛନ୍ତି କିମ୍ବା କୌଣସି ରାଜନୈତିକ କାର୍ଯ୍ୟକଳାପରେ ଭାଗ ନେଇଛନ୍ତି ଅଥବା ବିଦେଶୀ ମିଶନ ବା ସଂଗଠନ ବା ଜମାତ୍-ଇ-ଇସଲାମି ପରି ନିଷିଦ୍ଧ ସଂଗଠନ ସହ ସମ୍ପର୍କ ରଖିଛନ୍ତି କି ନା ତାହା ପ୍ରକାଶ କରିବା ବାଧ୍ୟତାମୂଳକ ହେବ।

ତାଜା ସଂଶୋଧନ ଅନୁଯାୟୀ, ଚାକିରିରେ ଥିବା କର୍ମଚାରୀମାନଙ୍କର ଯଦି ସିଆଇଡି ଦ୍ବାରା ପୁନଃଯାଞ୍ଚ ଆବଶ୍ୟକ ପଡ଼େ, ତେବେ ନିଯୁକ୍ତି ତାରିଖଠାରୁ ପୋଷ୍ଟିଂ ଓ ପଦୋନ୍ନତିର ବିବରଣୀ ସହ ପିତାମାତା, ଜୀବନସାଥୀ, ପିଲା, ସାବତ ପିଲା, ଶଶୂ-ଶ୍ବଶୁର, ଶଳା-ଭିଣେଇ ଏବଂ ଶାଳୀ-ଦେଢ଼ଶାଶୂମାନଙ୍କ ସମ୍ପର୍କରେ ବି ସମସ୍ତ ବିବରଣୀ ପ୍ରଦାନ କରିବାକୁ ପଡିବ।

ସମ୍ବନ୍ଧିତ ଖବର