ବନ୍ଦେ ଭାରତ ଟ୍ରେନ ଉପରକୁ ପଥର ମାଡ

ନୂଆଦିଲ୍ଲୀ: କେରଳରେ ଗତ ମାସ ୨୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଉଦଘାଟିତ ହୋଇଥିବା ବନ୍ଦେ ଭାରତ ଟ୍ରେନ ଉପରକୁ ପଥର ମାଡ ହୋଇଛି। କେରଳର ମାଲାପୁରମ ଜିଲ୍ଲାର ଥିରୁନାଭାୟା ଓ ତିରୁର ଦେଇ ଏହି ଟ୍ରେନ ଯାଉଥିବାବେଳେ ଆକ୍ରମଣକାରୀମାନେ ଏଭଳି ଅଘଟଣ ଘଟାଇଛନ୍ତି। ପଥରଟି ସି- ୪ କୋଚରେ ବାଜିଛି। ଟ୍ରେନର କାଚ ଭାଙ୍ଗିଯାଇଛି। ରେଲୱେ ପୁଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବାବେଳେ ମାଲାପୁରମ ଜିଲ୍ଲା ପୁଲିସ ପକ୍ଷରୁ ତନାଘନା ଜାରି ରହିଛି। ଟ୍ରେନ ଉଦଘାଟନ ପରେ ତିରୁରରେ ରହିବ ବୋଲି ଘୋଷଣା କରାଯାଇଥିଲା।

କିନ୍ତୁ ପର ମୁହୂର୍ତ୍ତରେ ଏହା ବାତିଲ ହୋଇଯାଇ ସୋରନୁରରେ ରହିବ ବୋଲି ଜଣାପଡିବା ପରେ କଂଗ୍ରେସ ନେତୃତ୍ବାଧୀନ ୟୁନାଇଟେଡ ଡେମୋକ୍ରେଟିକ ଫ୍ରଣ୍ଟ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା। ଏଭଳି ଆକ୍ରମଣକୁ କେରଳ ବିଜେପି ମୁଖ୍ୟ କେ.ସୁରେନ୍ଦ୍ରନ ନିନ୍ଦା କରିଛନ୍ତି। ଏହା କେରଳ ପାଇଁ ଏକ ଲଜ୍ଜା ବୋଲି ସେ କହିଛନ୍ତି। ତେବେ ଆକ୍ରମଣକାରୀଙ୍କୁ ପୁଲିସ ଖୋଜି ବାହାର କରିବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର