ଯନ୍ତ୍ରଣାରେ ଛଟପଟ ହୋଇ ସାହାଯ୍ୟ ମାଗୁଥିଲେ ଯୁବକ : ପୁଲିସ କହିଲା ଅଭିନୟ ବନ୍ଦ କର, ଉଡିଗଲା ପ୍ରାଣବାୟୁ

ଚେନ୍ନାଇ: ତାମିଲନାଡ଼ୁର ତୁତିକୋରିନ୍‌ରେ ବେଦାନ୍ତ ଷ୍ଟେର୍‌ଲାଇଟ୍‌ କପର ୟୁନିଟ୍‌ ବିରୋଧରେ ଚାଲିଥିବା ଆନ୍ଦୋଳନ ହିଂସାତ୍ମକ ମୋଡ଼ ନେଇଥିଲା। ଏଥିରେ ଆନ୍ଦୋଳନକାରୀ ଏବଂ ପୁଲିସ ମଧ୍ୟରେ ଜୋରଦାର ସଂଘର୍ଷ ହୋଇଥିଲା। ପରିସ୍ଥିତି ଅଣାୟତ୍ତ ହେବାରୁ ପୁଲିସ ଗୁଳି ଚଳାଇଥିଲା। ଏଥିରେ ୧୩ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ମୁଖ୍ୟମନ୍ତ୍ରୀ ମୃତ ବ୍ୟକ୍ତିଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଦେବାକୁ ଘୋଷଣା କରିଛନ୍ତି। ଏହି ଘଟଣା ପରେ ସହରରେ ଉତ୍ତେଜନା ଲାଗି ରହିଛି। ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି।

ଆନ୍ଦୋଳନକାରୀଙ୍କ ଅଭିଯୋଗ ମୁତାବକ, ପୁଲିସ ଲୋକମାନଙ୍କୁ ଅତି ନିର୍ମମ ଭାବେ ମାଡ ମାରିଥିଲା। ଏହି ସମୟରେ ଘଟଣାସ୍ଥଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ପୁଲିସ ଗୁଳି ବାଜି ଜଣେ ଯୁବକ ରାସ୍ତାରେ ମଝିରେ ଯନ୍ତ୍ରଣାରେ ଛଟପଟ ହୋଇ ସାହାଯ୍ୟ ମାଗୁଥିଲା ବେଳେ ପୁଲିସ ସାହାଯ୍ୟ କରିବା ବଦଳରେ ସେହି ସ୍ଥାନରେ ଛିଡା ହୋଇ ସେହି ଦୃଶ୍ୟକୁ ଦେଖୁଥିଲା। ଏହି ଘଟଣାର ଏକ ଭିଡିଓ ଭାଇରାଲ୍ .ହୋଇଛି।

ଭିଡିଓରେ ଦେଖିବାକୁ ମିଳୁଛି, ଜଣେ ଯୁବକ ଯନ୍ତ୍ରଣାରେ ଚିତ୍କାର କରୁଛନ୍ତି। ଏହି ସମୟରେ ତାଙ୍କୁ ଚାରି ପଟୁ ପୁଲିସ ଘେରି  ଯାଇଛନ୍ତି ଏବଂ ‘ଅଭିନୟ ବନ୍ଦ କର’ ବୋଲି ବାରମ୍ବାର ବାରମ୍ବାର ଉକ୍ତ ଯୁବକଙ୍କୁ ଧମକାଉଛନ୍ତି। କେବଳ ଏତିକି ନୁହେଁ, ଏହି ସମୟରେ ଜଣେ ପୁଲିସକର୍ମୀ ଉକ୍ତ ଯୁବକଙ୍କୁ ବାଡିରେ ପିଟୁ ଥିବାର ମଧ୍ୟ ଦେଖିବାକୁ ମିଳୁଛି।

ସୂଚନାଯୋଗ୍ୟ, ୨୨ବର୍ଷର ଏହି ଯୁବକ କଲିଉପ୍ପନ ବେଦାନ୍ତ ଷ୍ଟେର୍‌ଲାଇଟ୍‌ କପର ୟୁନିଟ୍‌ ବିରୋଧର ପ୍ରଦର୍ଶନ ପାଇଁ ରାସ୍ତାକୁ ଓହ୍ଲାଇ ଥିଲେ। ପୁଲିସ ଗୁଳିବିନିମୟରେ ସେ ଗୁରୁତର ଭାବେ ଆଘାତ ହୋଇଥିଲେ। ସାହାଯ୍ୟ ମାଗିମାଗି ଥକି ପଡ଼ିଥିଲେ ବି ପୁଲିସ ତିଳେ ମାତ୍ର ତାଙ୍କ କଥାକୁ ଖାତିର କରି ନ ଥିଲେ। ଫଳରେ ଉକ୍ତ ଯୁବକଙ୍କ ପ୍ରାଣବାୟୁ ଉଡି ଯାଇଥିଲା। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେଲା ପରେ ଲୋକମାନେ ନକାରାତ୍ମକ ପ୍ରତିକ୍ରିୟା ଦେଖାଇଛନ୍ତି।

ସମ୍ବନ୍ଧିତ ଖବର