ଧାର୍ମିକ ଗାଇଡ୍‌ଲାଇନ୍‌: ନାରୀମାନେ ଅଭିନୟ କରିଥିବା ‘ସୋ’ ପ୍ରସାରଣ ବନ୍ଦ କରିବାକୁ ଟିଭି ଚାନେଲ୍‌ଙ୍କୁ ତାଲିବାନ୍‌ର ନିର୍ଦେଶ

କାବୁଲ୍‌: ନାରୀମାନେ ଅଭିନୟ କରିଥିବା ନାଟକ ଏବଂ ଧାରାବାହିକ ପ୍ରସାରଣ ବନ୍ଦ କରିବା ଲାଗି ଆଫଗାନିସ୍ତାନର ତାଲିବାନ୍ କର୍ତ୍ତୃପକ୍ଷ ରବିବାର ଦିନ ନୂଆ ‘ଧାର୍ମିକ ଗାଇଡ୍‌ଲାଇନ୍‌’ ଜାରି କରି ଦେଶର ଟେଲିଭିଜନ୍‌ ଚାନେଲ୍‌ଗୁଡ଼ିକୁ ନିର୍ଦେଶ ଦେଇଛି।

‘ପ୍ରମୋସନ୍‌ ଅଫ୍ ଭର୍ଚ୍ୟୁ ଆଣ୍ଡ୍‌ ପ୍ରିଭେନ୍‌ସନ୍‌ ଅଫ୍ ଭାଇସ୍‌’ ମନ୍ତ୍ରାଳୟ (ପୁଣ୍ୟର ପ୍ରସାର ଏବଂ ପାପର ପ୍ରତି‌ରୋଧ ପାଇଁ ଥିବା ମନ୍ତ୍ରାଳୟ) ଆଫଗାନ ଗଣମାଧ୍ୟମ ପାଇଁ ପ୍ରଥମ କରି ଏଭଳି ନିର୍ଦେଶାବଳୀ ଜାରି କରିଛି। ଖବର ଉପସ୍ଥାପନ ବେଳେ ଟେଲିଭିଜନ୍‌ ସାମ୍ବାଦିକାମାନେ ଇସ୍‌ଲାମୀୟ ହିଜାବ୍‌ ପିନ୍ଧିବାକୁ ମଧ୍ୟ ତାଲିବାନ୍ ନିର୍ଦେଶ ଦେଇଛି।

Image Courtesy of The Guardian

ଏହା ବ୍ୟତିରେକେ, ମହାପୁରୁଷ ମହମ୍ମଦ କିଂବା ଅନ୍ୟାନ୍ୟ ସମ୍ମାନୀୟ ବ୍ୟକ୍ତିତ୍ବ ଥିବା ଚଳଚ୍ଚିତ୍ର କିଂବା କାର୍ଯ୍ୟକ୍ରମ ମଧ୍ୟ ପ୍ରସାରଣ ନ କରିବା ଲାଗି ମନ୍ତ୍ରାଳୟ ଟେଲିଭିଜନ୍‌ ଚାନେଲ୍‌ଗୁଡ଼ିକୁ କହିଛି। ଇସ୍‌ଲାମୀୟ ଏବଂ ଆଫଗାନ ମୂଲ୍ୟବୋଧର ବିରୁଦ୍ଧାଚରଣ କରୁଥିବା କାର୍ଯ୍ୟକ୍ରମଗୁଡ଼ିକୁ ନିଷେଧ କରିବା ଲାଗି ମଧ୍ୟ ମନ୍ତ୍ରାଳୟ ନିର୍ଦେଶ ଦେଇଛି।

ମନ୍ତ୍ରାଳୟର ମୁଖପାତ୍ର ହକିଫ୍‌ ମୋହାଜିର୍‌ ସମ୍ବାଦ ସରବରାହ ସଂସ୍ଥାନ ‘ଏଏଫ୍‌ପି’କୁ କହିଛନ୍ତି, ଏସବୁ ନିୟମାବଳୀ ନୁହେଁ, ‘ଧାର୍ମିକ ମାର୍ଗଦର୍ଶିକା’। ଉପରୋକ୍ତ ନୂତନ ନିର୍ଦେଶାବଳୀ ସବୁ ରବିବାର ରାତିରେ ସାମାଜିକ ଗଣମାଧ୍ୟମରେ ବ୍ୟାପକ ଭାବେ ପ୍ରସାରିତ ହୋଇଛି।

ସୂଚନାଯୋଗ୍ୟ, ପାଶ୍ଚାତ୍ୟ ଦେଶମାନଙ୍କର ସରକାରଙ୍କ ସହଯୋଗରେ ଗତ ଦୁଇ ଦଶନ୍ଧି ମଧ୍ୟରେ ଆଫଗାନିସ୍ତାନରେ ସ୍ବାଧୀନ ଗଣମାଧ୍ୟମର ବ୍ୟାପକ ଅଭିବୃଦ୍ଧି ଘଟିଛି।

ସମ୍ବନ୍ଧିତ ଖବର