ସୀମାରେ ଶାନ୍ତି ଫେରିଲା

ଘରକୁ ଫେରୁଛନ୍ତି ସୀମାନ୍ତ ଗ୍ରାମବାସୀ

ଶୀନଗର: ଚଳିତବର୍ଷ ଆରମ୍ଭରୁ ଭାରତ-ପାକିସ୍ତାନ ସୀମା ଅଶାନ୍ତ ରହିଥିଲା ବେଳେ ଗତକାଲି ଉଭୟ ଦେଶର ଡିଜିଏମଓସ୍ତରୀୟ ଆଲୋଚନା ପରେ ସୀମାରେ ଶାନ୍ତି ଫେରିଛି। ଉଭୟ ଦେଶ ୨୦୦୩ ଅସ୍ତ୍ରବିରତି ଓ ସୀମାପାର ଆକ୍ରମଣ ବନ୍ଦ ଚୁକ୍ତିନାମାକୁ ପାଳନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ହେବା ପରେ ଗତ ୨୪ ଘଣ୍ଟା ମଧ୍ୟରେ ଗୋଟିଏ ବି ଗୁଳି ଫୁଟିନାହିଁ। ସୀମାରେ ଶାନ୍ତ ପରିସ୍ଥିତି ସ୍ଥାନୀୟ ଲୋକଙ୍କ ମନରେ ଏକ ନୂଆ ଆଶା ସଞ୍ଚାର କରିଛି। ଗୁଳିମାଡ଼ ଭୟରେ ବିସ୍ତାପିତ ହୋଇଯାଇଥିବା ପ୍ରାୟ ୪୦ ହଜାର ଲୋକ ଏବେ ନିଜ ଘରକୁ ଫେରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଚଳିତମାସରେ ଲଗାତାର ୯ ଦିନ ଧରି ପାକିସ୍ତାନ ସୀମାନ୍ତ ଗ୍ରାମଗୁଡ଼ିକୁ ଟାର୍ଗେଟ କରି ଅନବରତ ଗୁଳିମାଡ଼ କରିବା ପରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଉଭୟ ପକ୍ଷର ଏଭଳି ଶାନ୍ତି ପ୍ରୟାସ ଉଦ୍ୟମକୁ ପ୍ରୋତ୍ସାହନ ଦେଇଥିବାରୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି। କିନ୍ତୁ ଉଭୟ ଦେଶ ପକ୍ଷରୁ ଏହି ଚୁକ୍ତିକୁ ନିଷ୍ଠାର ସହ ପାଳନ କରିବାକୁ ଗୁରୁତ୍ୱାରୋପ କରାଯାଇଛି। ଆମେ ଶାନ୍ତି ଚାହୁଛୁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ସୀମାରେ ଏଭଳି ପରିସ୍ଥିତି ଲାଗି ରହିବା ଫଳରେ ସ୍ଥାନୀୟ ଛାତ୍ରଛାତ୍ରୀଙ୍କ ପାଠପଢ଼ା ମଧ୍ୟ ବାଧାପ୍ରାପ୍ତ ହେଉଛି। ଉଭୟ ପଟରେ ନିରୀହ ଜନତାଙ୍କ ମୃତ୍ୟୁ ଘଟିଛି। ତେଣୁ ସବୁ ପ୍ରକାର ଦିଗକୁ ଦୃଷ୍ଟିରେ ରଖି ଉଭୟ ଦେଶ ପକ୍ଷରୁ ଏହି ଚୁକ୍ତିକୁ ପାଳନ କରାଗଲେ ସୀମାନ୍ତ ଗ୍ରାମର ଲୋକେ ଶାନ୍ତିରେ ଜୀବନ ବିତାଇପାରନ୍ତେ ବୋଲି ଦାବି କରିଛନ୍ତି। ପାକିସ୍ତାନ ଡିଜିଏମଓଙ୍କ ପକ୍ଷରୁ ସ୍ୱତନ୍ତ୍ର ହଟଲାଇନ ଆଲୋଚନା ପରେ ଏବେ ଏଲଓସିରେ ଅସ୍ତ୍ରବିରତି ଲାଗୁ ହୋଇଥିବାରୁ ସପ୍ତାହକ ମଧ୍ୟରେ ଏହାର ପୁନଃ ସମୀକ୍ଷା ହେବ ବୋଲି ଜଣାପଡ଼ିଛି । ଭାରତୀୟ ଡିଜିଏମଓ ଲେଫ୍ଟନାଣ୍ଟ ଜେନେରାଲ ଅନିଲ ଚୌହାନ ଓ ପାକ୍‌ ଡିଜିଏମଓ ମେଜର ଜେନେରାଲ ସାହିର ସମଦେଦ ମିର୍ଜା ୧୫ବର୍ଷ ପାଇଁ ଅସ୍ତ୍ରବିରତି ଆଇନକୁ ପାଳନ କରିବାକୁ ଚୁକ୍ତିବଦ୍ଧ ହୋଇଥିଲେ। କିନ୍ତୁ ଏହା ପୂର୍ବରୁ ସୀମାରେ ଉତ୍ତେଜନା ହ୍ରାସ ପାଇଁ ଭାରତ-ପାକିସ୍ତାନ ମଧ୍ୟରେ ଅନେକ ଥର ଡିଜିଏମଓ ସ୍ତରରେ ଆଲୋଚନା ହୋଇଛି। କିଛି ଦିନ ଅସ୍ତ୍ରବିରତି ପାଳନ କରିବା ପରେ ପାକିସ୍ତାନ ପୁଣିଥରେ ଚୁକ୍ତିକୁ ଉଲ୍ଲଂଘନ କରି ସୀମାରେ ଗୁଳିବର୍ଷା କରିଥାଏ ବୋଲି ସ୍ଥାନୀୟ ଲୋକେ ମତବ୍ୟକ୍ତ କରିଛନ୍ତି। ତେଣୁ ବର୍ତ୍ତମାନ ସ୍ଥିତିରେ ଏହି ଅସ୍ତ୍ରବିରତିକୁ ନେଇ ଅନେକ ସନ୍ଦେହ ପ୍ରକଟ କରିଛନ୍ତି।

ସମ୍ବନ୍ଧିତ ଖବର