ନୂଆଦିଲ୍ଲୀ: ଚଳିତ ବର୍ଷ ଠାରୁ ହଜ୍ ଯାତ୍ରୀଙ୍କୁ ଆଉ ସରକାରୀ ରିହାତି ମିଳିବ ନାହିଁ। ବହୁ ବର୍ଷ ଧରି ମୁସଲିମ ଶ୍ରଦ୍ଧାଳୁଙ୍କୁ ମିଳୁଥିବା ଏହି ରିହାତି ସୁବିଧାକୁ ବନ୍ଦ କରିଦେବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ନରେନ୍ଦ୍ର ମୋଦି ସରକାରଙ୍କ ଏହି ନିଷ୍ପତ୍ତି ସଂପର୍କରେ ଆଜି ସୂଚନା ଦେଇଛନ୍ତି ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଅବାସ ନକଭୀ। ସେ କହିଛନ୍ତି ଯେ ରିହାତି ବାବଦ ଅର୍ଥକୁ ସଂଖ୍ୟାଲଘୁ ସମ୍ପ୍ରଦାୟର ନିର୍ଦ୍ଦିଷ୍ଟ ଭାବେ ଝିଅ ଓ ମହିଳାମାନଙ୍କ ଶିକ୍ଷାଗତ ସଶକ୍ତୀକରଣ ଏବଂ ଜନମଙ୍ଗଳ ଲାଗି ଖର୍ଚ୍ଚ କରାଯିବ। ଏହାଦ୍ୱାରା କୌଣସି ତୁଷ୍ଟୀକରଣ ବିନା ଆତ୍ମମର୍ଯ୍ୟାଦାର ସହ ସଂଖ୍ୟାଲଘୁମାନଙ୍କର ସଶକ୍ତୀକରଣ ହୋଇପାରିବ। ଚଳିତବର୍ଷ ଲକ୍ଷେ ୭୫ ହଜାର ମୁସଲିମ ତୀର୍ଥଯାତ୍ରୀ ହଜ୍ ଯାତ୍ରାରେ ବାହାରିଛନ୍ତି। ବିଗତ ବର୍ଷଗୁଡ଼ିକ ତୁଳନାରେ ଏହିସଂଖ୍ୟା ସର୍ବାଧିକ ରହିଛି। ତେବେ ସରକାରୀ ରିହାତି ନମିଳିବା ଦ୍ୱାରା ହଜ୍ ଯାତ୍ରା ଖର୍ଚ୍ଚ ଆଦୌ ପ୍ରଭାବିତ ହେବନି ବୋଲି ନକ୍ଭୀ କହିଛନ୍ତି। ଏହି ରିହାତି କେବଳ ଏୟାର ଇଣ୍ଡିଆରେ ଯାଉଥିବା ହଜଯାତ୍ରୀଙ୍କୁ ମିଳୁଥିଲା।
ଉଲ୍ଲେଖଯୋଗ୍ୟ, ୨୦୨୨ ସୁଦ୍ଧା ହଜ୍ ତୀର୍ଥଯାତ୍ରା ଲାଗି ଦିଆଯାଉଥିବା ରିହାତି ବନ୍ଦ କରିବାକୁ ୨୦୧୨ ମସିହାର ଏକ ରାୟରେ ମାନ୍ୟବର ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁସାରେ ହଜ୍ ରିହାତି ପ୍ରତ୍ୟାହାର କରିବା ପାଇଁ ଏକ ନୀତି ମଧ୍ୟ ପ୍ରସ୍ତୁତ ହୋଇଥିଲା। ତେବେ ଭାରତର ହଜ୍ କମିଟି ଏବଂ ଘରୋଇ ଟୁର୍ ଅପରେଟଙ୍କ ମଧ୍ୟରେ ଆସନ୍ତା ୫ ବର୍ଷ ମଧ୍ୟରେ ୭୦ : ୩୦ ଅନୁପାତରେ ହଜ୍ ଯାତ୍ରୀ ସଂଖ୍ୟା ଆବଣ୍ଟନ ପାଇଁ ଉକ୍ତ ନୀତିର ମୁଖ୍ୟ ଲକ୍ଷ୍ୟ ଥିଲା। ସଂଖ୍ୟାଲଘୁ ମନ୍ତ୍ରାଳୟ ମଧ୍ୟ ୨୦୧୭ ମସିହାରେ ହଜ୍ ନୀତିର ସମୀକ୍ଷା ପାଇଁ ଏକ କମିଟି ଗଠନ କରିଥିଲେ ଏବଂ ୨୦୧୮-୨୨ ବର୍ଷ ଲାଗି ନୂଆ ହଜ୍ ନୀତି ପାଇଁ ଏକ ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି।
ସୂଚନାଯୋଗ୍ୟ ଯେ ୨୦୧୧ରେ ୧ ଲକ୍ଷ ୨୫ ହଜାର ହଜଯାତ୍ରୀ ଯାଇଥିବା ବେଳେ ଏଥର ୧ ଲକ୍ଷ ୭୫ ହଜାର ଯାତ୍ରା କରିବେ। ସେହିଭଳି ୨୦୧୧ରେ ହଜ ସବସିଡି ବାବଦ ସରକାର ୬୮୫ କୋଟି ଟଙ୍କା ଦେଇଥିବା ବେଳେ ତାହା ଗତବର୍ଷ ୨୦୦ କୋଟିକୁ ହ୍ରାସ ପାଇଥିଲା।