କର୍ଣ୍ଣାଟକର ଶୁଣାଣି ସ୍ଥଗିତ ଆବେଦନ ଖାରଜ

ସୁପ୍ରିମକୋର୍ଟରେ କାବେରୀ ଜଳ ବିବାଦ

ନୂଆଦିଲ୍ଲୀ: କର୍ଣ୍ଣାଟକରେ ଏବେ ସରକାର ଗଠନକୁ ନେଇ ଅନିଶ୍ଚିତତା ଲାଗି ରହିଥିବାବେଳେ ଆଜି ସୁପ୍ରିମକୋର୍ଟରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାବେରୀ ଜଳ ବିବାଦ ସଂକ୍ରାନ୍ତ ଚିଠା ପ୍ରସ୍ତାବ ଚୁଡ଼ାନ୍ତକୁ କିଛିଦିନପାଇଁ ସ୍ଥଗିତ ରଖିବାପାଇଁ କର୍ଣ୍ଣାଟକ ସରକାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ମଧ୍ୟ କୋର୍ଟ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ସୁପ୍ରିମକୋର୍ଟରେ ଆଜି ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠରେ କାବେରୀ ଜଳବିବାଦ ମାମଲାର ଶୁଣାଣି ହୋଇଥିଲା। କର୍ଣ୍ଣାଟକ ପକ୍ଷରୁ ଆଜି ବରିଷ୍ଠ ଆଇନଜୀବୀ ଶ୍ୟାମ ଦିବନ କହିଛନ୍ତି ଯେ ରାଜ୍ୟରେ ଏବେ ସରକାର ଗଠନ ଚାଲିଛି। ଅନ୍ୟ ରାଜ୍ୟ ପରି କର୍ଣ୍ଣାଟକ ମଧ୍ୟ ଚିଠା ପ୍ରସ୍ତାବରେ ଏହାର ପ୍ରସ୍ତାବ ଦେବାକୁ ଚାହେ। ତେଣୁ ମାମଲାର ଶୁଣାଣିକୁ ଜୁଲାଇ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଘୁଞ୍ଚାଯାଉ। କିନ୍ତୁ ତାମିଲନାଡ଼ୁର ବରିଷ୍ଠ ଆଇନଜୀବୀ ଶେଖର ନାଫାଡ଼େ ଏହାର ବିରୋଧ କରି କହିଥିଲେ ଯେ ଜୁନ୍‌ ମାସରେ କାବେରୀରୁ ପ୍ରଥମ ଜଳ ନିଷ୍କାସନ ହେବାକୁ ଥିବାରୁ କୋର୍ଟ ଜୁଲାଇ ପର୍ଯ୍ୟନ୍ତ ଅପେକ୍ଷା କରିପାରିବେନି। ଅନ୍ୟପକ୍ଷରେ କୋର୍ଟ ମଧ୍ୟ ଦିବନଙ୍କ କଥାରେ କର୍ଣ୍ଣାପତ ନକରି ତାମିଲନାଡ଼ୁ, କେରଳ ଏବଂ କେନ୍ଦ୍ର ଶାସିତ ପୁଡ଼ୁଚେରୀ ପକ୍ଷ ଶୁଣିଥିଲେ। କୋର୍ଟ ଉକ୍ତ ରାଜ୍ୟ ଗୁଡ଼ିକ ଦ୍ୱାରା କାବେରୀ ପରିଚାଳନା ଯୋଜନା ୨୦୧୮ରେ କରାଯାଇଥିବା ୪ଟି ପରିବର୍ତ୍ତନ ପାଇଁ ମଧ୍ୟ ରାଜି ହୋଇଛନ୍ତି। ତେବେ ଏସବୁ ପରିବର୍ତ୍ତନକୁ ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ର ଚିଠା ପ୍ରସ୍ତାବରେ ରଖିବାପାଇଁ ପ୍ରଧାନ ବିଚାରପତି ଦୀପକ ମିଶ୍ର କେନ୍ଦ୍ରର ଏଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତାମିଲନାଡ଼ୁର ସୁପାରିସ କ୍ରମେ କୋର୍ଟ କାବେରୀ ବୋର୍ଡର ମୁଖ୍ୟାଳୟ ବେଙ୍ଗାଲୁରୁ ବଦଳରେ ନୂଆଦିଲ୍ଲୀରେ ହେବାପାଇଁ ରାଜି ହୋଇଛନ୍ତି।

ସମ୍ବନ୍ଧିତ ଖବର