ନଭେମ୍ବର ସୁଦ୍ଧା ଇରାନଠାରୁ ତେଲ ଆମଦାନୀ ବନ୍ଦ କର, ଭାରତକୁ ଚେତାବନୀ ଶୁଣାଇଲା ଆମେରିକା

ଓ୍ଵାସିଂଟନ : ତେଲ ଦର ବଢିଚାଲିଥିବାରୁ ଭାରତ ସରକାରଙ୍କ ମୁଣ୍ଡବ୍ୟଥା କମିନଥିବାବେଳେ ଆଉ ଏକ ଚିନ୍ତା ସୃଷ୍ଟି କରିଛି ଆମେରିକା । ଆସନ୍ତା ନଭେମ୍ବର ୪ ସୁଦ୍ଧା ଇରାନଠାରୁ ସବୁ ତୈଳ ଅମଦାନୀ ବନ୍ଦ କରିବାକୁ ଆମେରିକା ଭାରତକୁ ରୋକଠୋକ ଶୁଣାଇଦେଇଛି । ଭାରତ ପ୍ରତି କୌଣସି କୋହଳ ମନୋଭାବ ପୋଷଣ କରାଯିବ ନାହିଁ ବୋଲି ଆମେରିକାର ବୈଦେଶିକ ବିଭାଗର ଜଣେ ଅଧିକାରୀ କହିଛନ୍ତି । ଇରାନ ଉପରେ ଆମେରିକାର କଟକଣା ହଟିବା ପରେ ଭାରତ ନିଜ ତୈଳ ଆବଶ୍ୟକତାର ଏକ ବଡ଼ ଭାଗ ଇରାନରୁ ଆମଦାନୀ କରୁଛି । ଇରାନ ଭାରତକୁ ରିହାତି ଦରରେ ତେର ଯୋଗାଇଥାଏ । ଆହୁରି ମଧ୍ୟ ଇରାନକୁ ଭାରତୀୟ ଟଙ୍କାରେ ପେମେଣ୍ଟ କରିଥାଏ ଭାରତ । ଏଣୁ ଅନ୍ତର୍ଜାତୀୟ ବଜାରରେ ଡଲାର ମୂଲ୍ୟ ଉପର ତଳ ହେଲେ ମଧ୍ୟ ତାହାର ପ୍ରଭାବ ଇରାନ-ଭାରତ ତୈଳ କାରବାର ଉପରେ ପଡିନଥାଏ । କିନ୍ତୁ ଆମେରିକା ପୁଣି ଇରାନ ଉପରେ କଟକଣା ଲଗାଉଥିବାରୁ ତାହା ଭାରତ ପାଇଁ ଚିନ୍ତାର ବିଷୟ ହୋଇଛି । କିଛିଦିନ ତଳେ ଆମେରିକା ରାଷ୍ଟ୍ରପତି ଇରାନ ଉପରେ କଟକଣା ଲଗାଇବା ବିଷୟରେ ଘୋଷଣା କରିଥିଲେ । ଇରାନ ବେଆଇନ ଆଣବିକ କାର୍ଯ୍ୟକ୍ରମ ଚଳାଇଥିବାରୁ ଆମେରିକା ତାକୁ ଟାର୍ଗେଟ କରୁଛି । ତେବେ ଭାରତ କେବଳ ଜାତିସଂଘର କଟକଣା ମାନିଥାଏ, ଅନ୍ୟ ଦେଶର କଟକଣା ସହିତ କୌଣସି ଯାଏ ଆସେ ନାହିଁ ବୋଲି ରୋକଠୋକ ଶୁଣାଇଦେଇଛି । କିନ୍ତୁ ଏହାକୁ ନେଇ ପୁଣି ଆମରିକା ଭାରତ ମୁହାଁମୁହିଁ ହେବାର ଆଶଙ୍କା ଦେଖାଦେଇଛି ।

ସମ୍ବନ୍ଧିତ ଖବର