ମନମୋହନ ସିଂହଙ୍କୁ କହିଲେ ନଡ୍ଡା: ବାରମ୍ବାର ପରାକ୍ରମ ଉପରେ ସନ୍ଦେହ କରି ନିରାପତ୍ତା ବଳଙ୍କୁ ଅପମାନ ଦିଅନ୍ତୁ ନାହିଁ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ କଂଗ୍ରେସ ପାର୍ଟିକୁ ସମାଲୋଚନା କରି ସୋମବାର ଦିନ ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି ଯେ, ସେମାନେ ଥରକୁ ଥର ନିରାପତ୍ତା ବଳଙ୍କ ପରାକ୍ରମ ଉପରେ ସନ୍ଦେହ କରି ସେମାନଙ୍କୁ ଅପମାନିତ କରନ୍ତୁ ନାହିଁ।

ଟୁଇଟର୍‌ରେ ପୋଷ୍ଟ୍ ହୋଇଥିବା ଏକ ବାର୍ତ୍ତାରେ ନଡ୍ଡା ଲେଖିଛନ୍ତି, ଦୟାପୂର୍ବକ, ପରାକ୍ରମ ଉପରେ ସନ୍ଦେହ କରି ବାରମ୍ବାର ନିରାପତ୍ତା ବଳଙ୍କୁ ଅପମାନ ଦିଅନ୍ତୁ ନାହିଁ। ଏୟାର୍ ଷ୍ଟ୍ରାଇକ୍ ଏବଂ ସର୍ଜିକାଲ୍ ଷ୍ଟ୍ରାଇକ୍ ପରେ ମଧ୍ୟ ଆପଣ ଏ ଭଳି ସନ୍ଦେହ ପ୍ରକଟ କରିଥିଲେ। ବିଶେଷକରି, ସାମ୍ପ୍ରତିକ ସମୟରେ ଜାତୀୟ ଏକତାର ବାସ୍ତବ ଅର୍ଥ ବୁଝନ୍ତୁ। ସୁଧୁରିବା ସମୟ ଗଡ଼ିଯାଇନାହିଁ।

Image Courtesy of Zee News

ଜୁନ୍ ୧୫ ତାରିଖ ରାତିରେ ଲଦାଖରେ ଭାରତ ଓ ଚୀନ୍ ସୈନିକମାନଙ୍କ ମଧ୍ୟରେ ସଂଘର୍ଷ ଘଟି ସହିଦ ହୋଇଥିବା ୨୦ଜଣ ଭାରତୀୟ ଯବାନଙ୍କ ସମ୍ବନ୍ଧରେ ଡକ୍ଟର ସିଂହ ଦେଇଥିବା ବିବୃତି ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ନଡ୍ଡା ଏ ଭଳି ଟୁଇଟ୍ କରିଛନ୍ତି।

ଆଜି ମଧ୍ୟ ମନମୋହନ ସିଂହ କହିଛନ୍ତି ଯେ, ଦେଶର ନିରାପତ୍ତା ନିମନ୍ତେ ନିଜ କଥା ଓ‌ ଘୋଷଣାକୁ କାର୍ଯ୍ୟରେ ପରିଣତ କରିବା ପ୍ରତି ପ୍ରଧାନମନ୍ତ୍ରୀ ସଚେତନ ହେବା ଉଚିତ। ଲଦାଖ ସଂଘର୍ଷରେ ସହିଦ ହୋଇଥିବା କର୍ଣ୍ଣେଲ୍ ସନ୍ତୋଷ ବାବୁ ଏବଂ ଅନ୍ୟ ୧୯ଜଣ ଯବାନଙ୍କ ପ୍ରତି ମଧ୍ୟ ଡକ୍ଟର୍ ମନମୋହନ ସିଂହ ନ୍ୟାୟ ଦାବି କରିଛନ୍ତି।

 

ସମ୍ବନ୍ଧିତ ଖବର