ସ୍ପାଇସ୍‌ ଜେଟ୍‌ର ଉଡ଼ାଣକୁ ବନ୍ଦ କରନ୍ତୁ: ସିରିଏଲ ତ୍ରୁଟି ମଧ୍ୟରେ ଦିଲ୍ଲୀ ହାଇକୋର୍ଟରେ ଆଗତ ହେଲା ମାମଲା

ନୂଆଦିଲ୍ଲୀ: ଯାତ୍ରୀବାହୀ ସ୍ପାଇସ୍‌ ଜେଟ୍‌ ବିମାନରେ ନିକଟ ଅତୀତରେ ଘଟି ଯାଇଥିବା ସିରିଏଲ ତ୍ରୁଟିକୁ ଦର୍ଶାଇ ସ୍ପାଇସ୍‌ ଜେଟର ଉଡ଼ାଣକୁ ରଦ୍ଦ କରିବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଏକ ମାମଲା ଆଗତ ହୋଇଛି। ଆଗତ ଆବେଦନରେ ଦର୍ଶାଯାଇଛି ଯେ ଯାତ୍ରୀବାହୀ ସ୍ପାଇସ୍‌ ଜେଟ୍‌ ବିମାନରେ ଏକାଧିକ ଗୁରୁତର ବୈଷୟିକ ତ୍ରୁଟି ଘଟଣା ଘଟିବା ପରେ ସ୍ପାଇସ୍‌ ଜେଟ୍‌ର ବିମାନ ଚଳାଚଳକୁ ବନ୍ଦ କରିଦେବା ଆବଶ୍ୟକ।

ଏହି ଉଦ୍ଦେଶ୍ୟରେ ଏୟାର କ୍ୟାରିଅର ସ୍ପାଇସ ଜେଟର ବିମାନ ଚଳାଚଳ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବାକୁ ଦିଲ୍ଲୀ ହାଇକୋର୍ଟରେ ଏକ ଆବେଦନ ଦାଖଲ କରାଯାଇଛି। ସ୍ପାଇସ୍‌ ଜେଟ୍‌ ବିମାନରେ ବୈଷୟିକ ତ୍ରୁଟିର ଅନେକ ଘଟଣା ଘଟିବା ପରେ ଏହି ଆବେଦନ କରାଯାଇଛି।

ଆବେଦନରେ ଆଇନଜୀବୀ ରାହୁଲ ଭରଦୱାଜ କହିଛନ୍ତି ଯେ ସ୍ପାଇସ ଜେଟ୍‌ ବିମାନ ସହିତ ଏକାଧିକ ସାମ୍ପ୍ରତିକ ଘଟଣା ଘଟିଛି। ସ୍ପାଇସ ଜେଟ୍‌ର କାର୍ଯ୍ୟକୁ ସଠିକ୍‌ ଭାବରେ ପରିଚାଳନା କରାଯାଉଛି କି ନାହିଁ ସେ ବିଷୟରେ ଅନୁସନ୍ଧାନ ପାଇଁ ଏହି ଆବେଦନରେ ଏକ କମିଶନ ମଧ୍ୟ ମାଗା ଯାଇଛି।

ଜୁଲାଇ ୬ ରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ସ୍ପାଇସ ଜେଟକୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା। ଜୁନ୍‌ ୧୯ରୁ ଏହାର ବିମାନରେ ବୈଷୟିକ ତ୍ରୁଟିର ଆଠଟି ଘଟଣା ରିପୋର୍ଟ ହେବା ପରେ ଏହି ନୋଟିସ ଜାରି କରା ଯାଇଥିଲା।

ଅନ୍ୟପକ୍ଷରେ ଡିଜିସିଏ କହିଛି ଯେ ସୁରକ୍ଷିତ, ଦକ୍ଷ ଏବଂ ନିର୍ଭରଯୋଗ୍ୟ ବିମାନ ସେବା ପ୍ରତିଷ୍ଠା କରିବାରେ ସ୍ପାଇସ୍‌ ଜେଟ୍‌ ବିଫଳ ହୋଇଛି। ଏହି ବିଜ୍ଞପ୍ତିର ଉତ୍ତର ଦେବା ପାଇଁ ନିୟାମକ ସ୍ପାଇସ୍‌ ଜେଟ୍‌କୁ ତିନି ସପ୍ତାହ ସମୟ ଦେଇଛନ୍ତି।

ଡିଜିସିଏର କାରଣ ଦର୍ଶାଅ ନୋଟିସ୍‌ ପରେ ସ୍ପାଇସ୍‌ ଜେଟ୍‌ର ଅଧ୍ୟକ୍ଷ ତଥା ଏମ୍‌ ଡି ଅଜୟ ସିଂ ଗଣମାଧ୍ୟମକୁ କହିଛନ୍ତି ଯେ ସ୍ପାଇସ୍‌ ଜେଟ୍‌ ଉଡ଼ିବା ପାଇଁ ଶତ ପ୍ରତିଶତ ସୁରକ୍ଷିତ।

ଇତିମଧ୍ୟରେ ଆଜି ଆୟୋଜିତ ଏକ ବୈଠକରେ ଡିଜିସିଏ ଦ୍ୱାରା ନିରାପତ୍ତା ତଦାରଖକୁ କଡାକଡି ଏବଂ ଆହୁରି ଉନ୍ନତ କରିବା ଦିଗରେ ନିର୍ଦ୍ଦେଶ ଜାରି କରାଯାଇଛି ବୋଲି ସୂତ୍ରରୁ ପ୍ରକାଶ। ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ କହିଛି ଯେ ଯାତ୍ରୀ ସୁରକ୍ଷା ସର୍ବୋଚ୍ଚ ଏବଂ ସୁରକ୍ଷା, ବିମାନ ଚଳାଚଳର ବିଶ୍ୱସନୀୟତା ଏବଂ କଠୋର ଆନ୍ତର୍ଜାତୀୟ ନିରାପତ୍ତା ନିୟମ ସହିତ କୌଣସି ଆପୋଷ ବୁଝାମଣା ହେବ ନାହିଁ।

ସମ୍ବନ୍ଧିତ ଖବର