ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ଘୋଷଣା ପରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ହ୍ୱାଟ୍ସଆପ୍ରେ ‘ବିକଶିତ ଭାରତ’ ବାର୍ତ୍ତା ପଠାଇବା ତୁରନ୍ତ ବନ୍ଦ କରିବାକୁ ନିର୍ବାଚନ କମିସନ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ କମିସନ ଏ ବାବଦରେ ମନ୍ତ୍ରଣାଳୟଠାରୁ ଅନୁପାଳନ ରିପୋର୍ଟ ଦାବି କରିଛି। ନିର୍ବାଚନ ଘୋଷଣା ଏବଂ ଆଦର୍ଶ ଆଚରଣ ବିଧି କାର୍ଯ୍ୟକାରୀ ହେବା ସତ୍ତ୍ୱେ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ଲୋକଲୋଚନକୁ ଆଣିବା ପାଇଁ ‘ବିକଶିତ ଭାରତ’ ଅଧୀନରେ ପଠାଯାଉଥିବା ବାର୍ତ୍ତା ଜାରି ରହିଛି ବୋଲି ଅଭିଯୋଗ ଆସିବା ପରେ ନିର୍ବାଚନ କମିସନ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାର ଜବାବରେ ମନ୍ତ୍ରାଳୟ ପକ୍ଷରୁ ନିର୍ବାଚନ କମିସନଙ୍କୁ କୁହାଯାଇଛି ଯେ ଯଦିଓ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଏହି ବାର୍ତ୍ତା ପଠାଯାଇଥିଲା, କିନ୍ତୁ ସେଥିମଧ୍ୟରୁ କେତେକ ସମ୍ଭବତଃ ବ୍ୟବସ୍ଥାଗତ ଏବଂ ନେଟୱର୍କ ସୀମିତ କାରଣରୁ ବିଳମ୍ବରେ ଗ୍ରହଣକାରୀଙ୍କ ନିକଟରେ ପହଞ୍ଚିଥିଲା। ସୂଚନାଯୋଗ୍ୟ ମାର୍ଚ୍ଚ ୧୬ରେ ନିର୍ବାଚନ କମିସନଙ୍କ ଘୋଷଣା ଅନୁଯାୟୀ ଏପ୍ରିଲ ୧୯ରୁ ଜୁନ୍ ପହିଲା ପର୍ଯ୍ୟନ୍ତ ସାତଟି ପର୍ଯ୍ୟାୟରେ ନିର୍ବାଚନ ହେବ ଏବଂ ଜୁନ୍ ୪ରେ ଫଳାଫଳ ପ୍ରକାଶ ପାଇବ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp