ମୋତେ ଚୋର ବୋଲି ପ୍ରଚାର କରାଯିବା ବନ୍ଦ ହେଉ : ବିଜୟ ମାଲ୍ୟା

ଲଣ୍ଡନ: ପ୍ରାୟ ୯ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ନସୁଝି ବିଦେଶ ପଳାଇଯାଇଥିବା ବିଜୟ ମାଲ୍ୟା ଆଜି ପୁଣି ମୁହଁ ଖୋଲିଛନ୍ତି । ଏଥର ସେ ଗଣମାଧ୍ୟମକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ଦୁବାଇରୁ ନିକଟରେ ହୋଇଥିବା ପ୍ରତ୍ୟାର୍ପଣ ମାମଲା ( ଖ୍ରୀଷ୍ଟିଆନ ମିସେଲ) ସହ ତାଙ୍କ ମାମଲାକୁ ଯୋଡିବା ଠିକ ନୁହେଁ । ସେ ଯେଉଁଠାରେ ବି ଥାଆନ୍ତୁ, ଅର୍ଥ ପରିଶୋଧ କରିବାକୁ ରାଜି ଅଛନ୍ତି । ବ୍ୟାଙ୍କମାନେ ତାହାକୁ ନିଅନ୍ତୁ । କିନ୍ତୁ ସେ ଚୋରୀ କରିଥିବା ଚର୍ଚ୍ଚା ବନ୍ଦ ହେଉ ।

 

ଟ୍ଵିଟ୍‌ କରି ସେ ଲେଖିଛନ୍ତି ଯେ ତାଙ୍କୁ ଭାରତରେ ବ୍ୟାଙ୍କ ଠକେଇର ପୋଷ୍ଟର ବୟ ବନେଇଦିଆଯାଇଛି । ବ୍ୟାଙ୍କମାନେ ତାଙ୍କୁ ଇଚ୍ଛାକୃତ ବ୍ୟାଙ୍କ ଖିଲାପୀ ବୋଲି କହୁଛନ୍ତି । ରାଜନୈତିକ ଦଳ ଓ ମିଡିଆ ତାଙ୍କୁ ଏକ ଅପରାଧୀ ପରି ଟାର୍ଗେଟ କରୁଛନ୍ତି ବୋଲି ସେ କହିଛନ୍ତି । ୯ ହଜାର କୋଟି ଟଙ୍କାର ଋଣ କିଙ୍ଗଫିସର ଏୟାରଲାଇନ୍ସକୁ ଦିଆଯାଇଥିଲା, କିନ୍ତୁ ଦୁର୍ଭାଗ୍ୟର ବିଷୟ ହେଉଛି ସେ ସମୟରେ ତେଲଦର ବ୍ୟାରେଲ ପିଛା ରେକର୍ଡ ୧୪୫ ଡଲାରକୁ ଟପିଯାଇଥିଲା । ଏହା ଫଳରେ କମ୍ପାନି ଦେବାଳିଆ ହୋଇଯାଇଥିଲା । କିନ୍ତୁ ସେ ଏହି ଅର୍ଥ ଚୋରୀ କରି ନେଇଛନ୍ତି ବୋଲି ପ୍ରଚାର କରାଯାଉଛି । କିନ୍ତୁ ସେ ଇଚ୍ଛାକରି ଋଣ ଖିଲାଫ କରିନାହାନ୍ତି ବୋଲି କହିଛନ୍ତି ।

ତାଙ୍କ ପକ୍ଷ କେହି ନ ଶୁଣି ତାଙ୍କୁ ଅପରାଧୀ ବିବେଚନା କରାଯାଉଛି । ନିଜର ପକ୍ଷ ରଖି ସେ ୨୦୧୬ରେ ଏପ୍ରିଲ ୧୫ରେ ଉଭୟ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ । କିନ୍ତୁ ଏହାର କୌଣସି ଜବାବ ଆସିନଥିଲା । ସୂଚନାଯୋଗ୍ୟ ଯେ ଏବେ ଲଣ୍ଡନରେ ରହୁଥିବା ବିଜୟ ମାଲ୍ୟା ପ୍ରତ୍ୟାର୍ପଣ ମାମଲାରେ ସମ୍ମୁଖୀନ ହେଉଛନ୍ତି ।

ସମ୍ବନ୍ଧିତ ଖବର