ନୂଆଦିଲ୍ଲୀ: ଅକ୍ଟୋବର ୧୬, ୨୦୧୯ରେ ଜଣେ ଅବାଞ୍ଛିତ ବ୍ୟକ୍ତିକୁ କୋର୍ଟରୁମ୍ ଭିତରେ ପ୍ରବେଶ କରିବାରୁ ଯଦି ଅଟକାଯାଇ ନ ଥାନ୍ତା, ତେବେ ଗୁରୁତ୍ବପୂର୍ଣ୍ଣ ଅଯୋଧ୍ୟା ଜମି ମାମଲାର ଶୁଣାଣି ବାଧାପ୍ରାପ୍ତ ହୋଇଥାନ୍ତା ଏବଂ ନଭେମ୍ବର ୯, ୨୦୧୯ରେ ରାମ ମନ୍ଦିର ସପକ୍ଷରେ ଐତିହାସିକ ରାୟ ପ୍ରଦାନ କରିବା ସମ୍ଭବ ହୋଇ ନ ଥାନ୍ତା ବୋଲି ସୁପ୍ରିମ୍‌କୋର୍ଟର ପୂର୍ବତନ ପ୍ରଧାନବିଚାରପତି ତଥା ବର୍ତ୍ତମାନ ରାଜ୍ୟସଭା ଏମ୍‌ପି ରଞ୍ଜନ ଗୋଗୋଇ କହିଛନ୍ତି।

Advertisment

ବୁଧବାର ଗୋଗୋଇଙ୍କର ଆତ୍ମଜୀବନୀ ‘ଜଷ୍ଟିସ୍ ଫର୍ ଦ ଜଜ୍’ ପ୍ରକାଶ ପାଇଛି। ପୂର୍ବତନ ପ୍ରଧାନବିଚାରପତି ଏସ୍‌ଏ ବୋବଡ଼େଙ୍କ ଦ୍ବାରା ଉନ୍ମୋଚିତ ଏହି ପୁସ୍ତକରେ ଅଯୋଧ୍ୟା ମାମଲାର ଶୁଣାଣି ସମୟରେ ଘଟିଥିବା ତାଙ୍କର କେତେକ ପୁରୁଣା ସ୍ମୃତି ବିଷୟରେ ସେ ଉଲ୍ଲେଖ କରିଛନ୍ତି। ବାଧାସୃଷ୍ଟି କରିବାର ସମ୍ଭାବନା ଥିବା ଉକ୍ତ ବ୍ୟକ୍ତି ଜଣକ ଉଭୟ ପକ୍ଷ ମଧ୍ୟରୁ ଗୋଟିଏ ପକ୍ଷର ବୋଲି ଗୋଗୋଇ ତାଙ୍କ ପୁସ୍ତକରେ ଲେଖିଛନ୍ତି। ତାଙ୍କର ଉଦ୍ଦେଶ୍ୟ ଭଲ ନୁହେଁ ଏବଂ ଶୁଣାଣିରେ ବାଧା ସୃଷ୍ଟି କରିବାକୁ ସେ ଚାହାନ୍ତି ବୋଲି ଜାଣିପାରି ଗୋଗୋଇଙ୍କ ଇଶାରାରେ ବ୍ୟକ୍ତି ଜଣଙ୍କୁ ଭିତରେ ପ୍ରବେଶ କରିବାକୁ ଦିଆଯାଇ ନ ଥିଲା।

ସୂଚନାଯୋଗ୍ୟ ଯେ ଜଷ୍ଟିସ୍ ଗୋଗୋଇ ନଭେମ୍ବର ୧୭, ୨୦୧୯ରେ ଅବସର ନେଇଥିଲେ। ତେବେ ସେ ବ୍ୟକ୍ତି ଜଣକ କିଏ, ଯାହାଙ୍କୁ ଭିତରେ ପ୍ରବେଶ କରିବାକୁ ଦିଆଯାଇ ନ ଥିଲା, ତାହା ଗୋଗୋଇ ପ୍ରକାଶ କରି ନାହାନ୍ତି। ଗୋଗୋଇ ଲେଖିଛନ୍ତି, ଶୁଣାଣି ଦିନ ସେକ୍ରେଟେରୀ ଜେନେରାଲ ସଞ୍ଜୀବ କାଲାଗାଓଁକର ତାଙ୍କ ପାଖକୁ ଖବର ପଠାଇଲେ ଯେ, ଜଣେ ବାଦୀ ଭିତରକୁ ଯିବାକୁ ଅନୁମତି ଚାହୁଁଛନ୍ତି। ଗୋଗୋଇ ତାଙ୍କ ପାଖକୁ ଏକ ହାତଲେଖା ଚିଠି ପଠାଇଲେ, ଯେଉଁଥିରେ ସେ ଲେଖିଥିଲେ କୌଣସି ବି ପରିସ୍ଥିତିରେ ଉକ୍ତ ବ୍ୟକ୍ତିଙ୍କୁ ଭିତରକୁ ଛାଡ଼ନା।