ୟୁପି, ବିହାର ଓ ଝାଡ଼ଖଣ୍ଡରେ ବିପର୍ଯ୍ୟୟ :ଝଡ଼ତୋଫାନରେ ୫୪ ମୃତ

ଲକ୍ଷ୍ନୌ : ୟୁପି, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଏବଂ ବିହାରରେ ପୁଣିଥରେ ଝଡ଼ତୋଫାନ ଯୋଗୁଁ ବଡ଼ ଧରଣର ବିପର୍ଯ୍ୟୟ ସୃଷ୍ଟି ହୋଇଛି। ଏହି ୪ ରାଜ୍ୟରେ ସମୁଦାୟ ୫୪ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ପ୍ରାୟ ୫ ହଜାର ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି। ବିଗତ ୪୮ ଘଣ୍ଟା ମଧ୍ୟରେ ଦେଶର ବିଭିନ୍ନ ଅଂଚଳରେ ଝଡ଼ତୋଫାନ ହୋଇଥିବାବେଳେ ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ ଏବଂ ବିହାରରେ ସର୍ବାଧିକ କ୍ଷତି ହୋଇଛି। ବିହାରରେ ଝଡ଼ତୋଫାନ ଏବଂ ବଜ୍ରପାତ ହେତୁ ୧୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପଡ଼ୋଶୀ ଝାଡ଼ଖଣ୍ଡରେ କେବଳ ବଜ୍ରପାତରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୮ ଜଣ ଆହତ ହୋଇଛନ୍ତି। ଉତ୍ତରପ୍ରଦେଶର ଉନ୍ନାଓ, କାନପୁର ଏବଂ ରା ବରେଲିରେ ଝଡ଼ତୋଫାନ ଏବଂ ବଜ୍ରପାତ ଯୋଗୁଁ ହେତୁ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଉନ୍ନାଓ ଜିଲ୍ଲାରେ ଗତକାଲି ରାତିରେ ବଜ୍ରପାତରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ରିପୋର୍ଟ ମିଳିଛି। କାନପୁରରେ ଝଡ଼ତୋଫାନ ହେତୁ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ରାଏ ବରେଲିରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ମଧ୍ୟପ୍ରଦେଶରେ ଝଡ଼ ତୋଫାନରେ ୭ ଜଣଙ୍କ ମୃତ୍ୟୁ ଘଟିଛି ଓ ୩ ଜଣ ନିଖୋଜ ଅଛନ୍ତି।

ବିହାରର ପେଖା ଗ୍ରାମରେ ଏକ ବିରାଟ ଗଛ ଭାଙ୍ଗି ପଡ଼ିବା ଫଳରେ ଗୋଟିଏ ପରିବାରରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଗତ ରବିବାରଠାରୁ ଝାଡ଼ଖଣ୍ଡର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ଲାଗି ରହିଛି। ଝଡ଼ ତୋଫାନ ପ୍ରଭାବିତ ରାଜ୍ୟଗୁଡ଼ିକରେ ଏବେ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। ୨୪ ଘଣ୍ଟା ମଧ୍ୟରେ କ୍ଷତିଗ୍ରସ୍ତ ଅଞ୍ଚଳରେ କ୍ଷତିପୂରଣ ଯୋଗାଇ ଦେବାପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଝଡ଼ତୋଫାନ ପ୍ରଭାବରେ ପ୍ରାୟ ୧ ହଜାରରୁ ଅଧିକ ଗ୍ରାମକୁ ବିଦ୍ୟୁତ ସଂଯୋଗ ଛିନ୍ନ ହୋଇଛି। ବିଭିନ୍ନ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ଯୋଗୁଁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ସ୍ଥିତି ସ୍ୱାଭାବିକ କରିବା ପାଇଁ ଏନ୍‌୍‌ଡିଆର୍‌ଏଫ୍‌୍‌ ଏବଂ ଏସ୍‌୍‌ଡିଆର୍‌୍‌ଏଫ୍‌୍‌ ଟିମ୍‌ ଅହରହ କାର୍ଯ୍ୟ କରୁଛନ୍ତି। କେନ୍ଦ୍ରୀୟ ଏବଂ ପୂର୍ବ ଉତ୍ତରପ୍ରଦେଶର ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପୁଣି ଘୂର୍ଣ୍ଣିଝଡ଼ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଉଲ୍ଲେଖଯୋଗ୍ୟ ଚଳିତ ମାସ ପ୍ରାରମ୍ଭରେ ଉତ୍ତରପ୍ରଦେଶ ସମେତ ବିଭିନ୍ନ ରାଜ୍ୟରେ ହୋଇଥିବା ଝଡ଼ତୋଫାନ ହେତୁ ୧୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର