ଅହମଦାବାଦ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶନିବାର ଗୁଜରାଟ ଗସ୍ତ କରି ଆକାଶମାର୍ଗରୁ ବାତ୍ୟା ‘ବିପର୍ଯ୍ୟୟ’ ଦ୍ବାରା ପ୍ରଭାବିତ ଅଞ୍ଚଳ ଦେଖିଥିଲେ। ତାଙ୍କ ସହ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଥିଲେ। ଶାହ ମଧ୍ୟ କଚ୍ଛ ଓ ଜଖଉ ବନ୍ଦର ଗସ୍ତ କରିବା ସହ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ଅଧିକାରୀମାନଙ୍କ ସହ ବୈଠକ କରିଥିଲେ। ‘ବିପର୍ଯ୍ୟୟ’ କଚ୍ଛ ଓ ସୌରାଷ୍ଟ୍ର ପ୍ରଭୃତି ଅଞ୍ଚଳରେ ବନ୍ୟା ବିପର୍ଯ୍ୟୟ ସୃଷ୍ଟି କରିଛି। ବହୁ ଲୋକଙ୍କ ଘରଦ୍ବାର ଓ ଜିନିଷପତ୍ର ଭାସିଯାଇଛି। କେବଳ କଚ୍ଛରେ ୮୦,୦୦୦ ବିଜୁଳିଖୁଣ୍ଟ ଉପୁଡ଼ିପଡ଼ିଛି ଏବଂ ୩୩,୦୦୦ ହେକ୍ଟର କୃଷିକ୍ଷେତ୍ର ଜଳମଗ୍ନ ହୋଇଯାଇଛି। ବାତ୍ୟା ‘ବିପର୍ଯ୍ୟୟ’ କ୍ରମଶଃ ଦୁର୍ବଳ ହୋଇ ‘ଭାରୀ ଅବପାତ’ରେ ପରିଣତ ହୋଇଛି। ଆଗାମୀ ୧୨ ଘଣ୍ଟା ଭିତରେ ଏହା ଆହୁରି ଦୁର୍ବଳ ହୋଇ ‘ଅବପାତ’ରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଜଣାପଡ଼ିଛି।
ଅମିତ ଶାହ କହିଛନ୍ତି ଯେ, ସରକାରଙ୍କ ପ୍ରଥମ କର୍ତ୍ତବ୍ୟ ହେଉଛି ଲୋକଙ୍କୁ ସେମାନଙ୍କ ଘରକୁ ଫେରାଇ ଆଣିବା। ଭାଙ୍ଗିଯାଇଥିବା ଘରଦ୍ବାରର ମରାମତି ପାଇଁ ସରକାର ଏକ ସମର୍ଥନ ପ୍ୟାକେଜ୍ ପ୍ରସ୍ତୁତ କରୁଛନ୍ତି। ଗୁଜରାଟ ସରକାର ଏ ବିଷୟରେ ଖୁବ୍ଶୀଘ୍ର ଘୋଷଣା କରିବେ। ରାଜ୍ୟ ସରକାର ବାତ୍ୟା ସମୟରେ ଏନ୍ଡିଏମ୍ଏ ମାର୍ଗଦର୍ଶିକାର ସମ୍ପୂର୍ଣ୍ଣ ଅନୁସରଣ କରିଛନ୍ତି। ଗତ ୪୦ ବର୍ଷ ଭିତରେ ସେ ଅନେକ ସ୍ଥାନ ବୁଲିଛନ୍ତି ମାତ୍ର ପ୍ରଥମ ଥର ପାଇଁ ସେ ଲୋକଙ୍କଠାରୁ କୌଣସି ଅଭିଯୋଗ ଶୁଣିବାକୁ ପାଇ ନାହାନ୍ତି। ଏହାର କାରଣ ରାଜ୍ୟ ସରକାରଙ୍କ ପୂର୍ଣ୍ଣ ପ୍ରସ୍ତୁତି ଏବଂ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ମଧ୍ୟ ଏଠାରେ କାର୍ଯ୍ୟ କରୁଛନ୍ତି ବୋଲି ଶାହ କହିଛନ୍ତି।
ଶାହ କହିଛନ୍ତି ଯେ ପ୍ରଭାବିତ ୩,୪୦୦ ଗାଁ ଭିତରୁ ୧,୬୦୦ ଗାଁରେ ବିଜୁଳି ଯୋଗାଣ ପୁନଶ୍ଚ ଆରମ୍ଭ ହୋଇସାରିଛି ଏବଂ ଅବଶିଷ୍ଟ ଗାଁଗୁଡ଼ିକରେ ଜୁନ୍ ୨୦ ତାରିଖ ସୁଦ୍ଧା ବିଜୁଳି ଯୋଗାଣ ସ୍ବାଭାବିକ ହେବ। ୧.୦୮ ଲକ୍ଷ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯିବା ସହ ୭୩,୦୦୦ ଗୃହପାଳିତ ପଶୁଙ୍କୁ ମଧ୍ୟ ନିରାପଦ ସ୍ଥାନରେ ରଖାଯାଇଛି। ଏହି ବାତ୍ୟାରେ ୪୭ ଜଣ ଲୋକ ଆହତ ହୋଇଛନ୍ତି କିନ୍ତୁ କେହି ଗୁରୁତର ଆହତ ହୋଇନାହାନ୍ତି। ୨୩୪ ପ୍ରାଣୀଙ୍କର ମୃତ୍ୟୁ ହୋଇଛି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ସୂଚନା ଦେଇଛନ୍ତି।