ଟେକ୍ସାସ୍‌ରେ ଆତଙ୍କ ଖେଳାଇ‌ଲା ବାତ୍ୟା ‘ଇମେଲ୍‌ଡା’ ଅଟକି ପାରେ ‘ହାଓଡି ମୋଦୀ’

ହଷ୍ଟନ୍‌: ଆମେରିକାରେ ‘ହାଓଡି ମୋଦୀ’ କାର୍ଯ୍ୟକ୍ରମ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଆସନ୍ତା ରବିବାର ଦିନ ‘ହାଓଡି ମୋଦୀ’ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫୦,୦୦୦ରୁ ଅଧିକ ଭାରତୀୟ ବଂଶୋଦ୍ଭବ ଆମେରିକୀୟଙ୍କୁ ଉଦ୍‌ବୋଧନ ଦେବେ। କିନ୍ତୁ ସାମୁଦ୍ରିକ ଝଡ଼ ‘ଇମେଲ୍‌ଡା’ ଯୋଗୁଁ ହଷ୍ଟନ୍‌ରେ ପ୍ରବଳ ବର୍ଷା ଓ ପବନ ଲାଗି ରହିଛି। ‘ଇମେଲ୍‌ଡା’ ଗତକାଲି ଟେକ୍ସାସ୍‌ରେ ମାଡ଼ ହୋଇଛି। ଏହାଦ୍ବାରା ପ୍ରବଳ ବର୍ଷା ହୋଇ ଦକ୍ଷିଣପୂର୍ବ ଟେକ୍ସାସ୍‌ରେ ବନ୍ୟା ଆସିଛି। ଯୁଦ୍ଧକାଳୀନ ଭିତ୍ତିରେ ଲୋକଙ୍କୁ ଉଦ୍ଧାର କରାଯାଉଛି ଏବଂ ଘର ଭିତରେ ରହିବାପାଇଁ ନିର୍ଦ୍ଦେଶ ଜାରି ହୋଇଛି। ଟେକ୍ସାସ୍‌ ରାଜ୍ୟପାଳ ଗ୍ରେଗ୍‌ ଆବ୍ବଟ୍‌ ଦକ୍ଷିଣପୂର୍ବ ଟେକ୍ସାସ୍‌ର ୧୩ଟି ରାଜ୍ୟରେ ଜରୁରୀ ସ୍ଥିତି ଘୋଷଣା କରିଛନ୍ତି। ତେଣୁ ଏଭଳି ସମୟରେ ‘ହାଓଡି ମୋଦୀ’ କାର୍ଯ୍ୟକ୍ରମ ଅଟକିପାରେ ବୋଲି ଆଶଙ୍କା କରାଯାଇଛି। ତେବେ ଏନେଇ ସରକାରୀ ଭାବେ କିଛି ଘୋଷଣା କରାଯାଇ ନାହିଁ। ଅନ୍ୟପକ୍ଷେ ‘ହାଓଡି’ ମୋଦୀ କାର୍ଯ୍ୟକ୍ରମର ‌ଆୟୋଜକମାନେ ବିଶ୍ବାସ ରଖିଛନ୍ତି ଯେ ଏହ‌ି କାର୍ଯ୍ୟକ୍ରମ ପୂର୍ବରୁ ସ୍ଥିତି ସ୍ବାଭାବିକ ହୋଇସାରିଥିବ। ବାତ୍ୟା ଯୋଗୁଁ ୨ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ପ୍ରାୟ ୧୦୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ହଷ୍ଟନ୍‌ରେ ୯୦୦ରୁ ଅଧିକ ବିମାନ ବାତିଲ କରାଯାଇଛି। ସମସ୍ତ ଲୋକଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ହାଓଡି କ’ଣ?
‘ହାଓଡି ମୋଦୀ’ ଶବ୍ଦଟି ଏବେ ବିଶ୍ବରେ ଚର୍ଚ୍ଚାର ବିଷୟ ପାଲଟିଛି। ସେପ୍ଟେମ୍ବର ୨୨ ତାରିଖରେ ଆମେରିକାର ହଷ୍ଟନ ଏନ୍ଆର୍‌ଜି ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ରହିଥିବା ସ୍ବାଗତ କାର୍ଯ୍ୟକ୍ରମ ହେଉଛି ‘ହାଓଡି ମୋଦୀ’। ଯୁକ୍ତରାଷ୍ଟ୍ର ଆମେରିକାରେ ସାଧାରଣତଃ ବନ୍ଧୁଙ୍କୁ ଅଭିବାଦନ ଜଣାଇବାବେଳେ ‘ହାଓଡି’ ବୋଲି ସମ୍ବୋଧନ କରାଯାଇଥାଏ। ଅନୌପଚାରିକ ଅଭିନନ୍ଦନ ଅର୍ଥରେ ଏହା ବ୍ୟବହୃତ ହୋଇଥାଏ। ‘ହାଓଦି’ର ଅର୍ଥ ହେଉଛି ‘ହାଓ ଡୁ ୟୁ ଡୁ’ (ଆପଣ କେମିତି ଅଛନ୍ତି ?)। ଜଣେ ବନ୍ଧୁ ‘ହାଓଡି’ ସମ୍ବୋଧନ କଲେ ଅନ୍ୟ ବନ୍ଧୁଜଣକ ଏହାର ଉତ୍ତରରେ ସ୍ମିତ ହସି ‘ହାଇ’ ବୋଲି କହିଥାନ୍ତି।

ମୋଦୀଙ୍କୁ ସ୍ବାଗତ କଲେ ତୁଲ୍‌ସୀ ଗବାର୍ଡ‌୍
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ରବିବାର ଦିନ ହଷ୍ଟନ୍‌ରେ ଆୟୋଜିତ ‘ହାଓଡି ମୋଦୀ’ କାର୍ଯ୍ୟକ୍ରମରେ ଯୋଗ ଦେବେ। ମୋଦୀଙ୍କୁ ଏହି କାର୍ଯ୍ୟକ୍ରମ ପାଇଁ ସ୍ବାଗତ କରିଛନ୍ତି ଆମେରିକାର ଡେମୋକ୍ରାଟିକ୍‌ ପାର୍ଟି ସଦସ୍ୟ ତୁଲ୍‌ସୀ ଗବାର୍ଡ। ମୋଦୀଙ୍କୁ ନମସ୍ତେ କହି ତୁଲ୍‌ସୀ ‘ହାଓଡି ମୋଦୀ’ କାର୍ଯ୍ୟକ୍ରମ‌କୁ ତାଙ୍କୁ ସ୍ବାଗତ କରିଥିଲେ ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ସେ ଉପସ୍ଥିତ ରହୁନଥିବାରୁ ଦୁଃଖ ପ୍ରକାଶ କରିଛନ୍ତି। ଆୟୋବାରେ ପୂର୍ବ ନିର୍ଦ୍ଧାରିତ ଏକ ପ୍ରଚାର କା‌ର୍ଯ୍ୟକ୍ରମ ପାଇଁ ତୁଲ୍‌ସୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେ ନାହିଁ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର