ଢାକା: ପ୍ରଳୟଙ୍କରୀ ବାତ୍ୟା ମୋକା ରବିବାର ଅପରାହ୍ଣରେ ବାଂଲାଦେଶର କକ୍ସବାଜାର ନିକଟରେ ଏବଂ ଉତ୍ତର ମିଆଁମାର ଉପକୂଳରେ ମାଡ଼ ହୋଇଛି। ଏହା ପ୍ରଭାବରେ ବାଂଲାଦେଶ ଓ ମିଆଁମାର ଉପକୂଳରେ ପ୍ରବଳ ବର୍ଷା ସହ ୨୦୦ କିମି ବେଗରେ ପବନ ବହିଥିଲା। ବାତ୍ୟାରେ ଶତାଧିକ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି।

Advertisment

ବଙ୍ଗୋପସାଗରରେ ଘଣ୍ଟା ପ୍ରତି ୨୦୦ କିମି ପର୍ଯ୍ୟନ୍ତ ବେଗରେ ପବନ ବହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବସୂଚନା ଦିଆଯିବା ସହ ବାଂଲାଦେଶର କକ୍ସବାଜାର ବନ୍ଦର, ଚଟ୍ଟଗ୍ରାମ ଓ ପାୟରା ବନ୍ଦର ଅଞ୍ଚଳ ପାଇଁ ସତର୍କ ବାର୍ତ୍ତା ଜାରି କରାଯାଇଥିଲା। ଜାତିସଂଘର ବିଶ୍ବ ପାଣିପାଗ ସଂଗଠନ ପକ୍ଷରୁ ବାଂଲାଦେଶ ଓ ମିଆଁମାର ଉପକୂଳରେ ପ୍ରବଳ ବର୍ଷା, ବନ୍ୟା ଓ ଭୂସ୍ଖଳନ ହୋଇପାରେ ବୋଲି ସତର୍କ ସୂଚନା ଦିଆଯାଇଥିଲା। ତେବେ ଲ୍ୟାଣ୍ଡଫଲ ସମୟରେ ବାତ୍ୟାର ସର୍ବାଧିକ ବେଗ ଘଣ୍ଟା ପ୍ରତି ୨୧୦ କିମି ହେବା ସହ ଏହାଦ୍ବାରା ୧୨ ଫୁଟ ଉଚ୍ଚର ସମୁଦ୍ର ଜୁଆର ମାଡ଼ିଆସିପାରେ ଓ ୨ ନିୟୁତ ଲୋକଙ୍କୁ ପ୍ରଭାବିତ କରିପାରେ ବୋଲି କୁହାଯାଇଥିଲା।

ବାତ୍ୟା ମୋକା ବଂଲାଦେଶ ଉପକୂଳରେ ଲ୍ୟାଣ୍ଡଫଲ କରିବା ପରେ ଏହା ଉତ୍ତରପୂର୍ବାଞ୍ଚଳକୁ ଗତି କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ୧୮୦ରୁ ୧୯୦ କିମି ଏବଂ ସ୍ଥଳବିଶେଷରେ ୨୦୦ କିମି ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ହୋଇଥିବା ଜଣାପଡ଼ିଛି। ବାତ୍ୟା ସିଦର ପରେ ଏହା ଉକ୍ତ ଅଞ୍ଚଳରେ ପ୍ରବାହିତ ହୋଇଥିବା ସବୁଠାରୁ ଶକ୍ତିଶାଳୀ ବାତ୍ୟା ବୋଲି ବାଂଲାଦେଶ ପାଣିପାଗ ବିଭାଗ ମୁଖ୍ୟ ଅଜିଜୁର ରହମାନ କହିଛନ୍ତି। ତେବେ ବାଂଲାଦେଶର ଯେଉଁ କକ୍ସବାଜାର ଓ ଉତ୍ତର ମିଆଁମାର ଉପକୂଳରେ ଆଜି ବାତ୍ୟା ମୋକା ଦାଉ ସାଧିଛି, ସେଠାରେ ଏକ ନିୟୁତରୁ ଅଧିକ ରୋହିଙ୍ଗ୍ୟା ଶରଣାର୍ଥୀ ବିଭିନ୍ନ ଶିବିରରେ ରହୁଥିଲେ। ବାତ୍ୟା ସତର୍କତା ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ପ୍ରାୟ ୩୦୦,୦୦୦ ରୋହିଙ୍ଗ୍ୟାଙ୍କୁ ସ୍ଥାନାନ୍ତର କରାଯାଇଥିଲା।