ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବିବାଦୀୟ ବୟାନକୁ ନେଇ ଆଜି ସଂସଦରେ ପ୍ରବଳ ହଟ୍ଟଗୋଳ ହୋଇଛି। ବିଜେପି ସମ୍ପର୍କରେ ଦେଇଥିବା ‘କୁକୁର’ ଓ ‘ମୂଷା’ ମନ୍ତବ୍ୟ ଉପରେ ଖଡ଼ଗେ ସଂସଦରେ କହିଲେ ଯେ ସେ ଯାହା କହିଥିଲେ ଗୃହ ବାହାରେ କହିଥିଲେ, ଗୃହ ଭିତରେ ତା’ ଉପରେ ଆଲୋଚନା କରିବାର ଆବଶ୍ୟକତା ନାହିଁ। ସ୍ବାଧୀନତା ସଂଗ୍ରାମରେ ବିଜେପିର କୌଣସି ଭୂମିକା ନ ଥିଲା ବୋଲି ସେ ଯାହା କହିଥିଲେ, ସେଥିରେ କିଛି ଭୁଲ୍ ନାହିଁ।
ସୂଚନାଯୋଗ୍ୟ, ରାଜସ୍ଥାନର ଅଲୱାରଠାରେ ଏକ ରୢାଲିରେ ଭାଷଣ ଦେବାବେଳେ ଖଡ଼ଗେ କହିଥିଲେ, କଂଗ୍ରେସ ଦେଶକୁ ସ୍ବାଧୀନ କରିଛି ଏବଂ ଇନ୍ଦିରା ଓ ରାଜୀବ ଗାନ୍ଧିଙ୍କ ପରି ଏହାର ନେତା ଜୀବନକୁ ବଳି ଦେଇଛନ୍ତି। ଏମାନେ ଦେଶ ପାଇଁ କୁକୁରଟିଏ ବି ତ୍ୟାଗ କରି ନାହାନ୍ତି। ତଥାପି ସେମାନେ ନିଜକୁ ଦେଶପ୍ରେମୀ ବୋଲି ଦାବି କରୁଛନ୍ତି। କିନ୍ତୁ ଯେତେବେଳେ କଂଗ୍ରେସ କିଛି କହିବାକୁ ଯାଉଛି ବିଜେପି ସେମାନଙ୍କୁ ଦେଶଦ୍ରୋହୀ ଆଖ୍ୟା ଦେଉଛି। ଖଡ଼ଗେଙ୍କ ବିବୃତି ଉପରେ ରାଜ୍ୟସଭାରେ ପ୍ରତିକ୍ରିୟା ପ୍ରକାଶ କରି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଲେ, କଂଗ୍ରେସ ଅଧ୍ୟକ୍ଷ ଗତକାଲି ରାଜସ୍ଥାନରେ ଦେଇଥିବା ମନ୍ତବ୍ୟକୁ ଆମେ ଦୃଢ଼ ବିରୋଧ କରୁଛୁ। ବର୍ତ୍ତମାନ ଯେଉଁ କଂଗ୍ରେସ ଭାରତରେ ଚାଲିଛି ତାହା ହେଉଛି ଇଟାଲିଆନ କଂଗ୍ରେସ ଏବଂ ତାହାର ଅଧ୍ୟକ୍ଷ ହେଉଛନ୍ତି ଜଣେ ରବରଷ୍ଟାମ୍ପ ଅଧ୍ୟକ୍ଷ।
ଅଟଳ ରହିଲେ ଖଡ଼ଗେ
କଂଗ୍ରେସ ସଭାପତି ରବରଷ୍ଟାମ୍ପ, କିଛି କାଣ୍ଡଜ୍ଞାନ ନାହିଁ: ପ୍ରହ୍ଲାଦ ଯୋଶୀ
ଖଡଗେ କ୍ଷମା ପ୍ରାର୍ଥନା କରନ୍ତୁ: ପୀୟୂଷ ଗୋୟଲ
ଯୋଶୀ ପୁଣି କହିଲେ, ରାହୁଲ ଗାନ୍ଧିଙ୍କଠାରୁ ବିଜେପି ଅଧିକ ଭଲ କିଛି ଆଶା କରୁନାହିଁ। ଆମେ ଭାବିଥିଲୁ ୧୦ ଥର ଏମ୍ପି ହୋଇଥିବା ମଲ୍ଲିକାର୍ଜୁନ ଖଡ଼ଗେଙ୍କର କିଛି ବୋଧ (କାଣ୍ଡଜ୍ଞାନ) ଥିବ, କିନ୍ତୁ ସେତକ ବି ନାହିଁ। ଏହା ହେଉଛି ନକଲି ଲୋକଙ୍କ ଦ୍ବାରା ପରିଚାଳିତ ନକଲି କଂଗ୍ରେସ। ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପିୟୂଷ ଗୋୟଲ ଖଡ଼ଗେ ତୁରନ୍ତ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିବା ସହ ଅଭଦ୍ର ବୟାନ ପାଇଁ ଲଜ୍ଜିତ ହେବା ଉଚିତ ବୋଲି କହିଥିଲେ। ଖଡ଼ଗେ ହେଉଛନ୍ତି କଂଗ୍ରେସର କୁତ୍ସିତ ମାନସିକତାର ଏକ ଝଲକ ଏବଂ ଏଭଳି କଂଗ୍ରେସର ଅନ୍ତ ଘଟିବା ମହାତ୍ମା ଗାନ୍ଧୀ ମଧ୍ୟ ଚାହୁଥିଲେ ବୋଲି ଗୋୟଲ କହିଥିଲେ।
ରାଜସ୍ଥାନ ରୢାଲିରେ ଖଡ଼ଗେ କହିଥିଲେ- ‘ବିଜେପି କଥା କହୁଛି ସିଂହ ଭଳିଆ କିନ୍ତୁ କାମ କରୁଛି ମୂଷା ଭଳିଆ। ସୀମା ବାବଦରେ ସଂସଦରେ ଆଲୋଚନା କରିବାକୁ ଡରୁଛି। ରାହୁଲ ଗାନ୍ଧି ନିକଟରେ ଯେତେବେଳେ ସୀମା ବିବାଦ ପ୍ରସଙ୍ଗ ଉଠାଇଥିଲେ ବିଜେପି କହିଲା ଯେ ସେ ଦେଶକୁ ଭାଙ୍ଗିବାକୁ ଚାହୁଛନ୍ତି ଏବଂ ସେନା ପ୍ରତି ତାଙ୍କର କୌଣସି ସମ୍ମାନ ନାହିଁ। ଗଲୱାନରେ ଆମର ୨୦ ଜଣ ସୈନିକ ମଲେ ଅଥଚ ମୋଦୀ ଚୀନ୍ ରାଷ୍ଟ୍ରପତିଙ୍କ ସହ ୧୮ ଥର ଦେଖା କରିସାରିଲେଣି।’ ଖଡ଼ଗେଙ୍କ ଏହି ବୟାନ ନେଇ ତମ୍ବିତୋଫାନ ସୃଷ୍ଟି ହୋଇଛି।