ପାଟନା: ଜନସଂଖ୍ୟା ନିୟନ୍ତ୍ରଣରେ ନାରୀଶିକ୍ଷାର ଭୂମିକାକୁ ନେଇ ଗତକାଲି ବିଧାନସଭାରେ ଆପତ୍ତିଜନକ ଭାଷଣ ଦେବା ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୁଧବାର କ୍ଷମା ପ୍ରାର୍ଥନା କରିଛନ୍ତି। ଗତକାଲି ବିଧାନସଭାରେ ମହିଳା ଶିକ୍ଷା ଦ୍ବାରା କିପରି ଜନ୍ମନିୟନ୍ତ୍ରଣ ହୋଇପାରିବ, ତାହାକୁ ନେଇ ନେଇ ଭାଷଣ ଦେବାବେଳେ ମୁଖ୍ୟମନ୍ତ୍ରୀ ଯେଉଁ ଭାଷା ବ୍ୟବହାର କରିଥିଲେ ତାହାକୁ ବିରୋଧୀ ଅଶ୍ଳୀଳ ଓ ନାରୀ ପ୍ରତି ଅପମାନଜନକ ବୋଲି ବର୍ଣ୍ଣନା କରିଥିଲେ। ବିବାଦ ସୃଷ୍ଟି ହେବା ପରେ ନୀତୀଶ କହିଛନ୍ତି, ‘‘ମେଁ ଅପନେ ଶବ୍ଦ ୱାପସ ଲେତା ହୁଁ, ହମନେ ୟୁଁ ହି ୟେ ବାତେଁ କେହଦି ଥି... ମେରେ ବୟାନ କା ଗଲତ ମତଲବ ନିକାଲା ଗୟା... ମୈନେ ତୋ ମହିଲାଓଁ କି ଶିକ୍ଷା କି ବାତ କି ଥି .. ଅଗର ମେରେ ବୟାନ ସେ କୋଇ ଆହତ ହୁଆ ହୈ ତୋ ମାଫି ମାଙ୍ଗତା ହୁଁ।’’ (ମୁଁ ମୋ କଥାକୁ ପ୍ରତ୍ୟାହାର କରୁଛି। ମୁଁ ଏମିତି କହିଦେଇଥିଲି। ମୋ କଥାରୁ ଭୁଲ ଅର୍ଥ ବାହାର କରାଯାଇଛି। ମୁଁ କେବଳ ମହିଳା ଶିକ୍ଷା ବିଷୟରେ କହିଥିଲି। ଯଦି ମୋ ବୟାନ କାହାକୁ ଆଘାତ ଦେଇଥାଏ ତେବେ ମୁଁ କ୍ଷମା ପ୍ରାର୍ଥନା କରୁଛି।)
ଜନସଂଖ୍ୟା ବୃଦ୍ଧିକୁ ରୋକିବା ପାଇଁ ମହିଳା ଶିକ୍ଷାର ଆବଶ୍ୟକତା ଏବଂ ବିହାରର ପ୍ରଜନନ ହାର କିପରି ୪.୨ରୁ ୨.୯ ପ୍ରତିଶତକୁ ହ୍ରାସ ପାଇଛି ତାହା ଉପରେ ଗୁରୁତ୍ୱାରୋପ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶିକ୍ଷିତା ଝିଅ ଯୌନକ୍ରିୟା ସମୟରେ ଶେଷ ମୁହୂର୍ତ୍ତରେ ସ୍ବାମୀଙ୍କୁ ଅଟକାଇଥାନ୍ତି। ଏହା ଜନସଂଖ୍ୟା ବୃଦ୍ଧି ରୋକିବାରେ ସହାୟକ ହୋଇଥାଏ ବୋଲି ସେ କହିଥିଲେ। ବିଜେପି ବିଧାୟକମାନେ ନୀତୀଶଙ୍କ ମନ୍ତବ୍ୟକୁ ସମାଲୋଚନା କରିବା ସହ ତାଙ୍କର ଇସ୍ତଫା ଦାବି କରିଛନ୍ତି। ଅନ୍ୟପକ୍ଷରେ ନୀତୀଶଙ୍କ ବୟାନକୁ ଜାତୀୟ ମହିଳା କମିସନ ଅଧ୍ୟକ୍ଷା ରେଖା ଶର୍ମା ମଧ୍ୟ କଡ଼ା ସମାଲୋଚନା କରିଛନ୍ତି। ମହିଳାଙ୍କ ପ୍ରତି ଏଭଳି ଅପମାନଜନକ ଭାଷାକୁ ସଭ୍ୟ ସମାଜ କଦାପି ଗ୍ରହଣ କରିବ ନାହିଁ ବୋଲି ଶର୍ମା କହିଛନ୍ତି। ତେବେ ରେଖାଙ୍କ ଏହି ବୟାନକୁ ଶିବସେନା ଉଦ୍ଧବ ଗୋଷ୍ଠୀ ନେତ୍ରୀ ପ୍ରିୟଙ୍କା ଚତୁର୍ବେଦୀ ବିରୋଧ କରିଛନ୍ତି।
ନୀତୀଶଙ୍କ ବିରୋଧରେ କୋର୍ଟରେ ମାମଲା ରୁଜୁ
ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଧାନସଭାରେ ଦେଇଥିବା ମହିଳା ବିରୋଧୀ ଟିପ୍ପଣୀକୁ ନେଇ ବିବାଦ ବଢ଼ିଚାଲିଛି। ଏହି ମାମଲା ଏବେ ଅଦାଲତରେ ପହଞ୍ଚିଛି। ମୁଜାଫରପୁର ସିଜେଏମ୍ କୋର୍ଟରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। କୋର୍ଟ ୨୫ ନଭେମ୍ବରରେ ଏହି ମାମଲା ଉପରେ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି। ଆଇନଜୀବୀ ଅନୀଲ କୁମାର ସିଂହ ନୀତୀଶଙ୍କ ବିରୋଧରେ ମାମଲା ରୁଜୁ କରି କହିଛନ୍ତି ଯେ ନୀତୀଶ ଦେଶର ମହିଳାମାନଙ୍କୁ ଲଜ୍ଜିତ କରିଛନ୍ତି। ସୂଚନାଯୋଗ୍ୟ, ନୀତୀଶ ବିଧାନସଭାରେ ଦେଇଥିବା ଆପତ୍ତିଜନକ ବୟାନ ପାଇଁ କ୍ଷମା ପ୍ରାର୍ଥନା କରିସାରିଛନ୍ତି।
ଇଣ୍ଡିଆ ମେଣ୍ଟକୁ ଘେରିଲେ ପ୍ରଧାନମନ୍ତ୍ରୀ: ନୀତୀଶଙ୍କ ବୟାନ ଅଶ୍ଳୀଳ, ଅକଳ୍ପନୀୟ
ନୂଆଦିଲ୍ଲୀ: ବିହାର ବିଧାନସଭାରେ ଗତକାଲି ଜନ୍ମ ନିୟନ୍ତ୍ରଣ ମାମଲାରେ ଶିକ୍ଷିତ ମହିଳାଙ୍କ ଭୂମିକା ସଂପର୍କରେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କେତେକ ‘ଆପତ୍ତିଜନକ’ ବୟାନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର କଡ଼ା ସମାଲୋଚନା କରିଛନ୍ତି। ନୀତୀଶ ବିଧାନସଭାରେ ଅଙ୍ଗଭଙ୍ଗି କରି ବୁଝାଇଥିଲେ ଯେ ଗର୍ଭବତୀ ହେବାକୁ ଚାହୁ ନ ଥିବା ଜଣେ ଶିକ୍ଷିତା ଝିଅ ଯୌନକ୍ରିୟା ସମୟରେ ଶେଷ ମୁହୂର୍ତ୍ତରେ ସ୍ବାମୀଙ୍କୁ ଅଟକାଇବା ଭଲ ଫଳ ଦେଇଥାଏ। ତେଣୁ ଝିଅମାନେ ଶିକ୍ଷିତା ହେଲେ ଜନ୍ମ ନିୟନ୍ତ୍ରଣ ସମ୍ଭବ ହୋଇପାରିବ ବୋଲି ନୀତୀଶ ବୁଝାଇଥିଲେ। ନୀତୀଶଙ୍କ ବୟାନକୁ ନେଇ ରାଜନୈତିକ ଝଡ଼ ଆରମ୍ଭ ହୋଇଯାଇଛି। ଇଣ୍ଡିଆ ମେଣ୍ଟର ନେତାମାନେ ଏଭଳି ମହିଳା ବିରୋଧୀ ଆପତ୍ତିଜନକ ବୟାନ ନେଇ କାହିଁକି ମୁହଁ ଖୋଲୁନାହାନ୍ତି ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଛନ୍ତି।
ନୀତୀଶଙ୍କୁ କଡ଼ା ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଘମଣ୍ଡିଆ ମେଣ୍ଟର ଜଣେ ନେତା ଗତକାଲି ମହିଳାଙ୍କୁ ନେଇ ଯେଭଳି ଅଭଦ୍ର ଭାଷାର ପ୍ରୟୋଗ ବିଧାନସଭା ଭିତରେ କରିଛନ୍ତି ତାହା କଳ୍ପନାର ବାହାରେ। ତେବେ ସେମାନେ ଏଭଳି କାଣ୍ଡ ପାଇଁ ଆଦୌ ଅନୁତପ୍ତ ନୁହନ୍ତି ଏବଂ ସେମାନଙ୍କ ମେଣ୍ଟର ଜଣେ ବି ନେତା ଏହା ବିରୋଧରେ ପଦଟିଏ ବି କହିନାହାନ୍ତି। ଯେଉଁମାନେ ମହିଳାଙ୍କୁ ନେଇ ଏଭଳି ଖରାପ ଚିନ୍ତା କରିପାରନ୍ତି ସେମାନେ ମହିଳାଙ୍କ କଲ୍ୟାଣ କିଭଳି କରିବେ ବୋଲି ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶର ଏକ ନିର୍ବାଚନୀ ସଭାରେ କହିଛନ୍ତି। ମହିଳାଙ୍କ ପ୍ରତି ଏଭଳି ଆପତ୍ତିଜନକ ବୟାନ ଦେଇ ଘମଣ୍ଡିଆ ମେଣ୍ଟ ନେତା ପୂରା ବିଶ୍ବରେ ଭାରତକୁ ବଦନାମ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।