ଝଡ଼ ତୋଫାନ ଆଶଙ୍କା:ଉତ୍ତର ଭାରତରେ ହାଇଆଲର୍ଟ, ସ୍କୁଲ ବନ୍ଦ

ନୂଆଦିଲ୍ଲୀ: ଉତ୍ତର ଏବଂ ପୂର୍ବ ଭାରତର ୧୩ଟି ରାଜ୍ୟରେ ମଙ୍ଗଳବାର ଘୂର୍ଣ୍ଣିଝଡ଼ ସହ ପ୍ରବଳ ବର୍ଷା ଓ କୁଆପଥର ମାଡ଼ ସମ୍ଭାବନା ରହିଛି। ଏଥିରେ ପବନର ବେଗ ଘଣ୍ଟା ପ୍ରତି ୫୦ରୁ ୭୦ କିମି ରହିବ ବୋଲି କୁହାଯାଇଛି। ଦିଲ୍ଲୀ ଏବଂ ଉତ୍ତରପ୍ରଦେଶରେ ଏହାର ପ୍ରଭାବ ସର୍ବାଧିକ ରହିବା ଆଶଙ୍କା ଥିବାରୁ ଆଗୁଆ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି। ଦିଲ୍ଲୀ, ହରିୟାଣା, ୟୁପି ଏବଂ ପଂଜାବରେ ବୁଧବାର ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ପାଣିପାଗ ବିଭାଗର ସୂଚନା ମୁତାବକ ଉତ୍ତର ପ୍ରଦେଶ, ବିହାର, ପଶ୍ଚିମବଂଗ, ସିକ୍କିମ, ଓଡ଼ିଶା, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, କର୍ଣ୍ଣାଟକ ଏବଂ କେରଳ ମଧ୍ୟ ଏହି ଘୂର୍ଣ୍ଣିଝଡ଼ରେ ପ୍ରଭାବିତ ହେବ। ଆଜି ଚଣ୍ଡିଗଡ଼, ପଂଜାବ ଏବଂ ହରିୟାଣାରେ ଝଡ଼ ବର୍ଷା ହୋଇଥିବା ବେଳେ ଆସାନ୍ତାକାଲି ଦିଲ୍ଲୀରେ ଝଡ଼ ତୋଫାନ ଆଶଙ୍କା କରି ବ୍ୟାପକ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି। ଅପରାହ୍ନରେ ସମସ୍ତ ସ୍କୁଲ ବନ୍ଦ ରଖିବାକୁ କୁହାଯାଇଛି। ପାଣିପାଗ ସ୍ଥିତିକୁ ଦେଖି ସତର୍କତାର ସହ ଘରୁ ବାହାରିବାକୁ ପରାମର୍ଶ ଦିଆଯାଇଛି। ପ୍ରବଳ ଝଡ଼ବର୍ଷା ଆଶଙ୍କାରେ ଗାଜିଆବାଦରେ ମଧ୍ୟ ସମସ୍ତ ସ୍କୁଲ କଲେଜ ବନ୍ଦ ରଖିବାକୁ କୁହାଯାଇଛି। ଆଗ୍ରାରେ ଝଡ଼ବର୍ଷା ଆଶଙ୍କାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଆଜି ହରିୟାଣାରେ ଝଡ଼ତୋଫାନ ଯୋଗୁଁ ଶତାଧିକ ଘର କ୍ଷତିଗ୍ରସ୍ତ ହେବା ସହ ଅନେକ ଗଛ ଉପୁଡ଼ି ପଡ଼ିଛି।

ସମ୍ବନ୍ଧିତ ଖବର